Unknown

 

 

 

 

 

 

 

 

 

 

ଏବେ ମଧ୍ୟ ବଞ୍ଚିଛି

ଗୋଦାବରୀଶ ମହାପାତ୍ର

 

(୧)

 

ବେଣୁଧର କଣ କରିବ କିଛି ଠିକ୍‌କରିପାରିଲା ନାହିଁ ।

ଯେତେବେଳେ ଗାଁଯାକ ଲୋକେ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟପାଇଁ, ବେଣୁଧର ପିଣ୍ଡାରେ ତୁନିହୋଇ ଠିଆହୁଏ । ଭାବେ, ଏତେ ଲୋକ ଯାଉଛନ୍ତି; ସମସ୍ତଙ୍କ ଆଗରେ ମୁଁ ହାତ ପତେଇ ଠିଆହୋଇ ମାଗିବାଟା ସୁନ୍ଦର ହେବନାହିଁ ।

ଯେଉଁଦିନ କେହି ଯାଆନ୍ତିନାହିଁ; ସେଦିନ ବେଣୁଧର କାନ୍ଥରେ ଲଟକାଇଥିବା ଚିରା କମିଜଟାକୁ ଦେହରେ ଗଳାଇଦେଇ ଖୁବ୍‌ସାହାସରେ ଦାଣ୍ଡକୁ ବାହାରିପଡ଼େ । ଦାଣ୍ଡ ଡେଇଁ, ବିଲ ପଡ଼ିଆ ଡେଇଁ ଯେତେବେଳେ ସେ ବଡ଼ ବରଗଛମୂଳେ ପହଞ୍ଚେ, ଟିକିଏ ବସିପଡ଼େ । ଶ୍ୟାମଳ ପତ୍ରଗହଳ ତଳେ ଶୀତଳ ପବନ ଟିକିଏ ପାଇ ସେ ଆଖି ବୁଜି ଅନେକ ଭାବେ । ଭାବେ - ସେ ଯିବ, କେନ୍ଦ୍ର ଦୁଆରେ ଠିଆହେବ । କିପରି ଠିଆ ହେବ ? ହାତ ଯୋଡ଼ିବ ନା ହାତ ଦୁଇଟା ଦୁଇ ପାଖକୁ ଝୁଲାଇ ରଖିବ ? ମୁଣ୍ଡ ଟିକିଏ ନୁଆଁଇବ ନା ମୁଣ୍ଡକୁ ବୀରପରି ସିଧା ରଖି ଠିଆହେବ ? ହସିବ ନା ଦୁଃଖରେ ମୁହଁ ଶୁଖାଇ ଚାହିଁବ ? କ’ଣ କରିବ କିଛି ସେ ସ୍ଥିର କରିପାରେ ନାହିଁ । ବିଚାରେ, ସେଠି ଯେ ଥିବ ସେ ଯେବେ ଚିହ୍ନା ଲୋକ ହୋଇଥିବେ, ତେବେ କ’ଣ କରିବାକୁ ହେବ?

ବସି ବସି, ବିଚାରି ବିଚାରି ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠେ, ତା’ର ଭାବନା ଶେଷ ହୁଏ ନାହିଁ । ସେହି ଜନଶୂନ୍ୟ ବିଲମାଳ ଭିତରେ ଗଛଡାଳରେ ଯେତେବେଳେ ଦୁଇଟା ଗୁଣ୍ଡୁଚିମୂଷା ଚେଁ ଚେଁ ଶବ୍ଦ କରି ଏ ଡାଳରୁ ସେ ଡାଳକୁ ଧାଆଁନ୍ତି କିମ୍ୱା କୁଆ କୋଇଲି ରାବିଉଠନ୍ତି, ସେ ଆଣ୍ଠୁ ଉପରୁ ମୁଣ୍ଡ ଉଠାଇ ଆଖି ଫିଟାଏ; କିନ୍ତୁ ଦେଖେ ନିତିଦିନରେ ସଂସାର ତାହାରି ଆଗରେ ଦୂରର ମରିଚିକା ପାଣିପରି ଭାସିଯାଏ । ତା’ର ଆଶା ଠିକ୍‌ସେହିପରି ଦୂରକୁ ବହିଯାଏ । ମୁହଁ ବୁଲେଇ ଦେଖେ, ଦୂରରେ ଗଛଗହଳରେ ସିରେଇ ଗାଁ । ସେହିଠାରେ ଗୋଟାଏ ଚାଳ ଉପରେ ଗୋଟାଏ ଜାତୀୟ ପତାକା । ତାହାରି ତଳେ ସ୍ୱେଚ୍ଛାସେବକ, ଦେଶସେବକ, ମାତୃପୂଜକ, ଜନନାୟକ, ଦରିଦ୍ର-ସାଥୀ-ଯେ କେହି ଚାଉଳ ଧରି ବାଣ୍ଟିବାକୁ ବସିଥିବେ ବୋଲି ମନେକରେ । ଅନ୍ୟଆଡ଼େ ମୁହଁ ବୁଲାଇ ଦେଖେ, ସେହିପରି ଗୁଡ଼ାଏ ଗଛଗହଳରେ ବାଗଲପଡ଼ା । ତାହାରି ଭିତରେ ଗୋଟାଏ ଛୋଟ ଚାଳଘର, ସେହି ଚାଳଘର ଭିତରେ କେତୋଟି ପ୍ରାଣୀ, କାହା ପେଟରେ ଅନ୍ନ ନାହିଁ କି କାହା ମୁହଁରେ ହସ ନାହିଁ । ଦିନେ ନୁହେଁ, ଦୁଇଦିନ ନୁହେଁ, ପାଞ୍ଚଦିନ ହେଲା ସେହି କୁଡ଼ିଆତଳେ ଚୁଲି ଜଳିନାହିଁ, ସେ ଭିତରେ ଅଇଁଠା ପଡ଼ିନାହିଁ । ଏ କଥା ଭାବିଲାବେଳେ ସେ ପୁଣି ଆଖି ବୁଜିଦିଏ । ମାତ୍ର ନିଜ ଭିତରେ ସେ ଦେଖେ ଆଉ ଗୋଟାଏ ଜଗତ୍‌! କି ସୁନ୍ଦର, କି ଜୀବନମୟ ଜଗତ୍‌ସେ ! ସେ ଭିତରେ ବେଣୁଧର ବୋଲି ସତର ବର୍ଷର ଯୁବକ କେତେ ଖେଳିଲା, କେତେ ହସି ହସେଇଲା, କେତେ ନାଚି ନଚେଇଲା । ସେ ଗଲା ଘର ଛାଡ଼ି ପାଠ ପଢିବାକୁ । ଯେଉଁଠାରେ ଦେବତା ମଣିଷର ସାକ୍ଷୀ, ସେହିଠାରେ ସେ ପାଠ ପଢିଲା । ପାଠ ପଢି ପଢି ସେ ଭାବିଲା- ସେ ଜଗିବ, ଦେଶକୁ ଜଗାଇବ ।

ବେଣୁଧର ଆଖି ଫିଟାଇଲା । ସେ ଦେଖିଲା, ପୁଣି ସେହି ଆଖି ଆଗରେ ପୁରୁଣା ସଂସାର ! ସେହି ଭଙ୍ଗାରୁଜା ସଂସାର ଭିତରେ ତାର ପାଠପାଢ଼ା ଅକାଳରେ ଶେଷ ହୋଇଛି; ସେହି ନୀରସ ସଂସାର ଭିତରେ ତାର ଆଶାର ଝରଣା ଶୁଖିଆସିଛି, ପ୍ରାଣର ରସ ମରିଯାଇଛି । ସେ ଆସିଛି ଭିକ ମାଗି କେତୋଟି ପ୍ରାଣୀଙ୍କୁ ପୋଷିବ ବୋଲି

ବେଣୁଧର ପାରଲା ନାହିଁ । ବରଗଛ ମୂଳେ ଠିଆହୋଇ ମୁହଁ ବୁଲାଇଲା ଗାଁ ଆଡ଼କୁ । ଭାବିଲା, ‘‘ନା, ମୁଁ ଏପରି ଭାବରେ ଯାଇ ଭିକ ମାଗିବାଟା ସୁନ୍ଦର ହେବନାହିଁ । କେହି ଯେତେବେଳେ ଯାଉନାହାନ୍ତି, ମୁଁ ଏକାକୀ ଗଲେ ସେମାନେ ମନେକରିବେ କ’ଣ ? ବରଂ ଗହଳି ଭିତରେ ପଶି କାନି ପତେଇ ମାଗିଦେଲେ ଚଳିପାରେ ।’’

ତଥାପି ବେଣୁଧର କ’ଣ କରିବ ବୁଝିପାରିଲାନାହିଁ । ଦିନେ ଗଲା, ଦୁଇ ଦିନ ଗଲା, ଚାରି ଦିନ ଗଲା । ଆଠ ଦିନ ଗଲା । ଦିନେ ସତେ ଅବା ପାଣିପରି ବହିଗଲା । ସେ ଦେଖିଲା, ସେଇ ସୁଅରେ ତା’ ନିଜ ଗାଁର ଶହ ଶହ ମହାପ୍ରାଣୀ ଭାସି ଭାସି, ପେଟ ଦେଖାଇ, କଙ୍କାଳ ଦେଖାଇ, କାନି ଦେଖାଇ ଯାଇ ଲାଗଛନ୍ତି ସିରେଇ ଗାଁର ଚାଉଳବଣ୍ଟା କେନ୍ଦ୍ର ଦୁଆରେ । ଯାହା ପାଉଛନ୍ତି ମୁଠାଏ, ତାହା ସିଝେଇ ଖାଇବାକୁ ଦରକାର ପଡ଼ୁନାହିଁ । କରାବେଳେ ତଳତାତି ଓ ଉପରତାତି ଭିତରେ ମଝିରେ ଯେ ପେଟ ଚାଖଣ୍ଡକ ତାତିଉଠୁଛି, ତାହା ସେମାନେ ସମ୍ଭାଳି ନ ପାରି ମୁଠା ମୁଠା ଚଉଳ ବ୍ୟାକୁଳ ଭାବରେ ପାଟିରେ ଭରତି କରୁଛନ୍ତି ।

ବେଣୁଧର ଘରକୁ ଫେରିଅଇଲା । ଏପରି ଦିନେ ନୁହେଁ, ଦଶ ଦିନ ଯାଇ ଦଶ ଦିନ ଫେରିଲା । ସବୁ କଥାର ସୀମା ଅଛି; ମାତ୍ର ବେଣୁଧରର କଥା ସୀମା ପାରହୋଇଗଲା । ଘରେ ଯେତେବେଳେ ଖୁଦକଣିକାଏ ସୁଦ୍ଧା ନାହିଁ, ସେତେବେଳେ କି ସୀମା ଭିତରେ ରହିହୁଏ ? ଶେଷରେ ଦିନେ ସେ କେନ୍ଦ୍ରରେ ଯାଇ ହାଜର ହେଲା ।

 

(୨)

 

ସିରେଇ ଗାଁର ସାହାଯ୍ୟକେନ୍ଦ୍ର । ଦୁର୍ଭିକ୍ଷ-ରାକ୍ଷସର ତାହା ଗୋଟିଏ ବିରାଟ ଯାଦୁଘର । ଯେଉଁ ଦେଶରେ ଯୁଗଯୁଗ ଧରି ବିରାଟ ପଥରସ୍ତୂପ ଉପରେ ପତିତପାବନବାନା ଉଡୁଛି, ସେହି ଦେଶର ଲକ୍ଷ ଲକ୍ଷ ନରନାରୀଙ୍କ ବିକଳ ଧ୍ୱନି ସେତେବେଳେ ସିରେଇରେ ପ୍ରତିଧ୍ୱନିତ ହେଉଥିଲା । ଯେଉଁ ଦେଶର ମଣିଷର ସାକ୍ଷୀରୂପେ ସ୍ୱୟଂ ଦେବତା ବାଟ ଚାଲି ଆସିଥିଲେ ବୋଲି କଥା ଅଛି, ଦୁଃଖ-ଦାରିଦ୍ରର ସାକ୍ଷ୍ୟ ନେବାପାଇଁ ସେଇ ଭୂମିର ପରମ ସନ୍ୟାସୀ ଉତ୍କଳମଣି ସେହିଠାରେ ଉପସ୍ଥିତ ଥିଲେ ।

ସେତେବେଳେ ସିରେଇ ଗୋଟାଏ ବିରାଟ ମଶାଣି କହିଲେ ଚଳେ । ଦରମରା ମଣିଷଗୁଡ଼ାକ ସେଠାରେ ମରିବେ କି ଜିଇବେ, ଠିକ୍‌କରିପାରୁ ନଥିଲେ । କାହା ଆଖିରେ ଜ୍ୟାତି ନ ଥିଲା, କାହା ମୁହଁରେ ହସ ନ ଥିଲା, କାହା ପାଦରେ ବଳ ନ ଥିଲା, କାହା ପେଟରେ ଅନ୍ନ ନ ଥିଲା କି କାହା କଟିରେ କନା ନ ଥିଲା- ଥିଲା କେବଳ ସମସ୍ତଙ୍କ କଣ୍ଠରେ ବିକଟ ସ୍ୱର । ସମସ୍ତେ କହୁଥିଲେ, ‘ଦିଅ-ଦିଅ-ଦିଅ ।’

ବେଣୁଧର ସେଇ ଭିତରେ ଯାଇ ଠିଆହେଲା । ସେ ଶବ୍ଦ ଶୁଣି ତାର କାନ ତାବଦା ପଡ଼ିଗଲା । ସେ ଦୃଶ୍ୟ ଦେଖି ତା’ ଆଖିକି ଜାଲୁଜାଲୁଆ ଦିଶିଲା । ସେ ସେହି ଭିତରେ ଜଣେ ହୋଇ ଠିଆହେବାକୁ ଇଚ୍ଛା କଲା ନାହିଁ । ମନେକଲା, ଲୋକଲୋଚନ ଅଗୋଚରରେ କେଉଁଠି ସେ ମିଶିଯାନ୍ତା କି, କେଉଁଠି ସେ ଆପଣାର ମୁହଁଟା ଲୁଚାଇ ଠିଆହୋଇ ପାରନ୍ତା କି, କେଉଁଠି ନିଜକୁ ହରାଇ ପାଗଳ ହୋଇଯାଆନ୍ତା କି ?

ସେ ପଛକୁ ଘୁଞ୍ଚିଆସିଲା । କାହାର ସ୍ନେହପାଳିତ ଗୋଟିଏ ଗଛମୂଳେ ପଥର ଉପରେ ବସିପଡ଼ି ଖାଲି ଦେଖିଲା । ତାକୁ ଦିଶିଲା ଗୋଟାଏ ପ୍ରାଚୀନ ବିରାଟ ଜାତି ହଠାତ୍‌କିପରି ଭିକାରି ପଲଟିଗଲା ! ଜୀବନ ଥାଉ ଥାଉ ଜାତିଟା କିପରି ଅପମାନ ବରଣ କରିନେଲା । ଚାହୁଁ ଚାହୁଁ ବାଟ କିପରି ଭୁଲିଆସିଲା !

ତାକୁ ଦିଶିଲା-ଏଇପରି ଏକ ପ୍ରଭାତ ଅବସରରେ ସେ ପାଠ ପଢିଥିଲା । ଚିରଶ୍ୟାମଳ ବକୁଳ ଛୁରିଅନାମୂଳେ ଶହ ଶହ ତରୁଣ ପ୍ରାଣରେ ଯେଉଁ ଶିକ୍ଷାର ମଞ୍ଜି ପୋତାଯାଇଥିଲା, ତାହା କ’ଣ ଶେଷକୁ ବଢିଉଠିଲା ଏଇ ଭିକ ମାଗିବାପାଇଁ ? ବେଣୁଧର କ’ଣ ଶେଷରେ ଏଇଆ ହେବ ବୋଲି ବହି ଧରିଥିଲା ?

ବେଣୁଧର ସେଠି ଅଛି କି ନାହିଁ ବୁଝିପାରିଲାନାହିଁ । ସେ ନିଜକୁ ଖୋଜିଲା । ତା’ର ଆଖି ରହିଲା ଭିତରେ, ତା’ର ମନ ରହିଲା ଭିତରେ, ତା’ର ଭାବନା ରହିଲା ଭିତରେ, ତା’ର ଶରୀରଟା କେବଳ ସିରେଇ ଗାଁର ଏକ ଗଛମୂଳେ ଥିଲା । ଚାଉଳ ଧରି ଲୋକେ ଫେରି ଚାଲିଛନ୍ତି, ଗହଳି କ୍ରମେ ଭାଜିଆସୁଛି, ଖରା କ୍ରମେ ମାଡ଼ିଆସୁଛି; କିନ୍ତୁ ବେଣୁଧର ନିଜକୁ ହରେଇ ଗଛମୂଳେ ବସିଛି।

 

(୩)

 

ଝାଞ୍ଜି ପବନର ସ୍ପର୍ଶ କିମ୍ୱା କପୋତର କରୁଣ ଧ୍ୱନି ବେଣୁଧରର ମୋହ ଭାଙ୍ଗିପାରିଲାନାହିଁ । ଗଛଟା ଯେପରି କାହାକୁ କିଛି ନ କହି ଅନେକ ଦିନୁ ଠିଆହୋଇଛି । ତାହାରି ତଳେ ବେଣୁଧର କାହାକୁ କିଛି ନ ମାଗି ସକାଳପହରୁ ବସିଛି।

ତାର ଆଗରେ ପ୍ରଶ୍ନ ହେଲା - ‘‘ବାବୁ ତୋର ଗାଁ ?’’

ଦଶ-ପାଞ୍ଚ ଥର ଏହିପରି ପଚାରିବା ପରେ ବେଣୁଧର ମୁହଁ ଟେକି ଚାହିଁଲା । ଚାହିଁଲା, ସତେ ଯେପରି କୋରାର୍କର ଗୋଟାଏ ପଥରମୂର୍ତ୍ତି କେତେ ଯୁଗ ହେଲା ପାଣି-ପବନ ଖରା-ତରା ସହି ସହି ପଡ଼ିରହିଥିଲା, ହଠାତ୍‌କାହାର ଡାକରେ ତା’ର ଜଡ଼ ପିଣ୍ଡରେ ପ୍ରାଣ ସଂଚାର ହେଲା !

ପୁଣି ତାକୁ ପଚରାଗଲା – ‘‘ତୋର ଗାଁ କେଉଁଠି ବାବୁ ? ଚାଉଳ ନେଇଚୁ ?’’

ବେଣୁଧର ସେଇପରି ଚାହିଁରହିଲା ।

ତା’ପରେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଧୀରେ ଧୀରେ ତା ପାଖକୁ ଲାଗିଆସିଲେ । ଗୋଟିଏ ଶୀତଳ କୋମଳ ହାତର ସ୍ପର୍ଶ ତା’ ପିଠିରେ । ପିଠିର କମିଜ, ଦେହର ଚମ, ଚମତଳର ରକ୍ତମାଂସ ହାଡ଼ ଭେଦକରି ସତେ ଅବା ସେହି ସ୍ପର୍ଶ ବେଣୁଧରର ଯେଉଁ ଅନ୍ତରଭିତରେ ବାଜିଲା । ତା’ର ଦେହ ଶୀତେଇ ଉଠିଲା । ତା’ର ଆଖିପତା ଥରିଲା । ଆଖି କ୍ରମେ ଓଦାହୋଇ ଆସିଲା । ତା’ପରେ ଦୁଇ ଟୋପା ଲୁହ ନିଗିଡ଼ି ତଳେ ପଡ଼ିଗଲା । ସେ କ’ଣ କହିବ ବୋଲି ଚେଷ୍ଟା କଲା, ଓଠକୋଣ ଥରିଆସିଲା ।

ସେ ବ୍ୟକ୍ତି ପଚାରିଲେ-‘‘ଚାଉଳ ନେଇଚୁ ବାବୁ ?’’

- ‘‘ନା ।’’ ଏତିକି କେବଳ ସେ କହିଲା ?’’

- ‘‘ନେବୁ ?’’

- ‘‘ନା,...ମୁଁ ନେବାକୁ ଆସିନାହିଁ ।’’

- ‘‘ଆଉ ତେବେ... ?’’

ବେଣୁଧର ଆଉ ସମ୍ଭାଳି ପାରିଲାନାହିଁ । ଭୋ’ କରି କାନ୍ଦିଉଠିଲା । ଏତିକି କହିଲା-‘‘ଏଇପରି ଗଛମୂଳେ ଏଇ ଚରଣତଳେ ପରା ବସି କଥା ଶୁଣିଥିଲି...

ଜୀବନ ଥିଲେ ଭାଇ ପାତିବାନାଇଁ ହାତ,

ମଣିଷ ପରି ଦିନେ ମଣିଷ ହୋଇବା ତ ।’’

ଏତିକି କହି ବେଣୁଧର ଭାଜିଗଲା ପରି ସେହି ପାଦତଳେ ପଡ଼ିଗଲା ।

ତା’ ପରେ - ତା’ ପରେ ଅନେକ କ୍ଷଣ ବିତିଗଲା । ବସିପଡ଼ିଥିବା ବେଣୁଧରର ମୁଣ୍ଡରେ ହାତ ଦେଇ ସେଇ ଶାନ୍ତ ଉଦାର ମହାପୁରୁଷ ଦୂରରେ, ଖୁବ୍‌ଦୂରରେ-ସୁଦୂର ଦିଗ୍‌ବଳୟ ସୀମାରେ ଚକ୍ଷୁ ସ୍ଥିର ରଖି ଅନେକ କ୍ଷଣ ଠିଆହେଲେ । ଦୁଇ ଧାର ଅଶ୍ରୁ ତାଙ୍କର କୃଷ୍ଣଜ୍ଜ୍ୱଳ ଶ୍ମଶ୍ରୁମଣ୍ଡଳରୁ ବିନ୍ଦୁ ବିନ୍ଦୁ ହୋଇ ଖସୁଥିଲା । ଆଖି ମୁଦି ହୋଇଯାଇଥିଲା । ଯେତେବେଳେ ସେ ଆଖି ଫିଟାଇଲେ ଦେଖିଲେ ସ୍ୱଚ୍ଛାସେବକ ତାଙ୍କୁ ଡାକୁଛନ୍ତି; ବେଣୁଧର ପଥର ପରି ତଳେ ପଡ଼ିଛି । ତାଙ୍କ ମୁହଁରୁ ପଦେ କଥା ବାହାରିଲା- ଏ ଜାତି ଏବେ ମଧ୍ୟ ବଞ୍ଚିଛି ।

 

ପଟନାୟକେ ପଇସାଟିଏ

 

ଆସିକା ବସ୍‌ଷ୍ଟାଣ୍ଡରେ ବସ୍‌ରହି ସଙ୍ଗେ ସଙ୍ଗେ ଶବ୍ଦ ଶୁଣାଗଲା -

ପଟନାୟକେ, ପଇସାଟିଏ !

ଅନବରତ ଘଡ଼ଘଡ଼, ଦମ୍‌ଦମ୍‌, ଭଁ ଭଁ ଶବ୍ଦ ଶୁଣି ଶୁଣି କାନ ତାବଦା ହୋଯାଇଥିଲା, ମନ ତିକ୍ତ ହୋଇ ଉଠିଥିଲା । ଧୂଳିପୂର୍ଣ୍ଣ ରାଜରାସ୍ତା ଉପରେ ବସିରହିବା ସଙ୍ଗେ ସଙ୍ଗେ ହଠାତ୍‌ଘୋର ପରିବର୍ତ୍ତନ ଘଟିଲା । ସେ କର୍କଶ ରୁକ୍ଷ ଶବ୍ଦ ସ୍ଥାନରେ ଗୋଟିଏ କରୁଣ କଣ୍ଠର କ୍ଷୀଣ ସ୍ୱର ଶୁଣାଗଲା-

ପଟନାୟକେ, ପଇସାଟିଏ !

ସମୟଟା ବସନ୍ତ କାଳ । ସେ ବସନ୍ତ ସମୟରେ କବିକଳ୍ପିତ କାବ୍ୟ-କବିତାର କୋକିଳ କେଉଁ ଶ୍ୟାମଳ ବନଗହଳରେ ଅମୃତ ଢାଳୁଥିବ କେଜାଣି, ସେତେ-ବେଳେ ଆସିକା ନିକଟରେ କୋକିଳର ସ୍ୱର ଶଶୁଣାଯାଉ ନଥିଲା । ଏକମାତ୍ର ଶବ୍ଦ ଜଣାପଡୁଥିଲା- ପଟନାୟକେ ପଇସାଟିଏ !

ଲୋକେ ବସ୍‌ରୁ ଉତୁରିଲେ, ବସ୍‌ରେ ବସିଲେ । ଲୋକେ ପଇସା ଗଣିଲେ, ଟିକଟ ଆଣିଲେ, କିନ୍ତୁ ସେହି କରୁଣ କୋମଳ ସ୍ୱରଟିର କିଛି ହେଲେ ପରିବର୍ତ୍ତନ ଘଟିଲା ନାହିଁ; ବରଂ ସେଥିରେ ଲୁହ ରସାଣି ଦେଇ ଆହୁରି ବିକଳ ଭାବରେ କୁଆଡୁ ହୃଦୟ ଭିତରେ ପ୍ରତିଧ୍ୱନି ଉଠିଲା ।

ପଟନାୟକେ, ପଇସାଟିଏ !

ସମସ୍ତେ ବୁଲି ଚାହିଁଲେ; ସମସ୍ତେ ମୁହଁ ଫେରାଇ ଆଣିଲେ; କିନ୍ତୁ ସ୍ୱରଟି ଯାହା କଣ୍ଠରୁ ବାହାରି ଆଖପାଖ ଶହେ ଦୁଇଶହ ଗଜ ପରିମିତ ଧରଣୀକୁ କରୁଣାର୍ଦ୍ର କରୁଥିଲା, ସେ ସମସ୍ତଙ୍କ ମୁହଁକୁ ଖାଲି ବୁଲି ବୁଲି ଚାହିଁ ଚାହିଁ ଏକାପରି କହିଲା-

ପଟନାୟକେ, ପଇସାଟିଏ !

ପଟନାୟକେ କାହାନ୍ତି ? ପଇସା କାହିଁ ? ଏ ସ୍ୱରର କେହି ଉତ୍ତର ଦେଲଷ ନାହିଁ । କେବଳ ଖଣ୍ଡେ ମାତ୍ର ଛିଣ୍ଡାକନା ଅଣ୍ଟାରେ ଗୁଡ଼ାଇ ଦେଇ, ସଂସାରକୁ ନିଜର ବୁକୁହାଡ଼ ଗଣିବାକୁ ଦେଖାଇ ଦେଇ ସେ ଲୋକଟି ଏକାପରି କହିବାରେ ଲାଗିଲା-

ପଟନାୟକେ, ପଇସାଟିଏ !

ପାଦ ତାର ଭୂଇଁରେ ଥିର ହୋଇ ପଡୁ ନଥିଲା, ଆଖି ତାର ଭଲ ହୋଇ ଫିଟୁ ନଥିଲା । ସେ ନିଜେ ସଂସାରରେ ଅଛି କି ନାହିଁ ବୋଧହୁଏ ଜାଣିପାରୁ ନଥିଲା । ତଥାପି ପ୍ରାଣରେ କି କ୍ଷୀଣ ଆଶା ବହି ଶୁଖିଲା ଓଠତଳୁ କ୍ଷୀଣସ୍ୱର ଉଠାଉଥିଲା ।

ପଟନାୟକେ, ପଇସାଟିଏ !

ସେ ରଥଙ୍କୁ ଚାହିଁ ମାଗିଲା, ମିଶ୍ରଙ୍କୁ ଚାହିଁ ମାଗିଲା । ରଥେ....ମିଶ୍ରେ ମୁହଁ ବୁଲାଇ ଦେଲେ । ଦାସଙ୍କୁ କହିଲା - ‘‘ପଟନାୟକ; ଦାସେ ଚିଡ଼ିଉଠିଲେ । ପଧାନେ ବସିଥିଲେ ମୁଣ୍ଡରେ ପଗଡ଼ି ଭିଡ଼ି । ସେ ବୋଧହୁଏ ‘ପ୍ରଧାନ’ ଡାକ ଶୁଣିଥିଲେ ପଇସାଟିଏ ଦେଇଥାନ୍ତେ । ପଟନାୟକ ଶବ୍ଦ ତାଙ୍କୁ ବିଗିଡ଼ାଇ ଦେଲା । ପାଳେ ବସିଥିଲେ ଆଗ ଆସନରେ । ସେ ରାଗିଉଠିଲେ । ଥାପି ସେହି ତିରିଶ ଜଣ ଯାତ୍ରୀଙ୍କ ପାଖରେ ସେ ଲୋକଟି ତିନିଶହ ଥର ‘ପଟନାୟକ’ ଶବ୍ଦ ଉଚ୍ଚାରଣ କର ପଇସାଟିଏ ପଇସାଟିଏ ବୋଲି ମାଗିଲା । କିଏ କହିଲା - ତାର ଏଟା ଅଭ୍ୟାସ, କିଏ କହିଲା- ଏଟା ପାଗଳ, କିଏବା କହିଲା ଗଞ୍ଜଡ଼ ଆପୁଆ, ଗୁଲିଆ ସେ ସବୁ ଶୁଣିଲା; ତଥାପି ପ୍ରତିବାଦ କଲାନାହିଁ । ସେ ତିରସ୍କାର ପାଇଲା; ତଥାପି ଆଖିରୁ ଲୁହ ଗଡ଼ାଇଲା ନାହିଁ । ଗାଳି ଶୁଣିଲା; ପାଦ ପଛକୁ ଘୁଞ୍ଚାଇଲା ନାହିଁ ।

ତା ହାତକୁ ଛୁଇଁଲା ପରି ଅଣିଟିଏ ମୁଁ ବଢାଇ ଦେଇ କହିଲି, ‘‘ଆରେ ଏ, ପଟନାୟକ କିଏ ?’’

ସେ ଅଣିଟିଏ ହାତରେ ଧରି ଆଖି ପାଖକୁ ନେଇ ଟିକିଏ ନିରେଖି କହିଲା - ‘‘ହଁ, ପଇସାଟିଏ । ଦେଲ, ଭଲ କଲ । ନେଇ ତ ଥିଲ, ଦିଅନ୍ତା କିଏ ?’’

ମୁହଁକୁ ସେ ଟିକିଏ ଉପରକୁ ଟେକି ଦମ୍ଭରେ ରହି କହିଲା ପରି କହିଲା-‘‘କେବେ, ପାଞ୍ଚ ବର୍ଷ ତଳର କଥା ଭୁଲିଗଲ ? ସେଇ ଯେ ବାଲପତର ଗାଁର ପକାଘର ଖଣ୍ଡକ, ସେ ଘରେ କଣ ଆଉ ରଘୁ ସୁବୁଦ୍ଧି ଅଛି ? ସେ ଆଣିଥିଲା ତମଠୁଁ ମୋଟେ ପଚାଶ ଟଙ୍କା ।’’

ଏତିକି କହି ଭିକାରୀଟି ଟିକିଏ ଥକ୍‌କା ହୋଇଗଲା । ବୋଧହୁଏ ତାର ଦମ୍‌ପାଇଲା ନାହିଁ । ମୁଣ୍ଡରେ ତାର କ୍ଷୀଣ ଝାଳବିନ୍ଦୁ ଦେଖାଗଲା । ଟିକିଏ ଆଖି ମୁଦି ରହି ପୁଣି କହିଲା-

‘‘ହଁ, ପଚାଶ ଟଙ୍କା ତା ପରେ... ପାଞ୍ଚବର୍ଷ ପରେ ପା...ଞ୍ଚ...ଶ...ଙ୍କା ।’’ ସେ କେବଳ ମୁହଁକୁ ବୋକା ପରି ଚାହିଁ ରହିଲା ।

ବସ୍‌ଡାକିଲା- ଭଁ...ଭଁ...ଭଁ, ଫଟ୍‌... ଫଟ୍‌... ଫଟ୍‌...

ସତେ ଯେପରି ବସ୍‌କୁ ମୋ ଜୋରରେ ମୁଁ ଅଟକାଇ ତା କଥା ଶୁଣିବି ଭାବି ପିଚା ତଳେ ଗଯିକି ମାଡ଼ି ବସିଲି । ସେ କହିଲା-ହଁ, ହଁ, ପାଞ୍ଚଶ ଟଙ୍କା । ବିଲ ବାଡ଼ି, ଘରଦ୍ୱାର ସବୁ ... ଦାଣ୍ଡରେ ବୁଲି ଭିକ ମାଗୁଛି । ତମକୁ ଖୋଜୁଥିଲି....

ବସ୍‌ଧୀରେ ଧୀରେ ଚାଲିଲା । ମୁଁ ମୁହଁ ବଢାଇ ପଛକୁ ଚହିଁଲି । ବସ୍‌ଚାଲିଲା - ଫଟ୍‌... ଫଟ୍‌... ଫଟ୍‌। ମତେ ଶୁଭିଲା - ପଟନାୟକେ, ପଟନାୟକେ, ପଟନାୟକେ ।

ଏହି ଘଟଣାର ଠିକ୍‌ ଦେଢବର୍ଷ ପରେ ଅନେକଥର ସେବାଟେ ଗଲି; କିନ୍ତୁ ‘ପଟନାୟକେ’ ଡାକ ସେପରି ଆଉ ଶୁଣିଲି ନାହିଁ। କେତେ କାନେଇଲି, କେତେ କାହାକୁ ଭୁଲରେ ଅପେକ୍ଷା କଲି, ପଇସାଟିଏ କାହା ଝୁଲିରେ ପକାଇଲି, ପକାଇ କେତେ ଥର ସନ୍ଦେହରେ ନାଁ ପଚାରିଲି; କିନ୍ତୁ ଦେଢବର୍ଷ ତଳର ସେହି ବ୍ୟାକୁଳ ପ୍ରାଣର ‘‘ପଟନାୟକ’’ଶବ୍ଦଟି ଆଉ ଶୁଣିଲି ନାହିଁ । ଦେଢବର୍ଷ ପରେ ଆସିକା ବସ୍‌ ଷ୍ଟେସନରେ ଆଉ ଗୋଟିଏ ଭିକାରୀ ସହିତ ଦିନେ ସାକ୍ଷାତ ହେଲା। ଦେଢବର୍ଷ ତଳେ ଜଣେ ମାଗୁଥିଲା ପଇସା, ଦେଢବର୍ଷ ପରେ ଏ ଯାଚୁଥିଲା ପଇସା । ଭିକାରୀ, ସେ ପୁଣି ଯାଚିବ ପଇସା ! ତାହାତରୁ ନେବ କିଏ ? କେହି ନିଅନ୍ତି ନାହିଁ, କେବଳ ଦୁଃଖ କରି କହନ୍ତି - ‘‘ଆହା, ଭାଗ୍ୟ ଇମିତି କରାଏ । ବସି ଖାଇଲେ ଯେ ସାତ ଜନ୍ମ ଖାଇବ, ସେ ଆଜି ଇମିତି । ପଟନାୟକେ ପାଗଳ ହୋଇଗଲେ । ପଟନାୟକେ ପାଗଳ ନ ହେବାକୁ ବାଟ କାହିଁ ? କେତେ ଲୋକର ତ ତୋଟି ଚିପିଥିଲେ, ତାଙ୍କରି ଭୂତ ଏବେ ୟାଙ୍କ ତଟି ଧରି ବାୟା କରେଇ ଦେଇଚି ।’’ ଆଉ କିଏ କହେ - ‘‘ଦେଖି ନ, ସୁବୁଦ୍ଧି ପରା ୟାଙ୍କରି ହେତୁ ବାୟା ହେଲା ଯେ, ଆଉ ଘରକୁ ଫେରିଲା ନାହିଁ । ୟାକୁ ଖୋଜି ଖୋଜି ସେ ସଂସାର ବୁଲୁଚି, ଆଜି ପୁଣି ଏ ତାକୁ ଖୋଜି ଖୋଜି ବାୟା । ସଂସାର ଯେ ଆତଯାତ କରାଉଚି ସେ କରେଇଚି ୟାକୁ ।’’

ପଟନାୟକ ନାଁ ଶୁଣି ମୋ ମନରେ ଦକା ପଶିଗଲା । ମୁଁ ତାର ହାତ ଆଡ଼କୁ ହାତ ପାତି ଦେଲି । ସେହି ଜରାଜୀର୍ଣ୍ଣ ଭିକାରୀଟି ମୋ ହାତକୁ ତରତରେ ପଇସା ପକାଇ ଦେଇ ହାତଟାକୁ ଧରି ପକାଇଲା । ତା’ପରେ ପାଗଳ ପରି ହସି ହସି କହିଲା-‘‘ଦେଖା ହେଲା, ଦେଖା ହେଲା । କିଛି ନେଇ ନାହିଁ, ସବୁ ରଖି ଦେଇଚି, ସୁବୁଦ୍ଧି ଯାଉଚ କୁଆଡ଼େ ?’’

କେତେବେଳେ ବସ୍‌ଛାଡ଼ିଲା, ଜାଣେ ନାଇଁ । କେତେବେଳେ ମୋ ହାତ ତା ହାତରୁ ଅଲଗା ହେଲା ଜ୍ଞାନ ନାଇଁ । ମୋ ଗନ୍ତବ୍ୟ ସ୍ଥଳ ସେଠାରୁ ପ୍ରାୟ ପଚିଶ ମାଇଲ ଦୂରରେ । ବସ୍‌ରୁ ଓହ୍ଲାଇ ଚାରିଆଡ଼କୁ ଚାହିଁଲି । ଦେଖିଲି ମୋ’ରି ବୁକୁ ଭିତରେ ଦେଢ଼ବର୍ଷ ତଳର ସୁବୁଦ୍ଧି ଓ ଘଣ୍ଟାକ ତଳର ପଟନାୟକ ପରସ୍ପରକୁ ଚିହ୍ନିପାରିଛନ୍ତି । ଦେଖିଲି ଜଣେ ହତାଶ ପ୍ରାଣରେ ଚାଲିଯାଉଚି, ଜଣେ ଅନୁତାପରେ ତାକୁ ଟାଣିଧରୁଚି । ଦୁଇଟି ବ୍ୟଥାତୁର ପ୍ରାଣ ସମାନ ତାଳରେ ମୋ ଭିତରେ ନୃତ୍ୟ ଆରମ୍ଭ କରିଛନ୍ତି । ତା ପରେ ଦିଶିଲା-ପାହାଡ଼, ପର୍ବତ, ଜନସ୍ରୋତ, ହାଟ, ବଜାର; କିନ୍ତୁ ସୁବୁଦ୍ଧି ଓ ପଟନାୟକ କାହାନ୍ତି ?

ଧନଧାନ୍ୟପୂର୍ଣ୍ଣ ବସୁନ୍ଧରାର ଗୋଟିଏ ଧନୀ ଓ ଗୋଟିଏ ଗରିବର ନିଷ୍ଠୁର ଖେଳ, ଗୋଟିଏ ମହାଜନ ଓ ଗୋଟିଏ ଖାତକର ନିର୍ମମ ଲୀଳାର ଇତିହାସର ପୃଷ୍ଠାଏ ଏ । ସେ ଅତ୍ୟାଚାରୀ ଓ ଅତ୍ୟାଚାରିତର ଭଙ୍ଗୁର ଶରୀରକୁଆଡ଼େ ଧୂଳି ହୋଇଗଲାଣି; ତଥାପି ସେ କରୁଣ ଧ୍ୱନି ମୋ ହୃଦୟରେ ବେଳେବେଳେ ପ୍ରତିଧ୍ୱନିତ ହେଉଛି- ପଟନାୟକେ, ପଇସାଟିଏ !

 

ଏ ମଣିଷକୁ ପଥର କଲା କିଏ ?

 

ଧ୍ୟାନମଗ୍ନ ଋଷିପରି କେତେ ଯୁଗରୁ ସେ ପାହାଡ଼ଟା ଠିଆହୋଇଛି, ତା’ର ଇତିହାସ କେହି ଜାଣନ୍ତି ନାହିଁ । କେବେ ପ୍ରଥମେ ପାହାଡ଼ ଉପରେ ପଥର ଜମାଟ ବାନ୍ଧିଲା, କେବେ ପ୍ରଥମେ ତା’ର ତରୁଲତା ଦେହରେ ଶ୍ୟାମଳ ପତ୍ର ଦେଖାଗଲା, ଫୁଲଫୁଟି ହସିଲା, ସେ କଥା ମଧ୍ୟ କେହି କହିପାରିବେନାହିଁ । ସେ ଭିତରେ ବଣଜନ୍ତୁ ବସାବାନ୍ଧି ରହିଲେ, ପକ୍ଷୀ ଗୀତ ଗାଇଲେ, ବର୍ଷା ତା’ର କପାଳ ଧୋଇଦେଲା, ସୂର୍ଯ୍ୟ ଚନ୍ଦ୍ର ତାରା କେତେବେଳେ କେତେ ବେଶ ତାକୁ ପିନ୍ଧାଇ- ଦେଲେ, ସେ କଥା ପାହାଡ଼ କେବଳ ଜାଣେ ।

ଏ ହେଉଛି ମଧୁପୁର ଗଡ଼ ପର୍ବତର ଅତି ଗୋପନୀୟ କଥା । ଏ କଥା କେହି ଜାଣିନାହାନ୍ତି କି କେହି ଜାଣିପାରିବେ ନାହିଁ ମଧ୍ୟ ।

ଏହାପରେ ଯାହା ଘଟିଲା, ତାହାହିଁ କୁହାଯାଉଛି ।

ପାହାଡ଼ତଳି ଜଙ୍ଗଲ- ଦିଗ୍‌ଦିଗନ୍ତଧରି ତା’ର ସୀମା କେତେଦୂର ଯେ ବ୍ୟାପିରହିଛି, ତା’ର ଠିକଣା ନାହିଁ । ସୃଷ୍ଟି ଆଦ୍ୟରୁ କେବେ ସେଠାରେ ମାନବର ପାଦ ପଡ଼ିଥିଲା କେଜାଣି, ମାତ୍ର ହଠାତ୍‌ ଦିନେ ଟମକ ବଜାଇ କେତେ ଜଣ ଲୋକ ଆସି ପାହାଡ଼ ତଳଟାକୁ ମାପିଦେଇ ଗଲେ । ବଣଜନ୍ତୁ ଚମକି- ଉଠିଲେ...ଗଛପତ୍ର ପବନରେ ଢଳିଢଳି କି ଅବ୍ୟକ୍ତ ଭାଷାରେ କୁହାକୁହି ହେଲେ-‘‘ଏ ରାଜ୍ୟରେ ପୁଣି ଏ କ’ଣ ?’’

କିଛି ଦିନ ଗଲା । ଦେଖୁ ଦେଖୁ ମୂକ ଜଡ଼ ତରୁଗୁଡ଼ାକ କାଠୁରିଆର ପ୍ରଚଣ୍ଡ କୁଠାରାଘାତରେ ବନଭୂଇଁକୁ ଭୟତ୍ରସ୍ତ କରିଦେଇ ଗୋଟିକ ପରେ ଗୋଟିଏ ଢଳିପଡ଼ିଲେ । ଅଳ୍ପ କେତେ ଦିନ ଭିତରେ ପାହାଡ଼ତଳର ଭୀଷଣ ଦୁର୍ଭେଦ୍ୟ ଜଙ୍ଗଲ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହେଲା । ଉଦ୍‌ଗତଯୌବନ ବାଳବିଧବାର ଶାନ୍ତସ୍ନିଗ୍‌ଧ ବେଶଟି ପରି ଶ୍ୟାମଳ କୋମଳ ଲତା- ପଲ୍ଲବରେ ତାହା ବିଚିତ୍ର ଶ୍ରୀ ଧାରଣ କଲା । ବନରାଜ୍ୟରେହାହାକାର ପଡ଼ିଗଲା-

ମାନବର ଅତ୍ୟାଚାର ! ମାନବର ଅତ୍ୟାଚାର !!

ଦେଖୁ ଦେଖୁ ମାନବର ଅତ୍ୟାଚାର ଭୀଷଣରୁ ଭୀଷଣତର ହେଲା । ସେ ରାଜ୍ୟରେ କାହାର ଡାଳ ହଣାହେଲା, କାହାର ମୂଳ ତଡ଼ାଗଲା, କାହାର ବା ଶୁଣ୍ଡ କାଟି ତାକୁ ଶ୍ରୀହୀନ ଥୁଣ୍ଟା ଆକାରରେ ଛାଡ଼ି ଦିଆଗଲା । ଖାଲି ସେତିକି ନୁହେଁ, ଜଙ୍ଗଲବାସୀ ଜୀବଗଣଙ୍କୁ ଗୁଳି, ଶର, ଖଣ୍ଡାବଳରେ ଲୋପ କରିବାର ଚେଷ୍ଟା ହେଲା ।

ପାହାଡ଼ ସବୁ ଦେଖିଲା, ସବୁସହିଲା; ମାତ୍ରମୂକ – କରିବ କ’ଣ ?

ଏହା ପରେ... ପର୍ବତର ବୁକୁ ଭିତରକୁ ଲୁହାର ଶାବଳ ଭର୍ତ୍ତିକରି ତାକୁ ଖଣ୍ଡ ଖଣ୍ଡ କରିବାର ଉଦ୍ୟମ ହେଲା । ଗୋଟା ଗୋଟା ପଥର, ଶଗଡ଼ ଶଗଡ଼ ରଙ୍ଗମାଟି, କେତେ ଗୋଡ଼ି, କେତେ ମାଟି ଧୂଳି ଦିନକୁ ଦିନ ପାହାଡ଼ତଳି ଅଞ୍ଚଳକୁ ବୁହାହୋଇ ଆସିଲା । ସବୁଆଡ଼େ ରାଷ୍ଟ୍ର ହେଲା-ନଅର ତୋଳାହେବ, ନଅର ତୋଳାହେବ !

ଏଥିରେ ବନବାସୀ ଜୀବଜନ୍ତୁ, ତରୁଲତାଙ୍କର ଦୁଃଖର ସୀମା ନାହିଁ; ପୁଣି ଅତ୍ୟାଚାରରେ ତ ମାନବଜାତିର ଆନନ୍ଦର ସୀମା ନାହିଁ । ସୃଷ୍ଟିର ଏହି ଭଙ୍ଗାଗଢା ଲୀଳା ଭିତରେ ସ୍ୱର୍ଗର ଦେବତା ବା ନରକର ପିଚାଶ ତୃପ୍ତି ଲାଭ କରିଥିବେ, କହିହେଉନାହିଁ।

ଏହିପରି ଚାଲିଲା...

କେତେ ଦିନ ଚାଲିଲା ଠିକ୍‌ନାହିଁ ।

ରାଜନଅର ତୋଳାହେଲା । ପର୍ବତର ବୁକୁ ଫଟାଇପଥର କଟାହେଲା, ସୁନ୍ଦର ଉଆସ- ସେ ଭିତରେ ଦୀପମାଳା, ସେ ଭିତରେ ଅପୁର୍ବ ସାଜସଜ୍ଜା, ସେ ଭିତରେ ବିଳାସପ୍ରିପ୍ତ କୀର୍ତ୍ତିଲିପ୍‌ସୁ ମାନବଗଣ ! ଆଉ କ’ଣ ସେ ଭିତରେ ରାଜା ରହିଲେ, ସେ ଭିତରେ ରାଣୀ ରହିଲେ । କେତେ ଆନନ୍ଦ ଉତ୍ସବ, କେତେ ବାଇଦ ବାଜଣା...ମର୍ତ୍ତ୍ୟର ମରୁଭୂମିରେ ସ୍ୱର୍ଗର ଅମରାବତୀର ଛାୟା ପଡ଼ିଲା । ଏହାରି ନାଁ ହେଲା ମଧୁପୁରଗଡ଼, ଆଉ ଏହି ପର୍ବତଖଣ୍ଡକର ନାଁ ହେଲା ‘ଗଡ଼ପର୍ବତ’ !

ଜଙ୍ଗଳ କାଟି, ପାହାଡ଼ ଭାଙ୍ଗି ଗଡ଼ ସିନା ତିଆରି ହେଲା , ସେ ଭିତରେ ମାନବର ଲୀଳାଖଳା ସିନା ଚାଲାଲା; ମାତ୍ର ଗଡ଼ କାମ ଶେଷ ହେଲାନାହିଁ । ପୁଣି ଘର, ପୁଣି ପାଚେରି, ପୁଣି ଦେବମନ୍ଦିର.. ପ୍ରସ୍ତାବ ପରେ ପ୍ରସ୍ତାବ, କଳ୍ପନା ପରେ କଳ୍ପନା, ଏସବୁ ରାଜକଳ୍ପନାକୁ କିଏ କଳନା କରିବ ?

ଗଡ଼ରେ ପ୍ରଜା ରହିଲେ, ଉଆସ ଭିତରେ ରାଜା ରହିଲେ; ମାତ୍ର ସେହି ଦରଭଙ୍ଗା ପାହାଡ଼ଟା ଭିତରେ କିଏ ରହିଲା; ସେ କଥା କେହି ହେଲେ ଦିନେ ବିଚାରିଲେ ନାହିଁ ।

ଜଙ୍ଗଲ ଥଲା- ଗଡ଼ ହେଲା, ପାହାଡ଼ ଥିଲା- ତା’ର ବୁକୁ କଟାହେଲା, ରାଜା ଆସିଲେ-ରାଜା ଗଲା; ତଥାପି ଗଡ଼ରେ ଘରତୋଳାର ବରାମ ହେଲା-ନାହିଁ । ବୁଢ଼ା ରାଜା ମଲେ, ଯୁବରାଜ ରାଜସିଂହାସନରେ ବସିଲେ, ପୁରୁଣା ଦେବାନ ଯାଇ ନୂଆ ଦେବାନ ହେଲେ, ଏ ବର୍ଷ ଯାଇ ଆରବର୍ଷ, ତା’ ଆର ବର୍ଷ, ଏହିପରି କେତେ ବର୍ଷ କଟିଗଲା; ମାତ୍ର ଗଡ଼ପର୍ବତର ବୁକୁ ଯେପରି ଭାବରେ ଫିଟାଯାଉଥିଲା ସେହିପରି ଫଟାଗଲା । ସେହିପରି ସକାଳୁ ସନ୍ଧ୍ୟାଯାଏ ହାତୁଡ଼ିର ଠକ୍‌ଠକ୍‌ଶବ୍ଦ, ପଥରଗଡ଼ାର ଘଡ଼ଘଡ଼ ଶବ୍ଦ ବରାବର ଶୁଣାଗଲା; ମାତ୍ର ରାଜା ଦିନେହେଳଷ ପଚାରିଲେ ନାହିଁ-କିଏ ସେ ପଥର କାଟୁଛି, କିଏ ବା ସେ ପଥର ଗଡ଼ାଇ ବଡ଼ବାସୀଙ୍କୁ ଚମକାଇ ଦେଉଛି !

ଭୀମ ଦାସ ଜନ୍ମରେ ମନୁଷ୍ୟ, ଜାତିରେ ଚଷା, ବ୍ୟବସାୟରେ ଫଥରକଟା । ବୟସ ତା’ର ଅଶୀକି ପାଖାପାଖି । ଘର ତା’ର ଜଙ୍ଗଲ, ଖାଦ୍ୟ ତା’ର ଜଙ୍ଗଲ, ଖାଦ୍ୟ ତା’ର ଜଙ୍ଗଲର ଫଳମୂଳ ।

ଭୀମ ଦାସ ଇତିହାସ ସଙ୍ଗେ ମଧୁପୁରଗଡ଼ର ଇତିହାସର ଏତେ ସମ୍ପର୍କ ଯେ ଗଛରୁ ହାଳପତ୍ର ବଳକା କାଢି ତାକୁ ଗଛ ବୋଲି କୁହାଯାଇପାରେ; ମାତ୍ର ଭୀମ ଦାସକୁ ବାଦ୍‌ଦେଲେ ମଧୁପୁରଗଡ଼ର ଇତିହାସ କହିହେବନାହିଁ ।

ଯେଉଁ ଦିନ ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କୁ ଭୟତ୍ରସ୍ତ କରି ସର୍ବପ୍ରଥମେ ରାଜଟମକ ବାଜିଲା, ସେହି ଦିନ ଭୀମ ଦାସ ଟମକ କାଠି କାଟି ଟମକଦିଆ ହାଡ଼ି ହାତକୁ ବଢାଇଥିଲା । ତା’ପଉରେ ଗଛ କଟାହେଲା । ଭୀମ ଦାସର ପ୍ରଥମ ଚୋଟ ଗଛଦେହରେ ବଜିଥିଲା, ପ୍ରଥମ ପଥରଖଣ୍ଡ ସେ ତାଡ଼ିଥିଲା । ମଧୁପୁର ଗଡ଼ପର୍ବତର ଅନ୍ଧାରିଆ ଗହ୍ୱର ଭିତରେ ପ୍ରଥମ ମାନବସ୍ୱର ସେହି ଭୀମ ଦାସ କେବଳ ଶୁଣାଇଥିଲା । ସେ ସେହିଠାରେ ପ୍ରଥମେ ହସିଥିଲା, ସେହିଠାରେ ପ୍ରଥମେ ଗୀତ ବୋଲିଥିଲା । ତାକୁ ସେଠାରେ ମାନବ କୁହାଯାଇପାରେ, ପଥର କୁହାଯାଇପାରେ, ତରୁଲତା କୁହାଯାଇପାରେ-ଏପରିକି ପର୍ବତ ଭିତରେ ସେ ଏକ ପର୍ବତ ବୋଲି କୁହାଯାଇପାରେ !!

ରାଜପୁରୀ, ଦେବମନ୍ଦିର, ନଅର, ଉଆସ, ବିହାର, ଉଦ୍ୟାନ କୌଣସିଠାରେ ଏପରି ଖଣ୍ଡିଏ ହେଲେ ପଥର ନାହିଁ, ଯେଉଁଥିରେ କି ଭୀମ ଦାସର ହାତ ବାଜିନାହିଁ । ପ୍ରତି ପଥରଖଣ୍ଡ ସେ ନିଜର ହତିଆର ସାହାଯ୍ୟରେ ତାଡ଼ିଛି । ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ଦୀର୍ଘ ଷାଠିଏ ବର୍ଷକାଳ ଖରା ସହି, ଶୀତ ଭୋଗି, ବର୍ଷା ଖାଇ ସେ ପର୍ବତକୁ ରମଣୀୟ ଉଆସରେ ପରଇରତ କରିଛି-ଅକର୍ମା ଶିଳାକୁ ଅଭିନବ ବେଶରେ ସଜାଇପାରିଛି । ଆଉ ସେ ନ କରିଛି କ’ଣ ?

ଏହି ଦୀର୍ଘ ଷାଠିଏ ବର୍ଷ ଭିତରେ କେତେ ଲୋକ ମଧୁପୁରଗଡ଼ରେ ଜନ୍ମ ହେଲେ, କେତେ ପୁଣି ଜନ୍ମ ଜରା ବ୍ୟାଧିର ସୀମା ପାରହୋଇଗଲେ, କେତେ ବା ବିଳାସ ବିହାରରେ ଲୋକଲୋଚନକୁ ଚମକାଇ ଦେଇ କୁଆଡ଼େ ଉଭେଇଗଲେ, କେତେ ପୁଣି ଦ୍ୱାରେ ଦ୍ୱାରେ ଭିକ ମାଗି ଅନ୍ଧାର ରାତିରେ ବାଟ ନ ପାଇ ହାହାକାରରେ ଅନାହାରରେ ଅବିଚାରରେ ଏ ବିଶ୍ୱ-ଜଗତର ସକଳ ସମ୍ୱନ୍ଧ ତୁଟାଇଦେଇ ଗଲେ... କିନ୍ତୁ ଭୀମ ଦାସ ଏକାପରି ବସିଛି । ସେ ସକାଳୁ ଉଠି ପିଠିକୁ ଖରାକୁ ଦେଖାଇ ପଥର ତାଡ଼ୁଛି...ତାଡୁ ତାଡୁ ବେଳ ବୁଡ଼ିଯାଉଛି । ପନ୍ଦର ବର୍ଷ ବୟସର ତା’ର ଘନକୃଷ୍ଣ କେଶଗୁଚ୍ଛ, ଚିକ୍‌କଣ ଶରୀରକାନ୍ତି, ଆରକ୍ତ ଅଧରତଳ, ବିମଳ ଲୋଚନଜ୍ୟୋତି, କୋମଳ ବଚନ, ନିରଳସ ଚାଲି, ନିରାଭରଣ ବେଶ ସବୁ କୁଆଡ଼େ ଓଲଟପାଲଟ ହୋଇଯାଇଛି । ଭୂମିକମ୍ପରେ ପର୍ବତ ସମୁଦ୍ର ହୋଇ ସମୁଦ୍ର ପର୍ବତ ପାଲଟିଗଲାପରି ଭୀମ ଦାସର ଜୀବନଟା ଏକ ଅଦ୍ଭୁତ ଭାବରେ ବଦଳିଯାଇଛି । ସେ ଚାହୁଁଛି; କିନ୍ତୁ କିଛି ଦେଖୁନାହିଁ- ସେ କାମ କରୁଛି; କିନ୍ତୁ କିଛି ହେଲେ ଜାଣିପାରୁନାହିଁ- ସେ ରାତିରେ ନିଦରେ ଶୋଉଛି । ମାତ୍ର ଯୌବନର ସ୍ୱପ୍ନ ଦେ୍ଖୁ ନାହିଁ- ସେ ଦିନରେ ବାଟ ଚାଲୁଛି; ମାତ୍ର କାହାକୁ ପଥ ପଚାରୁନାହିଁ ।

ଏ ଗଲା ଭୀମ ଦାସର କଥା । ତେଣେ ରାଜ ଉଆସରେ ଘୋର ପରିବର୍ତ୍ତନ । ରାଜା ଆସି ରାଜା ଗଲେ- ବୁଢ଼ା ରାଜା ପରେ ଯୁବରାଜ ରାଜଗାଦିରେ ବସିଲେ । ସେଠାରେ ମଧ୍ୟ ପରିବର୍ତ୍ତନର ସୀମା ସ୍ଥିର ରହିଲାନାହିଁ । ଏତେ ଘନଘନ ପରିବର୍ତ୍ତନ ଭିତରେ ଦିନେହେଲେ କିଏ ସେହି ପଥରକୋରଡ଼ବାସୀ ଭୀମ ଦାସ କଥା ମନେପକାଇ ନଥିଲେ । ଦିନେ ପଥରକଟାର ଠକ୍‌ଠକ୍‌ଶବ୍ଦରେ ଉଆସ ଭିତର ଚମକ ପଶିଲା, ରାଜାଙ୍କ ପାହୁଡ଼ ବ୍ୟାଘତ ଲାଗିଲା, ସଙ୍ଗେ ସଙ୍ଗେ ଆଦେଶ ଦେଲା-‘‘ଏ ଠକ୍‌ଠକ୍‌ଶବ୍ଦ ବନ୍ଦ କରାଅ-ବନ୍ଦ କରାଅ ।’’

ନାଲିପଗଡ଼ିବନ୍ଧା ହୁଦାପିନ୍ଧା ପାଇକ ଯାଇ ବନବାସୀ ଭୀମ ଦାସ ପିଠିରେ ଚାବୁକ ଦେଇ କହିଦେଇ ଆସିଲେ-‘‘ପାହୁଡ଼ ବେଳ, ପାହୁଡ଼ ବେଳ- କାମ ବନ୍ଦ କର ବନ୍ଦ କର !’’

ଦିନେ ନୁହେଁ, ଦୁଇଦିନ ନୁହେଁ, ମାସେ ଦି’ ମାସ ମଧ୍ୟ ନୁହେଁ, କେତେ ବର୍ଷ ଏହିପରି ଚାଲିଲା । ଏହିପରି ନଅର ଭିତରେ ପାହୁଡ଼ ହୁଏ, ଏହିପରି ପର୍ବତ ଭିତରେ ଶବ୍ଦ ହୁଏ, ପୁଣି ଏହିପରି ମନା ମଧ୍ୟ ହୁଏ- ତଥାପି ପଥରକଟା ବନ୍ଦ ହୁଏନାହିଁ ।

ଠିକ୍‌ପଚାଶ ବର୍ଷ ପରେ ଦିନକର ଘଟଣା । ରାଜା ବାହାରିଲେ ପାରିଧିକି । ବାପା ଯେଉଁ ଜଙ୍ଗଲରେ ପ୍ରଥମେ ପଶିବାକୁ ସାହାସ ନ କରି ଟମକ ଦିଆଇ ଗଛପତ୍ର କଟାଇଥିଲେ, ନାତି ସେହି ଭିତରେ ନିର୍ଭୟରେ ଏକାକୀ ବିଚରଣ କଲେ । ପର୍ବତ ଦେଖିଥିଲା ଦିନେ ସେ ଦୃଶ୍ୟ- ଦେଖିଲା ପୁଣି ଦିନେ ଏ ଦୃଶ୍ୟ ! ସେ ହସିଲା କି କାନ୍ଦିଲା, ଜାଣିହେଲାନାହିଁ । କେବଳ ପବନର ସାଇଁସାଇଁ ଶବ୍ଦରେ ତା’ ବୁକୁ ଭିତରର କି ଗୋପନ କଥା ସେ ସଂସାରରେ ଶୁଣାଇଦେଲା । ସେତେବେଳକୁ ଭୀମ ଦାସ କିଛି ବାକି ରଖିନାହିଁ; ଏକାହାତକେ ପର୍ବତର ଦେହଟାଯାକ ଗାତ କରିପକାଇଛି !

ଗାତ ପରେ ଗାତ, ଗୁହା ପରେ ଗୁହା, କୁଞ୍ଜପରେ କୁଞ୍ଜ ପାରହୋଇ ରାଜା କ’ଣ ଖୋଜିବାରେ ଲାଗିଲେ । କ୍ଷୁଦ୍ର ପକ୍ଷୀଟିଏ ସୁଦ୍ଧା ଆଖିରେ ପଡ଼ିଲାନାହିଁ । କେବଳ ଦୂରରେ ଶୁଭିଲା-ଠକ୍‌ଠକ୍‌ଠକ୍‌!

ରାଜା ସେହି ଶବ୍ଦ ଲକ୍ଷ୍ୟରେ ଯାଇ ଠାଏ ଦେଖିଲେ- ଗୋଟିଏ ପଥରଗଦା ପାଖେ ଏକ ଅଶୀ ବର୍ଷର ଅସ୍ଥି-ଚର୍ମର ଏକ ଗଦା ସତେ ଅବା ଥୁଆ- ହୋଇଛି. . .ଭୀମ ଦାସ ଭୀମକର୍ମା ବୃକୋଦର ପରି ପଥର ବୁକୁ ଫଟାଇବାରେ ଲାଗିଛି ।

ରାଜା ତା’ର ପଛରେ ଠିଆହେଲେ, ସେ ବୁଲି ଚାହିଁଲାନାହିଁ । କଡ଼ ବୁଲି ପାଦଶବ୍ଦ କଲେ, ଟକିଏ ହେଲେ ସେ ହଲଚଲ ହେଲାନାହିଁ । ଆଗରେ ଆସି ଠିଆହେଲେ, ମୁଣ୍ଡ ସୁଦ୍ଧା ସେ ଟେକିଲାନାହିଁ ।

ଶେଷରେ ରାଜା ପଚାରିଲେ - ‘‘ଶୁଣୁଛ ?’’

ଭୀମ ଦାସ ମୁହଁ ଟେକିଲା ।

-‘‘କ’ଣ କରୁଛ ?’’

-‘‘ପଥର କାଟୁଛି ।’’

-‘‘ଏ ବୟସରେ ?’’

-‘‘ବୟସ କ’ଣ !’’

-କେତେ ବର୍ଷ ହେଲା ?’’

-‘‘ମୁଁ ଜାଣେନାହିଁ ।’’

ପାଖ ଲୋକେ ପହଞ୍ଚିଗଲେ । ରାଜା ଆଦେଶ ଦେଲେ- ‘‘ଏ ଲୋକକୁ ଉଆସକୁ ନେଇ ଚାଲ ।’’

ଉଆସ ଭିତରେ ଭୀମ ଦାସ ପାଇଁ ସ୍ୱତନ୍ତ୍ର ଘର ଠିକ୍‌ହେଲା । ନୂଆ ଲୁଗା ଅଣାଗଲା; ନୂଆ ଖଟ ତା’ ପାଇଁ ତିଆରି ହେଲା । ତା’ ପାଇଁ ଚାକରବାକର ରହିଲେ । ତାକୁ ରାଜସମ୍ମାନ ଦେଖାଗଲା ଏବଂ କହିଦିଆଗଲା -‘‘ଏ ମଧୁପୁରଗଡ଼ ତୁମରି ହାତରେ ତିଆରି । ତୁମେ ଏବେ ବିଶ୍ରାମ ନିଅ ।’’

ଭୀମ ଦାସ କିଛି ବୁଝିପାରିଲା ନାହିଁ; ଖାଲି ପଦେ ମାତ୍ର କହିଲା - ‘‘ପଥର କାହିଁ ?’’

ସେହି ପଳିତକେଶ ଗଳିତଦନ୍ତ ବୃଦ୍ଧର ମୁହଁକୁ ଚାହିଁ ରାଜା କହିଲେ-‘‘ପଥର ! ପଥର କ’ଣ କରିବ ? ଏଇ ଯେ ତୁମର ପଥର ଘର । ଆଉ ପଥରା ଲୋଡ଼ା ନାହିଁ ।’’

ଭୀମ ଦାସ କ’ଣ ବୁଝିଲା କେଜାଣି, ଭୋ-କିନି କାନ୍ଦିଉଠିଲା । ତା’ ପରେ ସେହି ଘରର ପଥର ଚଟାଣଟାକୁ କୁଣ୍ଢାଇ ଧଇଲାପରି ପଡ଼ିଯାଇ କହିଲା - ‘‘ପଥର ! ପଥର !! ମୋ ପଥର !!!’’

ସକାଳୁ ଦେଖାଗଲା, ଭୀମ ଦାସ ସେ ଘରେ ନାହିଁ । ରାଜା ଅବାକ୍‌ହୋଇ ପୁଣି ସେହି ପର୍ବତଗୁହା ଆଡ଼କୁ ଚାଲିଲେ । ଏ ଗହ୍ୱର, ସେ କୁଞ୍ଜ, ଏ ତରୁତଳ, ସେ କନ୍ଦରା, କେତେ କୁଆଡ଼େ ଖୋଜି ଖୋଜି ଯାଇ ଦେଖିଲେ ଭୀମ ଦାସ ଠାଏ ବସି ତା’ର ପଥରକଟା ହତିଆର ସବୁ ସଜାଡ଼ିବାରେ ଲାଗିଛି । ରାଜାଙ୍କୁ ଆଗରେ ଦେଖି ସେ ଚମକିଲାନାହିଁ କି ସମ୍ମାନ ଦେଖାଇବା ପାଇଁ ଉଠି ଠିଆହେଲାନାହିଁ ।

କେତେ ସମୟ ନୀରବରେ ଠିଆହେବାପରେ ରାଜା ମନକୁ ମନ ଅତର୍କିତରେ ପ୍ରଶ୍ନ କଲେ -

‘‘ଏ ମଣିଷକୁ ଏପରି ପଥର କଲା କିଏ ?’’

ପର୍ବତର ପାଦତଳୁ ଶିଖରଦେଶ ପର୍ଯ୍ୟନ୍ତ ସେହି ଏକା ତାନ ପ୍ରତିଧ୍ୱନିତ ହୋଇ ଉଠିଲା-କିଏ-କିଏ-କିଏ ? ପ୍ରତି ପଥରଖଣ୍ଡ, ପ୍ରତି ତରୁଲତା ପତ୍ରପୁଷ୍ପ, ପ୍ରତି ଧୂଳିକଣା ସତେ ଅବା ରାଜାଙ୍କୁ ଉପହାସରେ ଉତ୍ତର ଦେଲେ - କିଏ - କିଏ - କିଏ ?

ରାଜା ବିହ୍ୱଳରେ ସେହି ପ୍ରତିଧ୍ୱନିକୁ ପ୍ରତିଧ୍ୱନି ବୋଲି ମନେ ନକରି ସେହି ‘କିଏ’ର ଉତ୍ତର ଦେଲେ - ‘‘କିଏ ? ମୁଁ ରାଜା ।’’

ଏତେ ସମୟ ପରେ ଭୀମ ଦାସ ରାଜାଙ୍କୁ କୁଣ୍ଢାଇ ପକାଇ, ତା’ର ସେହି ଶୁଖିଲା ଆଖି, ହାଡ଼ୁଆ ମୁହଁକୁ ଦେଖାଇ କହିଲା-‘‘ରାଜା ! ମୋ ରାଜା ! ଯେ ମୋତେ ପଥର କାଟିବାକୁ ଆଦେଶ ଦେଇଥିଲେ, ସେହି ମୋର ରାଜା !’’

ଜୀବନଟାକୁ ପଥର କରିବା ଭିତରେ ସେ ରାଜାଙ୍କୁ କେବେହେଲେ ଦେଖି ନଥିଲା ପରି ନିବିଡ଼ଭାବରେ ଜାକିଧରି ପୁଣି ଥରେ ଚିତ୍କାର କଲା - ‘‘ରାଜା, ରାଜା, ରାଜା, ।’’

ପର୍ବତରେ ପ୍ରତିଧ୍ୱନିର ଶେଷ ଶବ୍ଦ ଶୁଭିଲା - ‘‘ହାଃ - ହାଃ - ହା - ଆ -’’

ସେ ବୋଧହଏ ରାଜାଙ୍କ ପ୍ରଶ୍ନର ଉତ୍ତର । ପର୍ବତ ଉପହାସ କଲା ।

 

ଦୁଇଟି ଦିନ

(୨)

ଭାଇଗା ଦିନେ ଘରୁ ବାହାରିଗଲା; ପୁଣି ଦିନେ ଫେରିଆସିଲା । ଏ ମଧ୍ୟରେ ଗୋଟିଏ କ୍ଷୁଦ୍ର ଜୀବନର ଦୁଃଖମୟ କାହାଣୀ ଲୁଚିରହିଚି ।

କନକନିଆ ଶୀତ-ରାତିର ଶେଷ ପ୍ରହରରେ ତରୁ ପତ୍ରଗହଳରୁ ଯେତେବେଳେ କାକରେ ଝରୁଥିଲା, ସେହି-ପରି ଅସମୟରେ ପ୍ରତାପପୁର ଗାଁର ପୂର୍ବତଟରେ ଦି’ ଚାରିଟା କୁକୁର ଏକାବେଳକେ ଭୁକିଉଠିଲେ । ସେ ଶବ୍ଦ ଶୁଣି କୁଡ଼ିଆ ଭିତରେ କାହିଁ ହୁଏତ ମାଆ କୋଳରେ ପିଲା ଚମକିଥିବ, ରୋଗୀ ଶେଯରେ ପଡ଼ି ନିତାନ୍ତ ବିରକ୍ତ ହୋଇଥିବ, ସରବରାକାରଙ୍କ ସୁଖନିଦ୍ରା ଭାଜିଯିବାଫଳରେ ସୁକୋମଳ ରେଜେଇ ଉପରେ କଡ଼ ଲେଉଟାଇ ସେ କୁକୁରବଂଶକୁ ଅଭିଶାପ ଦେଇଥିବେ; କିନ୍ତୁ କୁକୁର ଯାହାକୁ ଦେଖି ଭୁକିଲେ ସେ କିଛି ବିଚଳିତ ହେଲାନାହିଁ । ଗଛଗହଳ ତଳେ, ଛାଇଛାଇଆ ଅନ୍ଧାର ଭିତରେ ପ୍ରେତପରି ସେ ଚାଲିଗଲା । ତା କାନପାଖେ ଥଣ୍ଡା ଉତ୍ତରା ପବନ ସାଇଁସାଇଁ ବହିଯାଉଥିଲା । ଅବାଟ ବାଟରେ ପାଦ ତଳେ ଗୋଡ଼ି ଗଳିଯାଉଥିଲା । କାହା ପ୍ରତି ତାର ଲକ୍ଷ୍ୟ ନଥିଲା । ଦେହରେ ତାର ଖଣ୍ଡେ ଲୁଗା । ସେଥିରୁ କାନିଏ ପିନ୍ଧି ଆର କାନିରେ ପିଠିର ଦଶପଣ ଆବୃତ କରିଥିଲା । ସତର ବର୍ଷର ସୁପରିଚିତ ଗାଁଟିକୁ ଛାଡ଼ି ସେ ଯେଉଁ ପ୍ରତରୂପୀ ମାନବଛାୟାଟି ଧୀରେ ଧୀରେ ଦୂର ଲକ୍ଷ୍ୟରେ ଚାଲିଗଲା, ସେଇ ହେଉଚି ଭାଇଗା ।

ଭାଇଗା ଗଲା ବିଦେଶକୁ ଟଙ୍କା ଅରଜି ନୁହେଁ, ପେଟ ପୋଷି । ଯିବା ଆଗରୁ ସେ କେତେ ଦିନ କେତେ ରାତି କେତେ ଥର ଘରୁ ଗୋଡ଼ କାଢ଼ିଥିଲା, ପୁଣି କେତେ ଥର ଫେରିଆସିଥିଲା । ପୁରୁଣା ଘରଖଣ୍ଡକର ମାୟା, ପରିଚିତ ରାସ୍ତାଘାଟର ମମତା, ଗାଁର ଆକର୍ଷଣ ସବୁ ଏଡ଼ି ସେ ଯାଇପାରିଥାନ୍ତା; ମାତ୍ର ତାହା ଭିତରେ ଯେ ତାର ମା’ ଥିଲା, ତାକୁ ସେ ସହଜରେ ଛାଡ଼ିପାରୁ ନଥିଲା । ଯିବ ଯିବ ବୋଲି କେତେ ଥର ବସି ଭାବିଥିଲା, କେତେ ଥର ଉଠି ମୂକ ହୋଇ ଠିଆହୋଇଥିଲା, ନିରାଶ ପ୍ରାଣରେ କେତେ ଥର ମାଆ ପାଖେ ବସି କାନ୍ଦିଥିଲା । କେତେବେଳେ ବା କି ମଧୁର ସ୍ୱପ୍ନ ଦେଖି ହସି ହସି ମାଆକୁ କହିଥିଲା - ‘‘ମାଆ, ରାମିଆ ଅଇଲା ରେଙ୍ଗୁନରୁ ଯେ, ବିଶେ ସୁନା ଆଣିଛି ବୋଲି ଲୋକ କହୁଛନ୍ତି । ମୁଁ ଗଲେ ପାଏ ଆଣିପାରିବି ନାହିଁ? ମାଠୁଁ କଣ ସେ ବଡ଼ ପାରିବାର?’’ ମାଆ ତା କଥା ଶୁଣି ଆଖିରୁ ଲୁହ ଗଡ଼େଇ କହେ - ‘‘ବଡ଼ ହେଲେ ଯିବୁ ରେ ବାବୁ; ବିଶେ କିଆଁ, ପାଞ୍ଚ ବିଶା ଆଣିବୁ ।’’ କେବେ କେବେ ଭାଇଗା ଶୋଇବା ଶେଯରେ ବାଉଳି ହୋଇ କହେ - ‘‘ମାଆ, ଲଗା ଚୁଲି । ଆଜି ଆଣିଚି ସାତ ପଇସା । ଯାଉଚି ଚାଉଳ କିଣିଆଣିବି ।’’ ସାତ ପଇସା ଯେ ବେଳେବେଳେ ଅରଜେ, ସେ ଯେ ରେଙ୍ଗୁନ ଗଲେ ବିଶା ବିଶା ସୁନା ଆଣିବା କଳ୍ପନା କରପାରୁଚି, ଏଇ ହେଉଚି ଭାଇଗା ପକ୍ଷରେ ବଡ଼ କଥା । ସେ ସୁନା ଆଣିବ, ସୁନା ବିକିବ, ମାଆକୁ ପୋଷିବ - ଏ ମଧୁର କଳ୍ପନା କରୁ କରୁ ବେଳେବେଳେ ତା ଭିତରେ ଯବନିକା ପଡ଼ିଯାଏ । ଆଖି ବୁଜି ଭାବୁଥାଏ । ଆଖି ଫିଟାଇ ଦେଖେ ଘରଟା ଅନ୍ଧାର ! ଦି’ଓଳି ହେଲା ଚୁଲି ଲାଗିନାଇଁ । ଆଉ କେବେ କେବେ ସେ ଚାହିଁକରି ଚମକିପଡ଼େ । ତା’ପରେ ମାଆକୁ କହେ, ‘‘ମା, ଟଙ୍କାଏ ଖଜଣା ତ ବାକି ଥିଲା, ନାହାକ କଣ ସେଥିପାଇଁ ଘରଡ଼ିହଖଣ୍ଡକ ନେଇଯିବ ?’’ ମାଆ ପୁଅକୁ ଜାକିପକାଇ କଣ ଭାବି ଛେପ ଢ଼ୋକିଦିଏ ।

ଏହିପରି ଅନେକ ଦିନ ଅନେକ କଥା ପରେ ସେଦିନ ରାତିରେ ଭାଇଗା ଗଲା ବିଦେଶକୁ । ସେ ଯିବ, ପଇସା ଅର୍ଜିବ, ଆସି ଘରଖଣ୍ଡକ ମୁକୁଳେଇ ମାଆକୁ ପୋଷିବ । ଗଲାବେଳେ ତାଟି ଫିଟେଇ ମାଆ ପୁଅକୁ ଯେତେବେଳେ ବିଦାୟ ଦେଲା, ପଣତକାନିରେ ଲୁହ ପୋଛି ପୋଛି କହିଲା - ‘‘ଗଣ୍ଠି ରେ, ଧନ ରେ, ଯେଉଁଠି ଥା ତୋରାଣି ମନ୍ଦାକରେ ଭାତମୁଠେ ଖାଉଚୁ ବୋଲି ଜାଣିଲେ ମାଆ ତୋର ବଞ୍ଚିଛି ବୋଲି ଭାବିବୁ ।’’

ଏ ଗଲା ଗୋଟିଏ ଦିନ ।

 

(୨)

 

ଆଉ ଗୋଟିଏ ଦିନ । ପ୍ରତାପପୁର ସିନା ଗାଁ ନାଁ; କିନ୍ତୁ ଗାଁର ସମସ୍ତେ ପ୍ରତାପୀ ନୁହନ୍ତି । ଗାଁର ସରବରାକାର ବା ନାହାକ ଛଡ଼ା ସମସ୍ତେ ପ୍ରାୟ ଗରିବ । ରାଜ୍ୟରେ ଦିନେ ଶବ୍ଦ ହେଲା - ଭାଇଗାମା’ ଆଉ ବଞ୍ଚିବ ନାହିଁ । ସେଥିଲାଗି ନାହାକେ ତାକୁ ବାଡ଼ିପାଖ ପିଣ୍ଡାରୁ ଉଠେଇ ଗୁହାଳଘର ପିଣ୍ଡାକୁ ନେଇଯାଇଛନ୍ତି ।

ଭାଇଗାମା’ ! ଯେ ଶୁଣିଲା, ସେ ‘ଆହା’ କଲା । ପ୍ରତାପପୁର ଗାଁରେ ସାତପୁଅର ମା’ ଯେବେ କିଏ ଥିଲା, ତେବେ ସେ ହେଉଚି ଏ ଭାଇଗାମା’ । ଗାଁରେ ବୁଢ଼ୀ ଯେବେ କିଏ, ତେବେ ସେ ହେଉଚି ଭାଇଗାମା’ । ପୁଣି ଏବେ ଗାଁରେ ଅନାଥିନୀ ଯେବେ କିଏ, ତେବେ ସେ ମଧ୍ୟ ସେଇ ଭାଇଗାମା’ ! ଗୋଟି ଗୋଟି ହୋଇ ଭେଣ୍ଡା ବୟସରେ ଛଅ ପୁଅ ମଲେ । କୁମୁଟି, ମାରୁଆଡ଼ି, ମହାଜନ ବିଲବାଡ଼ି ନିଲାମ କରିନେଲେ । ଥିଲା କେବଳ ଡ଼ିହଖଣ୍ଡକ । ଖଜଣା ବାକିରେ ନାହାକେ ଦୁଆରେ ତା’ର କଣ୍ଟା ଛାଟି ଦେଇଛନ୍ତି ।

ବୁଢ଼ୀ ନାହାକ ଘର ଗୁହାଳ ପିଣ୍ଡାରେ ପଡ଼ି ଦିନେ କହୁଥିଲା - ‘‘ନ ଆସୁ ପଛକେ, ତୋରାଣି ସାଥିଲେ ଭାତ ଗୁଣ୍ଡାଏ ହେଲେ ଖାଉଥାଉ ।’’ ନାହାକେ ପିଣ୍ଡା ସେପଟେ ଥାଇ ଶୁଣୁଥିଲେ, ‘‘କ’ଣ ଭାଇଗାମା’, ଭାଇଗା ଆସିବ ଆଜିକାଲି; ଚିଠି ଦେଇଥିଲା ।’’ ବୁଢ଼ୀ ଚମକିପଡ଼ି କହିଲା - ‘‘ଧନ ମୋର, ସଙ୍ଖାଳି ମୋର, ଖାଇବାକୁ ପାଉଚି ? ନାଇଁ, ନାଇଁ, ନ ଆସୁ, ନ ଆସୁ । ସେ ମୁଠିଏ ଖାଇବାକୁ ପାଉଚି ତ ଥାଉ । କାହିଁକି ଆଣୁଚ ?’’

ବୁଢ଼ୀ ମୁହଁମାଡ଼ି ଶୋଇପଡ଼ିଲା । ଏ ଉଦ୍‌ବେଗରେ ତା’ର ଭଙ୍ଗା ବୁକୁତଳୁ ଶୂଳ ଉଠିଲାପରି ହେଲା ।

ରାତି ପହରକୁ ପ୍ରତାପପୁର ଗାଁର ପୂର୍ବପଟେ ପଲେ କୁକୁର ଭୁକିଉଠିଲେ । ଗାଁର ପିଲାମାନେ ଦାଣ୍ଡରେ ଖେଳୁଥିଲେ । କହିଲେ-‘‘ବାର୍‌ହା ଗଡ଼ିଲା ।’’ ନାହାକେ ବିଚାରିଲେ, ଖମାରରେ ଲୋକ ଶୁଆଇବି, ଚୋର ଆସିଲେଣି; ମାତ୍ର ତେଣେ ଶେଯରେ ତାଇ ଭାଇଗାମା’ କ୍ଷୀଣ କଣ୍ଠରେ କହିଲା - ‘‘ଏମିତି ତ କୁକୁର ସେ ରାତିରେ ଭୁକିଥିଲେ...।’’

ଦେଖୁ ଦେଖୁ ମୁହୂର୍ତ୍ତକ ମଧ୍ୟରେ ଗାଁରେ ଚହଳ ପଡ଼ିଗଲା - କିଏ ଜଣେ ଆସି ଭାଇଗାମା’ର କଣ୍ଟାବୁଜା ଦୁଆରୁ କଣ୍ଟା ଆଡ଼ଉଚି । ହାତକେ ଲଣ୍ଠନ ଓ ହାତକେ ଠେଙ୍ଗା ଧରି ନାହାକେ ଦଳବଳ ସହିତ ଧାଇଁଆସିଲେ । ସାଙ୍ଗେ ସାଙ୍ଗେ ପାଞ୍ଚଟା ପୋଷା କୁକୁର ତାଙ୍କୁ ଗୋଡ଼ାଇ ଚାଲିଲେ । ଭୟ ଓ କୈାତୂହଳରେ ଗାଁରେ ଚହଳ ପଡ଼ିଗଲା। ଏପରି ସମୟରେ ଭାଇଗାର ଭଙ୍ଗା ଘର ଆଗରେ ଆଲୁଅକୁ ମୁହଁ ଉପରକୁ ନେଇ ନାହାକେ କହିଲେ-‘‘କିରେ ଭାଇଗା, ଏ କ’ଣ ? ଆ-ଆ-ଆ, ମା’ ଅଛି ଆମ ଘରେ । ତୁ ତ ଗଲୁ, ତାକୁ ପାଳନ୍ତା କିଏ ?’’

ପିନ୍ଧିବା ଲୁଗା ଧଳା, ଲଗାଇଥିବା ଅଙ୍ଗି କଳା, ହାତରେ ଟର୍ଚ୍ଚଲାଇଟ୍‌, ଅଣ୍ଟାରେ ବଟୁଆ, କାନ୍ଧରେ ଗୋଟିଏ କାଠର ବାକ୍‌ସ ଓ ଖଣ୍ଡେ ଶୀତଳପଟି- ସବୁ ଏକାବେଳକେ ଶରୀର ଶରୀରରେ ବହି ଭାଇଗା ଚିତ୍ରପିତୁଳା ପରି ନାହାକଙ୍କ ପଛେ ପଛେ ଚାଲିଲ- ଠିକ୍‌ରେଙ୍ଗୁନ୍‌ଫେରନ୍ତା ଓଡ଼ିଆ ।

ସେ ପାଖେ ଦି’ହଳ ଗାଈ, ପାଞ୍ଚ ହଳ ବଳଦ ଗୋଟାଏ କୋଣରେ ହଳ, ଲଙ୍ଗଳ, ଯୁଆଳି, ଆଉ ଏକ କୋଣରେ ରଙ୍ଗମାଟି ଓ ପାଳବଡ଼ିଆ । ପାଖକେ ଭାଇଗାମା’ କନା ମୁଚୁଳାଟାଏ ମୁଣ୍ଡରେ ଦେଇ ଖଣ୍ଡିଆ ସନ୍ତରା ପଟିଟାରେ ଆଁ କରି ଚାହିଁ ପଡ଼ିଛି ।

ଭାଇଗା ସବୁ ଜିନିଷ ତଳେ ଦୁମ୍‌କିନା ପକାଇଦେଇ ମାଆର ଶେଯ ଉପରକୁ ଆଣ୍ଠୁମାଡ଼ି ଲଇଁପଡ଼ି ବ୍ୟଗ୍ର ବିକଳ କଣ୍ଠର ଡ଼ାକିଲା - ‘‘ମାଆ, ମାଆ, ମୁଁ ଆସିଛି, ସୁନା ଆଣିଛି ।’’ ସେ କ’ଣ କହିଲା ସେ ଜାଣେନାହିଁ । ମାଆ ତା’ର କ୍ଷୀଣ କଣ୍ଠରେ ଏତିକି ମାତ୍ର ଉତ୍ତର ଦେଲା - ‘‘ମଠେ ଖାଇବାକୁ ପାଉଥିଲୁ ?’’

ମା’ ଆଉ ପୁଅର ଉତ୍ତର ଶୁଣିଲାନାହିଁ । କେବଳ ତା’ର ନିର୍ଜୀବ ହାତଟାକୁ ପୁଅ ମୁଣ୍ଡ ଉପରକୁ ଉଠାଇବାକୁ ଚେଷ୍ଟାକଲା; କିନ୍ତୁ ପାରିଲାନାହିଁ ।

ଘଡ଼ିଏ କାଳ ସମସ୍ତେ ନୀରବ ରହିଲେ । ଶେଷକୁ ନାହାକେ କହିଲେ-‘‘ହଉ,........କାଠପତ୍ର ସଜ କର ।’’

ଏ ଗୋଟିଏ ଦିନ ।

 

ମାଗୁଣୀର ଶଗଡ଼

 

ଖଲିକୋଟର ଦୁଇଲକ୍ଷ ପ୍ରଜାଙ୍କ ଭିତରେ ପ୍ରତିଦିନ ଯିବାଆସିବା ଚାଲିଚି । କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି । ଏ ଖବର ରଖୁଛନ୍ତି ଗୃହପରିବାର ବା ସାଇପଡ଼ିଶାର ଲୋକେ; କିନ୍ତୁ ଯେଉଁ ଦିନ ମାଗୁଣୀ ଏ ସଂସାର ଛାଡ଼ି ଚାଲିଗଲା ସେଦିନ ଖବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା । ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା - ମାଗୁଣୀ ଚାଲିଗଲା ? ଆହା ! ବିଚରା ଚାଲିଗଲା !!

ମାଗୁଣୀ କିଏ ? ଖଲିକୋଟର ସେ ରାଜା ନୁହେଁ, ଏ କଥା ନିଶ୍ଚୟ । ସେ ରାଜ୍ୟର ନେତା ନୁହେଁ, ଏ କଥା ସମସ୍ତେ କହିବେ । ସେ କର୍ମୀ ନୁହେଁ, ଏ କଥା ସମସ୍ତେ ଜାଣନ୍ତି । ସେ କେବେ ସତ୍ୟାଗ୍ରହରେ ଯୋଗଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ । ତା’ ବେକରେ କିଏ ଫୁଲମାଳ ଲମ୍ବାଇନାହିଁ କି ସେ କାହା ଗଳାରେ ମାଳା ଲମ୍ବାଇବା ଦରକାର ପଡ଼ିନାହିଁ । ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇ- ନାହିଁ କି ଦିଅଁ- ଦେଉଳରେ ପରଜନ୍ମରେ ସ୍ୱର୍ଗଲାଭପାଇଁ ଜପତପ କରିନାହିଁ । ସେ କେବଳ କରିଛି ଗୋଟିଏ କାମ- ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନ-ପଥରେ ଲଢ଼େଇ କରିଛି । ସେ ଲଢ଼େଇ ଦେଶପାଇଁ ନୁହେଁ, ଜାତିପାଇଁ ନୁହେଁ; ତାହା ନିଜର ପେଟଚାଖଣ୍ଡକ ପାଇଁ । ତଥାପି, ମାଗୁଣୀର ମୃତ୍ୟୁ-ଖବର ପାଇ ସମସ୍ତେ କହିଲେ- ଆହା ! ବିଚରା ଚାଲିଗଲା !

ଗଡ଼ରେ ପଚାରିଲେ ତ ସମସ୍ତେ କହିବେ ମାଗୁଣୀ କିଏ, ଦୂର ଜଙ୍ଗଲତଡ଼ ପଲ୍ଲିଗାଁରେ ମଧ୍ୟ ତା’ର ପରିଚୟ ମିଳିପାରିବ । ମାଗୁଣୀ ଖଲିକୋଟର କେହି ନୁହେଁ, ସେ ଜଣେ ଶଗଡ଼ିଆ - ଦୁଇଟା ବଳଦ ଓ ସେ - ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲେ; ଯାହା କି ଦୁଇଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା ।

ପ୍ରତିଦିନ ଖଲିକୋଟ ଗଡ଼ର ସୂର୍ଯ୍ୟ ଉଏଁ ଓ ଅସ୍ତ ହୁଏ । ଘନଘୋର ବର୍ଷାଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣୀକି ଦେଖି ବେଳ ଜାଣନ୍ତି । ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ାଘୋଡ଼ି ହୋଇ ଲୋକେ ବସିଥିଲାବେଳେ ମାଗୁଣୀ ନିଜ ପରିଚିତ ସାଙ୍ଗ ଦୁଇଟିକୁ ଶଗଡ଼ରେ ଯୋଚି ପାହାଡ଼ତଳେ ଗୀତ ବୋଲି ଚାଲିଯାଏ । ଲୋକେ କହନ୍ତି, ମାଗୁଣୀ ସେମାନଙ୍କର ଗୋଟାଏ ଘଣ୍ଟା । ବର୍ଷାଦିନେ ବର୍ଷା ଘୁଞ୍ଚିଯାଇପାରେ; ଖରାଦିନେ ଖରାତାତି ଊଣା ହୋଇପାରେ; କିନ୍ତୁ ମାଗୁଣୀର ଶଗଡ଼ ଦିନେହେଲେ ବନ୍ଦ ହୁଏନାହିଁ । ସେ କହେ ରଜାଘରେ ଯୋଡ଼ା ଯୋଡ଼ା ମୋଟ କାର ଅଛି ସତ; କିନ୍ତୁ ତା’ ପରି ଇଞ୍ଜିନିୟର ନାହାନ୍ତି । ତା’ ଶଗଡ଼ ରଜାଘର ମୋଟରଠୁଁ ବଳେ । ବାରବର୍ଷର ଅତି-ପରିଚିତ ସାଥୀ କାଳିଆ ଓ କସରା ବଳଦ ଉପରେ ସେ ହାତ ମାରି ଆଉଁଶିଦେଲେ ତା’ ଗାଡ଼ିରେ ପମ୍ପ ଦିଆହୁଏ । ଯେତେବେଳେ ସେ ଶଗଡ଼ ଉପରେ ବସି ଗୀତ ପଦେ ବେଲିଦିଏ, ‘‘ରାମ ଯେ ଲଇଖଣ ଗଲେ ମୃଗ ମାରି’’ - ତା’ର ମୋଟର ଚାଲେ । ସେତେବେଳେ ଶ୍ୟାମଳ ତରୁପତ୍ରତଳେ, ଗିରିକନ୍ଦର ଭିତରେ ପ୍ରତିଧ୍ୱନି ଉଠେ । ଅର୍ଦ୍ଧସୁପ୍ତ କୁକୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି; ପଲ୍ଲିର ବୁଲା କୁକୁରଦଳ ଚମକିଉଠି ଗାଁରେ ଚହଳ ପକାଇ ଦିଅନ୍ତି। ଘଡ଼ଘନ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ ।

ପଚାଶ ବର୍ଷର ମାଗୁଣୀ ବାର ବର୍ଷର ସାଥୀ ବଳଦଙ୍କୁ ଧରି ଯେତେବେଳେ ଭଡ଼ା ବୋହି ଚାଲେ ସତୁରି ଅଶୀ ବର୍ଷତଳର କାହାଣୀ ପାଣିପରି ବହିଯାଏ । ସେ କହେ ଆଗ ତା’ ନିଜ କଥା - ତା’ରେ କେବେ ବାପ-ମା’ ଥିଲେ, ସେ କେବେ ସୁଖରେ ବଢି ଖଟରେ ଶୋଉଥିଲା, ସେ କେବେ ଘରେ ବସି ଦୁଇଓଳି ପେଟପୂରାଇ ଖାଉଥିଲା; ଆଉ, ଜଣକର ମଧୁର ମିଳନରେ ପୁଣି ଜୀବନର ସକଳ ଦୁଃଖ ଭୁଲିଯାଉଥିଲା । ସେ ଗଢିଥିଲା ଗୋଟାଏ ସ୍ୱପ୍ନ-ରାଜ୍ୟ । ସେ ରାଜ୍ୟର ସେ ଥିଲା ରାଜା । ରାଣୀ କରି ଯାହାକୁ ଆଣିଥିଲା ଜୀବନଟା ସେ ହସାଇ ହସାଇ ନଚାଉଥିଲା। ତାର ଅଧରତଳେ ସେ ଅମୃତ ପିଉଥିଲା, ତାର ନିଃଶ୍ୱାସରେ ସେ ସୁବାସ ବାରୁଥିଲା ଓ ତାର ପାଦତଳେ ସେ ଫୁଲ ଫୁଟିବାର ଦେଖୁଥିଲା । କିନ୍ତୁ ସେ ସ୍ୱପ୍ନ ତାର ବେଶୀ ଦିନ ରହିଲାନାହିଁ । ସ୍ୱପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେ ପାଖକୁ । ଏପାଖେ ଦୁଇଟି ବଳଦ ଘେନି ଗାଁରୁ ଷ୍ଟେସନକୁ ଓ ଷ୍ଟେସନରୁ ଗାଁକୁ ଦିନକେ ଦୁଇଥର ଯାଇ ତାକୁ ଆରଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା ।

ଶଗଡ଼ ବାହିଲାବେଳେ ଏ କଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ । ନିଜେ ଦୁଇ ଟୋପା ଲୁହ ନିଜର ଚିରା କାନିରେ ପୋଛିଦେଇ ବଳଦ ଉପରେ ହାତମାରି ପୁଣି କହେ ଆଉ ଗୋଟାଏ ଗଳ୍ପ । ଲୋକଙ୍କ ବାଟ ସରିଯାଏ; କିନ୍ତୁ ତାର ଗଳ୍ପ ସରେନାହିଁ । ସେ କହେ, ତା ଶଗଡ଼ରେ ନ ବସିଛି କିଏ ? ବସି ନଥିଲେ ବସି ନଥିବେ ଖଲିକୋଟର ରଜା । କିନ୍ତୁ, ଦେବାନ କହ, ମାନେଜର କହ, ଓକିଲ କହ, ମହାଜନ କହ, ଏପରିକି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ - ସମସ୍ତେ ବସିଛନ୍ତି ତା ଶଗଡ଼ରେ । ଏ ସବୁ କଥା କହିଲାବେଳେ ସେ ଏଡ଼େ ଉତ୍ସାହରେ କହେ ଯେ, ବେଳେବେଳେ ବଳଦ ଦୁଇଟା ଠିଆହୋଇଗଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାହିଁ । ଜାଣିପାରିଲେ କହେ- ଏ ପଶୁଗୁଡ଼ାକ ମଧ୍ୟ ଏ କଥା ଶୁଣିବାକୁ କାନୋଉଛନ୍ତି ।

ମାଗୁଣୀର ଶଗଡ଼ ବଳଦ ଖଲିକୋଟର ଗୋଟାଏ ବିରାଟ ଇତିହାସ ନହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା । ସେ ଇତିହାସ କହେ- ଏ ଶଗଡ଼ ରାଜ୍ୟର ସମସ୍ତିଙ୍କି ଚିହ୍ନିଛି । କେତେ ବାଳବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି, କେତେ ସୁହାସିନୀ କୁଳବଧୂ ବାପଘରୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି । ଖଜଣାଗଣ୍ଡାକ ଦେଇ ନପାରି ଯେଉଁ ଦିନ ମଣ୍ଡଳ ଗାଁର ଗଦା ରାଉଳ ଜେଲ୍‌ଗଲା, ସେଇ ଦିନ ତା ଘରର ଛାଞ୍ଚୁଣୀମୁଣ୍ଡା ଆଦି ଏଇ ଶଗଡ଼ରେ ବୁହାହୋଇ ଆସି ରଜାଘର କଚିରି ଦୁଆରେ ଜମାହୋଇଥିଲା । ଯେଉଁ ଦିନ ବେନ୍ଦାଳିଆ ଗାଁର ମଧୁ ରଥେ ନରହତ୍ୟା ଅପରାଧରେ ଧରାହେଲେ, ସେଦିନ ସେ ଏଇଗାଡ଼ିରେ ବସି ଯାଇଥିଲେ । ଏଇ ଗାଡ଼ିରେ ବସି ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି । ଏଇ ଗାଡ଼ିରେ ରଇତନେତାଏ ହାତକଡ଼ା ପଡ଼ି କଚିରିକି ଯାଇଛନ୍ତି । ଏଇ ଗାଡ଼ି ସୁଖ ଦେଖିଛି; ଦୁଃଖ ଦେଖିଛି । ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳଗଦି ଓଦା ହୋଇଯାଇଛି, ହସରୋଳରେ ଏଇ ଗାଡ଼ି କେତେ କମ୍ପିଛି ।

ଏଇ ସବୁ କଥା କହି ମାଗୁଣୀ ଯେତେବେଳେ ଗାଡ଼ି ଚଳାଏ, ମନେହୁଏ ମାଗୁଣୀ ଗୋଟାଏ ଜୀବନ୍ତ ଇତିହାସ । ଏଇପରି ଦଶ-ପାଞ୍ଚଟା ଇତିହାସକୁ ଏକାଠି କଲେ ଓଡ଼ିଶାରେ ଗୋଟାଏ କୋଣାର୍କ ତିଆରି ହୁଅନ୍ତା ।

ଦିନେ ମାଗୁଣୀ ଶୁଣିଲା ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ । କାରଣ ସିଂହଘର ଗୋଟାଏ ମୋଟର ବସ୍‌ଆଣୁଛନ୍ତି । ଶୁଣିଲାମାତ୍ରେ ସେ ହସି ହସି ଆକାଶ ଫଟେଇଦେଲା । କହିଲା,‘‘ମୋଟର ବସ୍‌! ତା କ’ଣ ମୋ କାଳିଆ-କସରାଙ୍କୁ ଟପିଯିବ ? ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି, ଲୋକେ କଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବେ ?’’ ତା’ରି ଏ କଥା ଶୁଣି ସମସ୍ତେ ହସିଲେ ସତ; ମାତ୍ର ସେ ଖାତିରି କଲାନାହିଁ । ଦୁଇ-ଚାରି ଦିନ ଗଲା; ଦେଖୁ ଦେଖୁ ଗଡ଼ରେ ମୋଟର ବସ୍‌ପହଞ୍ଚିଲା । ଲୋକେ କହିଲେ- ଏଥର ମାଗୁଣୀର ବ୍ୟବସାୟ ବୁଡ଼ିଲା। ଏକାବେଳେ ୨୦ ଜଣଙ୍କୁ ଧରି ଘଣ୍ଟାକେ ଯେ ୪୦ ମାଇଲ ଯିବ, ମାଗୁଣୀ କି ତାକୁ ବଳିଯିବ ?

କଥା ସତ । ଦୈତ୍ୟଦାନବ ପରି ଗଡ଼ରେ ମୋଟର ବାସ୍‌ଟାକୁ ଦେଖି ମାଗୁଣୀର ମନରେ ଛଡ଼କା ପଶିଗଲା। ସେ କାନ୍ଦିପାରିଲା ନାହିଁ ସତ; କିନ୍ତୁ କାନ୍ଦ-କାନ୍ଦ ହୋଇ ଭାବିଲା, ସେଦିନ ଯାଇଥିଲି କୋଦଳା ସଭାକୁ । କିଏ କହୁଥିଲେ, କଳ ଜିନିଷଠୁଁ ହାତ ଜିନିଷ ଭଲ । ତା’ହେଲେ ମୋଟର କଳଠୁଁ କଣ ମୋ ଶଗଡ଼ ଭଲ ନୁହେଁ ? ଏତେ ଲୋକ ତ ସଭାରେ ବସି ଶୁଣୁଥିଲେ, ସେମାନେ କଣ ମୋ ଦୁଃଖ ବୁଝିବେ ନାହିଁ । କର୍ମୀ ନ ବୁଝିଲେ ଯିବି ଗାନ୍ଧୀଙ୍କ ପାଖକୁ । ଦରିଦ୍ରର ସାଥୀ ସେ, ଗରିବଙ୍କ ବନ୍ଧୁ ସେ; କଣ କହିବେ ମାଗୁଣୀ ମରିଯାଉ, ଆଉ, ଏ ସିଂହେ ବଞ୍ଚନ୍ତୁ ?

ଷ୍ଟେସନରୁ ଗଡ଼କୁ ସିଂହଙ୍କ ବସ୍‌ଚାଲିଲା, ମାଗୁଣୀର ଶଗଡ଼ ମଧ୍ୟ ଚାଲିଲା; କିନ୍ତୁ ବସ୍‌ପୂର୍ଣ୍ଣ, ଶଗଡ଼ ଖାଲି । ମାଗୁଣୀ ଯେତେ ଆଗରୁ ରାତିଅଧରୁ ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍‌ରେ । ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଇଲେ ବସ୍‌ଆଡ଼କୁ । ଦିନେ ଗଲା, ଦୁଇଦିନ ଗଲା । ସେ ଦୁଇଓଳି ଖାଇକରି ଆସୁଥିଲା; ଓଳିଏ ଖାଇ ଅଇଲା । ସେ ଭାତ ଖାଇ ଆସୁଥିଲା; ତୋରାଣି ପିଇ ଅଇଲା । ସେ ଦୁଇ ଓଳିରେ ଥରେ ପିଇ ଆସୁଥିଲା; କ୍ରମେ ତିନିଓଳି ଚୁଲି ଲାଗିଲାନାହିଁ । କାଳିଆ-କସରାଙ୍କ ଛାତିହାଡ଼ ଦେଖାଗଲା । ସେମାନଙ୍କୁ ଧରି ସେ ଯେତେବେଳେ କାନ୍ଦିଲା- କିଏ କହିଲା ପାଗଳ, କିଏ ବା କହିଲା ବାୟା ।

ତା’ପରେ ଯେଉଁ ଦିନ ମାଗୁଣୀର କୁଡ଼ିଆ ଦୁଆର ଭାଙ୍ଗି ଗାଁଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ ପାଞ୍ଚଣ ବାଡ଼ିଖଣ୍ଡିକ ଶୁଆଇଦେଇ ମାଗୁଣୀ ଆଖି ବୁଜିଦେଇଛି । ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାରହେଲେ, ପୃଥିବୀରେ ଦୁଇଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- ‘‘ଆହା ! ମାଗୁଣୀ ଚାଲିଗଲା !’’

 

ବ୍ରତଭିକ୍ଷା

(୧)

 

ଗାଁର ଦୁଇ ଦିଗରେ ଦୁଇ ପ୍ରକାର ଚହଳ ପଡ଼ିଛି । ଏକ ଦିଗରେ ବ୍ରତ-ଉତ୍ସବର କଳରୋଳ ଓ ଅନ୍ୟ ଦିଗରେ ମୃତ୍ୟୁ-ଯାତ୍ରାର ହାହାକାର ।

ଏକ ଦିଗରେ ମଙ୍ଗଳ-ମହୁରି ସଙ୍ଗେ ନାରୀ କଣ୍ଠର ହୁଳହୁଳି ନାଦ ଆକାଶରେ ପ୍ରତିଧ୍ୱନିତ ହୋଇ ଉଠିଲାବେଳକୁ ଅନ୍ୟ ଦିଗରେ ଆକୁଳ ହୃଦୟର କରୁଣ କ୍ରନ୍ଦନଧ୍ୱନି ଆକାଶକୁ ଫଟାଇଦେବାକୁ ଚେଷ୍ଟା କରୁଛି । ଏକ ଦିଗରେ ଖିରିପିଠାର ଆୟୋଜନ ଚାଲିଥିଲାବେଳେ ଅନ୍ୟ ଦିଗରେ ଶ୍ମଶାନକୁ ଶବ ଯିବାପାଇଁ କାଠ କୁଟା, କୁଲା ମାଠିଆର ଯୋଗାଡ଼ ହେଉଛି । ଠାଏ ବସି ପୁରୋହିତ ବେଦମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ ଅନ୍ୟ ସ୍ଥାନରେ ମୁର୍ମୂର୍ଷୁର ରୋଗଶଯ୍ୟା ପାଖେ କିଏ ବସି ଗୀତା ଭାଗବତ ଶୁଣାଇବାରେ ଲାଗିଛି । ମୋଟାମୋଟି କହିବାକୁ ଗଲେ ଏକ ଦିଗରେ ମୃତ୍ୟୁ ଓ ଆଉ ଏକ ଦିଗରେ ନବଜୀବନର ଉତ୍ସବ ଆରମ୍ଭ ହୋଇଛି !

ବ୍ରତ-ଉତ୍ସବ ଭିତରେ ଗୃହିଣୀ ଗୃହସ୍ଥକୁ ପଚାରିଲେ,‘‘ମୋ ରାମିକୁ କ’ଣ ବେଦୀରେ କିଛି ବନ୍ଦେଇବ ନାଇଁ?’’

ଗୃହସ୍ଥ ଉତ୍ତରରେ କଥା କହି ନ ପାରି କେବଳ ଲୁହ ଦି’ଟୋପା ଗଡ଼ାଇଦେଲେ । ତା’ପରେ ଲୁହ ପୋଛି ପୋଛି କହିଲେ, ‘‘ଦେବାକୁ ଆଉ କ’ର ଅଛି ? ଯାହା ଦି’ମାଣ ଥିଲା ସେଥିରୁ କିଛି ବା ମିଳିଥାନ୍ତା । ଆଜିର ସେଠା ଅବସ୍ଥା ଯାହା, ଆଉ ଆଶା ଦେଖୁନାହିଁ । ସ ବନ୍ଧକୀ ଜମିକୁ ଟଙ୍କା କିଏ ଦେବ ? ହାତ କାହା ପାଖେ ପତେଇବି !’’

ତେଣେ ମୃତ୍ୟୁ-ଲୀଳା ଭିତରେ ରୋଗଶଯ୍ୟା ପାଖେ ପୁଅ ବସି ମାଆକୁ ପଚାରିଲେ, ‘‘ମାଆ, ତୁ ତ ଚାଲିଯାଉଛୁ, ଆମ କଥା ଆଉ କ’ଣ ବୁଝିଲୁ ? ମାଆ, ମାଆ, ଶୁଭୁଛି ? କହିଥିଲି ପରା ସେ କାଗଜଟା କୁ’ଠି ରଖିଛୁ କହିଦବୁ ବୋଲି, ମାଆ. . . ମା. . . ।’’

ରୋଗିଣୀ ମୃତ୍ୟୁର ଖୁବ୍‌ନିକଟରେ ହୋଇ ମଧ୍ୟ କଥା କହିପାରୁଥିଲେ । ତାହା ଆଉ କଥା ହୋଇ ନ ଥିଲା, ତାହା କେବଳ ଜୀବନୀଶକ୍ତିର ନିତାନ୍ତ କ୍ଷୀଣ ଧାରା ପରି ଜଣାପଡ଼ୁଥିଲା । ଶିଥିଳିତ ପଲକ ଦୁଇଟି ମୁହୂର୍ତ୍ତକ ପାଇଁ ଫିଟାଇ ସେ ଟିକିଏ ଉପରକୁ ଚାହିଁଲେ । ତା’ପରେ ଆଖି ମୁଦିଦେଇ କ୍ଷୀଣ କଣ୍ଠରେ କହିଲେ, ‘‘ବାବୁ, ତୁ କ’ଣ କରିବୁ ତାକୁ ? ଜଣକ ଘର ବୁଡ଼େଇବ ? ମୁଁ ଦେଇଥିଲି; ମୁଁ ବୁଝିଚି. . .।’’

-‘‘ତୁ ବୁଝିଚୁ ମା’ ? କେତେବେଳେ ?’’

-‘‘ଆଜି . . .।’’

 

(୨)

 

ଶ୍ରୀରାମଚନ୍ଦ୍ରପୁର ଗାଁଟା ଉତ୍କଳ-ବ୍ରାହ୍ମଣ-ଗୈାରବର ଦୀପସ୍ତମ୍ଭ କହିଲେ ଚଳେ । ସେଠାର ଧୂଳିମାଟିଗଢା ପିଣ୍ଡା ଉପରେ ବସି କେତେ ମହାତ୍ମା ବୈଦିକ ସଙ୍ଗୀତର ମୂର୍ଚ୍ଛନାରେ ମୁକ୍ତିର ସ୍ୱପ୍ନ ଦେଖୁଥିଲେ; କେତେ ନବ ନବ ଜାଗରଣରେ ବ୍ୟଥିତ ପ୍ରାଣରେ ଆଶାର ବାଣୀ ଶୁଣାଇଥଇଲେ । ଆଜି ସବୁ ସ୍ୱପ୍ନ !

ଶ୍ରୀରାମଚନ୍ଦ୍ରପୁର ଅଛି, ସେହି ଧୂଳିମାଟିର ପିଣ୍ଡା ଅଛି; ମାତ୍ର ସେ ବେଦ-ସଙ୍ଗୀତ ଆଉ ଶୁଣାଯାଏ ନାହିଁ । ସେ ଗୈାରବର ମହିମା ଆଉ କିଏ କହିବ ? ହୁଏତ ଯୁଗଯୁଗାନ୍ତତଳର ସେହି ମଶାଣିର ପରିତ୍ୟକ୍ତ ବିଚ୍ଛିନ୍ନ ଅସ୍ଥିଖଣ୍ଡମାନ ଜୀବନ ପାଇ ଉଠିପାରିଲେ କହନ୍ତେ ବା ସେହି ଯେଉଁ ପ୍ରାଚୀନ ତରୁଶ୍ରେଣୀ ମୁଣ୍ଡ ଟେକି ଠିଆହୋଇଛନ୍ତି, କଥା କହିପାରିଲେ ସେମାନେ କହିପାରନ୍ତେ ! ତାହାଛଡ଼ା ଆଉ କେହି ନାହିଁ, ଆଉ କେହି ନାହିଁ !

ଅତୀତ ଗୈାରବର ସେହି ଏକ ଯଜ୍ଞବେଦୀ- ତଳର କଥା ଏ । ସେଠାରୁ ଦୀପ ଲିଭିଯାଇଛି, ସେଠାର ବାଣୀ ଲୁଚିଯାଇଛି, ସେଠାର ସ୍ୱପ୍ନ ଭାଜିଯାଇଛି । ଆଉ ଅଛି କ’ଣ ? ଅଛି କେବଳ ଦୁଇପାଖେ ଦୁଇଟା ପ୍ରେତପୁରୀ । ଘରଗୁଡ଼ାକ ବୋଧହୁଏ ଅତୀତ ମହିମା ଝୁରି ଝୁରି ଦୁଇପାଖେ ଲସିଯାଇ ଭୂଇଁ ସଙ୍ଗେ ମିଶିବାକୁ ଚେଷ୍ଟା କରୁଛନ୍ତି; କେତେ ଲସିଗଲେଣି ମଧ୍ୟ। ବାକି କେତୋଟି ସଂସାରର ଧନ-ଗୈାରବରେ ଆଉ କିଛି କାଳ ଆପଣାକୁ ରକ୍ଷା କରିବାର ସୁଯୋଗ ପାଇଛନ୍ତି ମାତ୍ର !

ବ୍ରତ-ଉତ୍ସବ ହେଉଥିଲା ଏହିପରି ଏକ କୁଟୀର ଘରେ । ଆୁ ମୃତ୍ୟୁ-ଲୀଳା ଚାଲିଥିଲା ଏହିପରି ଏକ ଥିଲାଲୋକର ଘରେ ।

ଯେତେବେଳେ ନଡ଼ିଆ ବରଡ଼ାର ଛାମୁଣ୍ଡିଆ ତଳେ ଶଙ୍ଖ ମହୁରି ବାଦ୍ୟରୋଳ ଭିତରେ ବାଳକକଣ୍ଠରୁ ମଧୁର ସ୍ୱର ଉଠିଲା ‘‘ଭବନ୍‌ଭିକ୍ଷାଂ ଦେହୀ. . .’’ ତେଣେ ସେ ପାଖେ ଗଗନଦେଶ ବିଦୀର୍ଣ୍ଣ କରି ହାହାକାର ଚିତ୍କାରଧ୍ୱନି ଡ଼ଠିଲା - ‘‘ଚାଲିଗଲୁ କିଲୋ ମାଆ !’’

 

(୩)

 

ଗୋପୀନାଥ ବେଦୀରେ ଆଉ ରହିପାରିଲେ ନାହିଁ । ଏପର୍ଯ୍ୟନ୍ତ ଯେ ପୁଅର ବ୍ରତୋଉତ୍ସବରେ ସେ ମନ ଦେଇ ରହିଥିଲେ, ତା’ ନୁହେଁ । ତାଙ୍କର ଦେହଟା ଥିଲା କେବଳ ବ୍ରତ-ଉତ୍ସବ ଭିତରେ, ମନଟା ଥିଲା ଯାଇ ଶଯ୍ୟାଗତ ରୋଗିଣୀ ପାଖେ ।

ସେହି ଶଯ୍ୟାଶାୟିନୀ ବୃଦ୍ଧା ଗୋପୀନାଥଙ୍କ ଆତ୍ମୀୟା । ଭାଗ୍ୟଚକ୍ରରେ ପଡ଼ି ଗୋପୀନାଥ ସଂସାରରେ ନିଃସ୍ୱ ହୋଇପଡ଼ିଲେ । ଶେଷକୁ ୨୬ ସାଲ ଦୁର୍ଭିକ୍ଷରେ ପୁଅ-ସ୍ତ୍ରୀଙ୍କ ମୁହଁରେ ତୋରାଣି ଦେବାପାଇଁ ବୃଦ୍ଧାଙ୍କଠାରୁ ପଚାଶ ଟଙ୍କା କରଜ ଆଣି ଶେଷରେ ଶେଷ ସମ୍ବଳ ଦୁଇ ମାଣ ଜମିକୁ ବନ୍ଧକ ଲେଖିଦେଇଥିଲେ । ସେହି ବନ୍ଧକୀ ତମସୁକ ଫେରିପାଇବା ପାଇଁ ଗୋପୀନାଥ ବହୁବାର ଭାବିଛନ୍ତି, କାନ୍ଦିଛନ୍ତି; ମାତ୍ର ବୃଦ୍ଧାଙ୍କ ପୁଅ ସୋମନାଥଙ୍କ ଆପତ୍ତିରେ ତାହା ହୋଇପାରିଲା ନାହିଁ । ବୃଦ୍ଧାଙ୍କର ଇଚ୍ଛା ଥିଲା, କୌଣସିମତେ ଗୋପୀନାଥଙ୍କୁ ସଂସାରରେ ରଖିବେ। ସୋମନାଥ ବିଚାରୁଥିଲେ, ଦୁଇ ମାଣ ଜମିକୁ କୌଣସିମତେ ନିଜ ଜମିରେ ମିଶାଇ ବିଭବର ପରିସର ଟିକିଏ ବଢ଼ାଇବେ । ଏହି ସଂଘର୍ଷ ଫଳରେ ଦରିଦ୍ର ଗୋପୀନାଥ ବିଭବଶାଳୀ ସୋମନାଥଙ୍କ ଘରଠାରୁ ବହୁଦିନ ଦୂରରେ ଥିଲେ; ଏପରି କି କଥାବାର୍ତ୍ତା ପର୍ଯ୍ୟନ୍ତ ମଧ୍ୟ ଚଳିଲା ନାହିଁ।

ଶେଷ ମୁହୂର୍ତ୍ତର ଶେଷ କ୍ରନ୍ଦନରୋଳ ଶୁଣି ଗୋପୀନାଥଙ୍କ ମନ ଆଉ ସ୍ଥିର ରହିପାରିଲା ନାହିଁ । ସେ ଧଡ଼୍‌କରି ବେଦୀରୁ ଉଠି ପାଗଳଙ୍କ ପରି ସିଧା ସିଧା ଯାଇ ସୋମନାଥଙ୍କ ଘରେ ପହଞ୍ଚି ବୃଦ୍ଧାଙ୍କ ମୃତ୍ୟୁ-ଶଯ୍ୟା ପାଖେ ମୁଣ୍ଡ ବାଡ଼େଇ ଗଡ଼ିଗଲେ । କହିଲେ - ‘‘ଆହା, ମା’ . ଚାଲିଗଲ ।’’

ଏହି ପଦକରେ ଗୋପୀନାଥଙ୍କର ସହସ୍ର ସୁପ୍ତ ସ୍ମୃତି ପୁଣି ପ୍ରାଣରେ ଜିଇଉଠିଲା । ଯେତେବେଳେ ସେ ନିତାନ୍ତ ଶୈଶବରେ ପିତୃମାତୃହୀନ ହୋଇପଡ଼ିଥିଲେ, ଏହି ବୃଦ୍ଧା ତାଙ୍କୁ କୋଳକୁ ନେଇ ଜୀବଦାନ ଦେଇଥିଲେ । ଜୀବନର ୨୦ ବର୍ଷଯାଏ ସେ ତାଙ୍କୁ ପବିତ୍ର ବାତ୍ସଲ୍ୟରସରେ ପାଳି ଶେଷରେ ସଂସାର ଭିତରେ ଗୃହସଂସାର ଗଢି ଛାଡ଼ିଦେଲେ । ଆହା, ବୃଦ୍ଧା ଥିଲେ ତାଙ୍କ ଜୀବନର ଦେବୀ, ହୃଦୟର ଆନନ୍ଦମୟୀ ମୂର୍ତ୍ତି ।

ଗୋପୀନାଥ ଭାବିପାରିଲେ ନାହିଁ. . .ମା’ କି ସତେ ପୁଅକୁ ଭସାଇ ଦେଇ ଚାଲିଗଲା ! ଗଲାବେଳେ କିଛି କହିଗଲା ନାହିଁ . . . ଗୋପୀନାଥ ଖାଲି ଲୁହ ଗଡ଼େଇଲେ ।

କୋକେଇରେ ଶବ ମଶାଣିକି ଗଲା ପରେ ଗୋପୀନାଥ ଘରକୁ ଫେରି ଦେଖିଲେ ଏପାଖେ ଆଉ ଏକ ଚହଳ ପଡ଼ିଛି । ତାଙ୍କର ବନ୍ଧକୀ ତମସୁକଟି ବୃଦ୍ଧା ମୃତ୍ୟୁ ପୂର୍ବରୁ କାହା ହାତରେ ବ୍ରତବେଦୀରେ ଭିକ୍ଷା ଦେବାପାଇଁ ପଠାଇସାରିଛନ୍ତି ।

କଥାଟା ଶୁଣି ଗୋପୀନାଥ ଥକା ହୋଇ ବସିପଡ଼ିଲେ । ତାଙ୍କ ଜୀବନପକୁ ପୂର୍ଣ୍ଣ କରି, ତାଙ୍କ ପ୍ରାଣକୁ ଧନ୍ୟ କରି ସ୍ନେହମୟୀ ଜନନୀରୂପରେ ସେହି ବୃଦ୍ଧାଙ୍କର ଉଜ୍ଜ୍ୱଳ ମୂର୍ତ୍ତି ତାଙ୍କ ଆଖିଆଗରେ ଖେଳିଗଲା । ପାଟିରୁ ପଦେ ମାତ୍ର ବାହାରିଲା - ‘‘ମା, ପଦେ ହେଲେ କହିଗଲ ନାହିଁ।’’

ଶ୍ମଶାନର ତୀବ୍ର ଶିଖା ଯେତେବେଳେ ଜିହ୍ୱା ହଲାଇ ଖେଳିଉଠିଲା, ଗୋପୀନାଥ ପାଗଳ କରି ଦୂର ପୋଖରୀ ହୁଡ଼ାରେ ଠିଆହୋଇ ସେହି ଚିତାନଳ ପ୍ରତି ପ୍ରାଣର ପ୍ରଣତି ଜଣାଉଥିବାର ଲୋକ ଦେଖିଲେ ।

 

ମୁଣ୍ଡା-ଶାହାଡ଼ା

 

ସେ ଯୁଗର ରାମଚନ୍ଦ୍ର ସୁନାର ମୂର୍ତ୍ତିକୁ ସୀତା ବୋଲି ଗ୍ରହଣ କଲେ, କେହି ହେଲେ ଆପତ୍ତି କଲେ ନାହିଁ; ମାତ୍ର ଗଙ୍ଗା ନାହାକ ଯେଉଁ ଦିନ ଗୋଟାଏ ଶାହାଡ଼ା ଗଛକୁ ତା’ର ପ୍ରଣୟିନୀ ବୋଲି କହି ଘନ- ଘନ ଚୁମ୍ବନ ଦେବାକଥା ଚାରିଆଡ଼େ ରାଷ୍ଟ୍ରହେଲା, ଲୋକେ ତାକୁ କହିଲେ ପାଗଳ । କାରଣ ରାମଚନ୍ଦ୍ର ଥିଲେ ଅଯାଧ୍ୟାର ରାଜା; ଆଉ ଆମର ଗଙ୍ଗା ନାହାକ ହେଲା ଏ ଯୁଗର ବାଜପୁର ଗାଁର ଏକ ବଗିଚାର ମାଳୀ !!

ବଗିଚାରେ କେତେ ପ୍ରକାର ଗଛ ଅଛି । ଜାଇ, ଯୂଇ, ମଲ୍ଲୀ, ମାଳତୀଠାରୁ ଆରମ୍ଭ କରି ଜାମୁ, କମଳା, ସପେଟା, ଲେମ୍ବୁ ପର୍ଯ୍ୟନ୍ତ ରହିଛି । ଫୁଲଗଛ ଅଛି; ଫଳଗଛ ମଧ୍ୟ ଅଛି । ଫୁଲ ଫଳ କିଛି ନ ଥାଇ ରଙ୍ଗିନ୍‌ଗଛ ମଧ୍ୟ ଶୋଭାପାଉଛି । ଏ ସବୁର ସାର୍ଥକତା ଅଛି । ଫୁଲର ସୁବାସ ଅଛି, ଫଳର ସ୍ୱାଦ ଅଛି, ପତ୍ରର ସୈାନ୍ଦର୍ଯ୍ୟ ଅଛି; ମାତ୍ର ଗୋଟିଏ କଥା ବୁଝି ହେଲା ନାହିଁ, କି କାରଣରୁ ଗଙ୍ଗା ନାହାକ ଏଡ଼େ ବଡ଼ ବଗିଚା ଭିତରେ ଗୋଟିଏ ଶାହାଡ଼ା ଗଛ ପାଳିଛି !

ସେହି ଶାହାଡ଼ା ଗଛଟାକୁ ଖାଲି ଶାହାଡ଼ା ଗଛ କହିଦେଲେ ଚଳିବ ନାହିଁ, ତାହା ଏକ ମୁଣ୍ଡାଶାହାଡ଼ା । ଦେଖିଲେ ଜଣାପଡ଼େ ତାହା ଯେପରି ଦୈତ୍ୟଯୁଗର ଏକ ଭୂତ ! ଗଣ୍ଡିରେ ଖାଲି ଗଣ୍ଠିପରେ ଗଣ୍ଠି ଉପରକୁ ଛତା ଟେକିଲା ପରି କେତେଗୁଡ଼ିଏ ଖଣ୍ଡିଡ଼ାଳ ଦେହରେ ଖାଲି ଛୋଟ ଛୋଟ ପତ୍ର । ସତେ ଅବା ଭୂତଟା କେତେ କାଳ ହେଲା ମୁଣ୍ଡରେ ତେଲହାତ ନ ମାରି, ବାଳ ନ ସଜାଡ଼ି ସେହିପରି ଠିଆହୋଇଛି ।

ମୁଣ୍ଡାଶାହାଡ଼ା ! - କେତେ ଯୁଗର, କେହି ତାହା ଜାଣନ୍ତି ନାହିଁ । ଗାଁର ସବୁଠାରୁ ବୁଢାଙ୍କୁ ତାଙ୍କର ଇତିହାସ ପଚାରିଲେ ସେ କହନ୍ତି ଯେ, ତାଙ୍କ ଗୋସେଇଁବାପେ କେବେ ଥରେ ସେହି ଗଛକୁ ବାହା ଦେଇ ତୃତୀୟପକ୍ଷ ଗ୍ରହଣ କରିଥିଲେ, ଆଉ ସେ କହୁଥିଲେ ତାଙ୍କ ପୂର୍ବରୁ ଅନେକ ଲୋକ ତାହାରି ମୂଳେ ଅନେକ ହାତଗଣ୍ଠି ପକାଇ ବାହା ହୋଇଛନ୍ତି । ତେଣୁ ଗଛଟାକୁ ଦେଖିଲେ ଖାଲି ଯେ ତା’ର ବୃକ୍ଷ ଅସୁନ୍ଦର ବିକଟ ରୂପ ଆଖିରେ ପଡ଼େ ତାହା ନୁହେଁ; କେତେଗୁଡ଼ିଏ ପ୍ରଣୟର ପତଳା ପରଦାର କାଳର କେତେ ବର୍ଷ-ତରଙ୍ଗ ଭେଦ କରି ନବ ନବ ରୂପରେ ଆଖି ଆଗରେ ଛାୟା ପରି ନାଚିଯାଏ । କି ଚମତ୍କାର !

ସତ୍ୟଯୁଗର ଗଛ ! କିଏ କହିବ ? ସେ ଯେବେ କଥା କହୁଥାନ୍ତା, ଅନେକ ଲୋକର ଅନେକ ରହସ୍ୟ ଜଣାପଡ଼ନ୍ତା । ପ୍ରଣୟର ବହୁମୁଖୀ ସ୍ରୋତର ଗତି ସେ ଦେଖାଇପାରନ୍ତା !

ସେ କିଛି କହେ ନାହିଁ- ସେ କେବଳ ଲୀଳା ଦେଖେ । ଦେଖେ ତାହାରି ମୂଳେ ପ୍ରଣୟର କେତେ କେତେ ଲୀଳା ଚାଲିଛି । ଦାସେ ହସୁଛନ୍ତି, ପରିଡ଼େ ଆସୁଛନ୍ତି, ମହାନ୍ତିଏ ଆସୁଛନ୍ତି -ତାହରି ପାଖେ ଠିଆ ହୋଇ କାହାର ଲାଲ ଟକ୍‌ଟକ୍‌ମଧୁର ଅଧର କଳ୍ପନା କରି, କାହାର ଘନକୃଷ୍ଣ କେଶଗୁଚ୍ଛ ମାନସ-ଚକ୍ଷୁରେ ଦେଖି, କାହାର କୋମଳ କରପଲ୍ଳବର ସ୍ପର୍ଶ କଳ୍ପନାରେ ଅନୁଭବ କରି ତାକୁହିଁ ସାକ୍ଷୀ ରଖି ସମସ୍ତେ ଚାଲିଯାଉଛନ୍ତି ! ପ୍ରଣୟର ସାକ୍ଷୀ, ପରିଣୟର ସାକ୍ଷୀ, ଯୁବତୀର ସାକ୍ଷୀ, ବୃଦ୍ଧର ସାକ୍ଷୀ, ଭଙ୍ଗୁର ସଂସାରର ଭଙ୍ଗୁରତାର ସାକ୍ଷୀ ସେହି ଅବହେଳିତ ମୁଣ୍ଡାଶାହାଡ଼ା । ସେ ବଗିଚାର ଏକ ପୁଣ୍ୟମୟ କୋଣାର୍କ କହିଲେ ଚଳେ । ଓଡ଼ିଶାର ମହାରାଣୀ ମାୟାଦେବୀଙ୍କ ସ୍ମୃତି ଉପରେ କୋଣାର୍କ ତିଆରି ହେଲା; ମାତ୍ର ମୁଣ୍ଡା ଶାହାଡ଼ାମୂଳେ ଯେ କେତେ କେତେ ମାୟାଦେବୀ ସ୍ମୃତିରୂପେ ରହିଛନ୍ତି, କିଏବା ଗଣନା କରି କହିବ ? ତାଜମହଲର ପ୍ରତି ପଥରଖଣ୍ଡର ପ୍ରେମିକ ପ୍ରଣୟର ଛବି ଦେଖନ୍ତି; ମାତ୍ର ବାଜପୁର ବଗିଚାର ମୁଣ୍ଡା ଶାହାଡ଼ା ଗଛର ପ୍ରତି ପତ୍ରେ ପତ୍ରେ କେତେ ଯେ ପ୍ରଣୟ ନିଃଶ୍ୱାସ ପୂରିରହିଛି, ତାହା ସେପାଖେ ଯିବା ଆସିବା କରୁଥିବା କେହି ପ୍ରଣୟ-ପାଗଳ ଆଦୈା ଅନୁଭବ କରିପାରେ ନାହିଁ । ମନୁଷ୍ୟ କି ବୋକା !

ତରୁ ସଂସାରର ମୁଣ୍ଡା ଶାହାଡ଼ାକୁ ମାନବ ସଂସାର ମୁଣ୍ଡାଶାହାଡ଼ା ଗଙ୍ଗା ନାହାକ କେବଳ ଚିହ୍ନେ । ଗଙ୍ଗାର ବୟସ କେତେ ଗଙ୍ଗା ତ ଜାଣେ ନାହିଁ, ସେହି ଦଶ-ପାଞ୍ଚ ଖଣ୍ଡ ଗାଁ ଲୋକେ ମଧ୍ୟ କହିପାରନ୍ତି ନାହିଁ । ତା’ର ଗ୍ରନ୍ଥିଳ ଦେହ ଉପରେ ମୁଣ୍ଡଟା ଗୋଟେ ବଡ଼ ଛତା ପରି - ସତେ ଯେପରି ଗୋଟେ ଚଳନ୍ତି ମୁଣ୍ଡାଶାହାଡ଼ା ! ତା’ର କଥା ବିଚିତ୍ର, ତା’ର ବେଶଭୂଷା ଅଦ୍ଭୁତ ! କେତେ ବର୍ଷ ହେଲା ଖରା, ବର୍ଷା, ଶୀତ କାକର ତା’ ସଙ୍ଗେ ଲଢ଼ି ଲଢ଼ି ପରାସ୍ତ ହୋଇଛନ୍ତି । ରାତିରୁ ରାତିଯାଏ ସେ ବଗିଚାରେ ରହେ, ଗଛଗୁଡ଼ାକୁ ମଣିଷ ପରି ପାଳେ ।

ଏହି ମୁଣ୍ଡାଶାହାଡ଼ା ଗଙ୍ଗା ନାହାକକୁ ଲୋକେ ପାଗଳ କହିବାର ଅନେକ କାରଣ ଅଛି । ବଗିଚା ଭିତରେ ଯେତେ ଯେତେ ଗଛ ଅଛି, ଗଙ୍ଗା ସେ ସବୁ ଗଛକୁ ମଣିଷର ନାଁ ଦେଇ ଡ଼ାକେ - ସତେ ଯେପରି ସେଗୁଡ଼ାକ ତା’ର ପିଲାପିଚିକା ! କାହା ନାଁ ରାମ, କାହା ନାଁ ଭଗିଆ, କାହା ନାଁ ମଦନା, କାହା ନାଁ ଗୋପୀ, କାହା ନାଁ ହରି । ମୁଣ୍ଡା ଶାହାଡ଼ା ଗଛଟିକୁ ସେ ଡ଼ାକେ ‘ଚମ୍ପା’ ବୋଲି ।

ଶାହାଡ଼ା ଗଛଟାକୁ ଚମ୍ପା ବୋଲି କହିଲେ ଅନେକେ ଆଶ୍ଚର୍ଯ୍ୟ ହେବେ । ଶୁଣିବାକୁ ମଧ୍ୟ ନିତାନ୍ତ ଅସୁନ୍ଦର । ମୂକ ଗଛଗୁଡ଼ାକ ବୋଧହୁଏ ଚମ୍ପାଗଛ ପ୍ରତି ଏହି ଘୋର ଅପାମାନରେ ବିଦ୍ରୋହୀ ହୋଇ ଉଠୁଥିବେ; ମାତ୍ର ଗଙ୍ଗା କେବେହେଲେ ତା’ର ମତ ବଦଳାଏ ନାହିଁ ।

ଏ କଥା ଦେଖି ଲୋକେ କହନ୍ତି - ‘‘ପାଗଳ ଗଙ୍ଗା, ବାୟା ଗଙ୍ଗା ।’’

ଗଙ୍ଗା ସବୁ ଓଲଟା କଥା କରେ । ବଡ଼ିସକାଳୁ ମୁଣ୍ଡାଶାହାନା ମୂଳଟି ଓଳାଇ ଦେଇ ତାର ଶୁଖିଲା ପତ୍ରଗୁଡ଼ିକ ଝାଡ଼ିଦେଇ ଆଗ ତାକୁ ବୁହାଟେ କୁଣ୍ଢାଇ ପକାଏ । ତା’ପରେ ତା’ ସଙ୍ଗେ କଥାବାର୍ତ୍ତା ଚଳାଏ । କହେ - ‘‘ଚମ୍ପା, ଚମ୍ପା, ସତ କହ; ଥରେ ସତ କହ, ଲୋକେ ଓଲା କି ମୁଁ ଓଲା। ତୁ ପରା ସାକ୍ଷୀ ମୋର; ତୁ ନ କହିଲେ କିଏ କହିବ ?’’- ଏହାକି ଗଛଟାକୁ ଘନଘନ ଚୁମ୍ବନ ଦିଏ ।

ଶାହାଡ଼ା ଗଛଟା ସଙ୍ଗେ କଥା ! ଯେ ଶୁଣେ, ସେ ହସେ । ଶାହାଡ଼ା ଗଛଟାକୁ ଚୁମ୍ବନ ! ଯେ ଦେଖେ, ସେ ଅବାକ୍‌ହୁଏ । ମାତ୍ର ଲୋକଙ୍କର ହସରେ ବା ଥଟ୍ଟାରେ ଗଙ୍ଗାର କିଛି ଯାଏ-ଆସେ ନାହିଁ । ଆଖି ବୁଜିଲା ପରି ତା’ କାର୍ଯ୍ୟ ସେ କରିଯାଉଥାଏ ।

ଦିନେ ଗଙ୍ଗା ସହିତ ଦେଖାହେଲା । ପଚାରିଲି - ‘‘ଗଙ୍ଗା କହିଲା - ‘‘ଚମ୍ପା ।’’

-‘‘ଚମ୍ପା ?’’

-‘‘ହଁ, ବାବୁ !’’ କହି ସେ ଆଗେ ଆଗେ ଚାଲିଲା । ମୁଁ ତା’ ପଛେ ପଛେ ଚାଲିଲି । ସେ ଗୋଟାଏ ନର୍ଧୂମ ଶାହାଡ଼ା ଗଛମୂଳେ ଠିଆହୋଇ କହିଲା -

‘‘ଦେଖିଲ ବାବୁ ! ଦେଖ ।’’

ଅବାକ୍‌ହୋଇ ଗଛଟାକୁ ଚାହିଁରହିଲି - ‘‘ଚମ୍ପା ଗଛ ? କାହିଁ ?’’

ସେ କହିଲା - ‘‘ଚିହ୍ନିପାରୁନ ବାବୁ ? ଏଇ ପରା ।’’

କହିଲି - ‘‘ଦୂର୍‌ପାଗଳ, ଏ ତ ଗୋଟାଏ ମୁଣ୍ଡାଶାହାଡ଼ା ।’’

ମୋ କଥାଶୁଣି ଗଙ୍ଗା ଖାଲି ଠୋ-ଠୋ ହସିଉଠିଲା । ସେ କି ଉଦ୍ଦାମ-ହାସ୍ୟରୋଳ । ହସି ହସି ସେ ଗଛକୁ ଢ଼ଳିପଡ଼ିଲା, ଆଗକୁ ଝୁଙ୍କିପଡ଼ିଲା; ଗଛଟାକୁ ଲୁଣ୍ଢେଇ ଧରି ହସିଲା..ଖାଲି ହସିଲା ।

ହସ ତା’ର ବନ୍ଦ ହେଲା; ମାତ୍ର ସେ କ’ଣ ଭାବିଲା ପରି ଗଛଟାକୁ ଜାକିଧରି ଅନେକ ସମୟ ନୀରବରେ ଠିଆହେଲା । କିଛି ରହସ୍ୟ ବୁଝିନପାରି ପଚାରିଲି - ‘‘ଗଙ୍ଗା, ଏ କ’ଣ ?’’

ମୁହଁକୁ ଗମ୍ଭୀର କରି ଗୋଟାଏ କିଛି ଗୁରୁତର କଥା ଉପକ୍ରମ କଲା ପରି ସେ କହିଲା -

‘‘ଶୁଣିପାରୁନ ବାବୁ ? ମୋର ଚମ୍ପା କ’ଣ କହୁଛି, ଶୁଣିପାରୁନ ? ମୋ’ରି ଦୁଆରେ ବାଦ୍ୟ ବାଜିଲା, କାହାଳୀ ବାଜିଲା; ମୁଁ ରହିଲି ସାକ୍ଷୀ । ବର୍ଷକ ପରେ ଦେଖିଲି, ମୁଁ ଯାହାପାଇଁ ସାକ୍ଷୀ ଥିଲି, ତାକୁ ସେଇ ଦାସଘର ପୁଅ କାଳୀଟା ବୋଲି ବାଡ଼େଇ ବାଡ଼େଇ ମାରିଦେଲା । ଥରେ ଆସିଥିଲା ଗୁଡ଼ିଆ ଘରର ବୁଢ଼ା । ପାଞ୍ଚଟି ବାଳିକାର ହାତ ଧଇଲା ପରେ ସେ ମୋ’ରି ପାଖରେ ଆସି ଠିଆହେଲା । ଓହୋ ! ସେ ଝିଅଟି ସେଥର ଉଖୁଡ଼ା ଚଟୁରେ ମାଡ଼ ଖାଇ ଖାଇ ମଲା । ପଲେଇ ଘରର ବୁଢ଼ା, ପଧାନ ଘରର ସାନ, ସାମଲ ଘରର ମଝିଆଁ - କ’ଣ କହିବି, କେତେ ବା କହିବି ? ଲୋକେ କହନ୍ତି, ସଂସାରରେ ପୁରୋହିତ ବୋଲି ଜଣେ କିଏ ଅଛି ! ପୋଡ଼ିଯାଉ ସେ ପୁରୋହିତ । ମୋତେ ସାକ୍ଷୀ ରଖି ଆଗ ପଛ ନ ବିଚାରି ସେ ସମସ୍ତଙ୍କୁ ଆଣି ମୋ’ରି ପାଖେ ଠିଆକଲା । ଥରେ ନୁହେଁ, ଦି’ଥର ନୁହେଁ, ଚାରି-ପାଞ୍ଚ ଥର ଲେଖାଏଁ ମୁଁ ସେହିମାନଙ୍କ ସାକ୍ଷୀ ।’’

ଗଙ୍ଗା ନାହାକର ଏ ବକ୍ତୃତା ଶୁଣି ମୁଁ ଅବାକ୍‌ଭାବରେ ଠିଆହେଲି । ଭାବିଲି - ଏ କ’ଣ ସ୍କୁଲ୍‌ରେ କ୍ଲାସ୍‌ରେ ଇତିହାସ ପଢ଼ାଉଛି କି କ’ଣ ? ପାଗଳ ବୁଢ଼ା କି ଜୀବନର ଏତେ କଥା ଅନୁଭବ କରିପାରେ ?

ପଚାରିଲି - ‘‘ଆଚ୍ଛା ଗଙ୍ଗା, ଚମ୍ପା ତ ସମସ୍ତଙ୍କ କଥା କହୁଚି, ତମ କଥା ଭଲା କ’ଣ କହୁଚି ?’’

-‘‘ମୋ କଥା ? ମୋର ଚମ୍ପା ସେ, ମୋ କଥା କହିବ ନାଇଁ ?’’

-‘‘କହ ଭଲା - ଶୁଣେ ।’’

ବୁଢ଼ା ଗଙ୍ଗା ଯେ ଗଳ୍ପ କହିଲା, ଶୁଣି କାଠ ହୋଇଗଲି । ସେହିଦିନୁ ବୁଝିଲି, ମଫସଲ ବାଜପୁରର ଅବହେଳିତ ମାଳୀ ଗଙ୍ଗା ନାହାକ ବୁଢ଼ା ପାଗଳ ନୁହେଁ - ସେ ଏକ ପ୍ରଚଣ୍ଡ ତାଜମହଲର ମାଲିକ, ଏକ କୋଣାର୍କର ଅଧିକାରୀ ।

ଗଳ୍ପଟା ହେଉଛି - ଗଙ୍ଗାକୁ ଯେତେବେଳେ କୋଡ଼ିଏ ବର୍ଷ ବୟସ, ତା’ର ବିଭାପାଇଁ ବାପ-ମା’ କନ୍ୟା ଖୋଜିଲେ । କେତେ ଆଡ଼ୁ କେତେ ପ୍ରସଙ୍ଗ ଆସିଲା । ଗଙ୍ଗା ୟା’ ହାତରେ, ତା’ ହାତରେ ସବୁ ପ୍ରସଙ୍ଗକୁ ନାହିଁ କରିଦେଲା । ବାପ-ମା’ କେତେ ଗାଳିଦେଲେ; ଶେଷକୁ ଆଉ କିଛି ଦିନ ଅପେକ୍ଷା କରି ତୁନି ହୋଇ ରହିଲେ ।

ଗଙ୍ଗା ଚାକିରି କରୁଥିଲା ମଳିପଡ଼ା ସରବରାକାରଙ୍କ ଘରେ । ଚାକିରି ଭିତରେ ତାକୁ ଘରର ଜଣେ ମଣିଷ ପରି ସବୁ କାମ କରିବାକୁ ପଡ଼ୁଥିଲା । ସରବରାକାରଙ୍କ ଝିଅ ଚମ୍ପା ଦିନେ ଗଙ୍ଗାକୁ ଗୋପନରେ ଆସି କହିଲା - ‘‘ଗଙ୍ଗା, ତୁ ଜଣକୁ ମାରିପାରିବୁ ?’’

ଗଙ୍ଗା କହିଲା - ‘‘ନା, ମୋ’ ହାତରେ ସେ କାମ ହବ ନାହିଁ ।’’

ଚମ୍ପା ତା’ ହାତଟାକୁ ଧରିପକାଇ ରୁଦ୍ଧକଣ୍ଠରେ କହିଲା - ‘‘ମୋତେ ମାରିପାରିବୁ ନାଇଁ? ମୋତେ ଆଉ ଜଣେ ମାଇଲେ ତୁ ସମ୍ମାଳିବୁ ?’’

ଯୁବତୀର କଥା ଗଙ୍ଗା ମନକୁ ଟିକିଏ ଲାଗିଲା । ସେ ଜାଣିଲା ଯେ, ଚମ୍ପା ପାଇଁ ଯେଉଁ ଅଶୀ ବର୍ଷର ପଞ୍ଚମ ପକ୍ଷ ବର ସାଙ୍ଗେ ବିଭାକଥା ଉଠିଛି, ତାହାରି ଫଳ ଏ । ତା’ ମନରେ ଭାବାନ୍ତର ପହଞ୍ଚିଲା ।

ଚମ୍ପା ଗଙ୍ଗାର ଆହୁରି ପାଖକୁ ଲାଗିଯାଇ କହିଲା - ‘‘ତୁ ରେଙ୍ଗାମ ଦେଖିଛୁ . . .? ମୁଁ ଯିବି, ଆଉ ତୁ ଯିବୁ ।’’

ସେ ରାତିରେ ଗଙ୍ଗା କେବଳ ସ୍ୱପ୍ନ ଦେଖିଲା ଚମ୍ପାକୁ । ଚମ୍ପା କେବଳ ଆଶା ରଖିଲା ଗଙ୍ଗାଠାରେ ।

ଦିନ-ଦିନ କର କେତେ ଦିନ ଗଲା । ଚମ୍ପା ନାଁ ଶୁଣିଲେ ଗଙ୍ଗା ଅନ୍ୟମନସ୍କ ହେଲା; ଗଙ୍ଗାକୁ ଦେଖିଲେ ଚମ୍ପାର ଦେହମୁଣ୍ଡ ଶୀତେଇ ଉଠିଲା । ଗଙ୍ଗା ଘରର ଆଉ କାହା ପ୍ରତି ଚାକର ହୋଇପାରେ; ମାତ୍ର ଚମ୍ପା ପ୍ରତି ନୁହେଁ. . . ।

ଦୁଇଟା ତରୁଣ ପ୍ରାଣରେ କ୍ରମେ ଏକାବେଳକେ ଏକା ତାଳରେ ନିଶ୍ୱାସ ବହିଲା - ଏକାବେଳକେ ନିଶ୍ୱାସ ଉଠିଲା ।

ପଞ୍ଚମ ପକ୍ଷ ବର ପ୍ରସଙ୍ଗ ପର୍ବତ ପରି ସେ ଆଡ଼ୁ ମାଡ଼ିଆସିଲା, ଏଣେ ଏ ଯୁଗଳ ପ୍ରାଣ ପବନ ପରି ବିଚଳିତ ହୋଇଗଲା । ରାତିରେ ଦେଖା ହେଲା, ଦିନରେ ଦେଖା ହେଲା, ଦୁହେଁ ଦୁହିଁଙ୍କୁ ଖୁବ୍‌ନିକଟରେ ଚିହ୍ନିଲେ ।

ଲୋକେ କହିବେ ୟା’କୁ ଘୋର ଅନ୍ୟାୟ !!

ୟା’ ପଛେ ପଛେ ଆସିଲା ପଞ୍ଚମ ପକ୍ଷ ବର ସଙ୍ଗେ ଷୋଡ଼ଶୀର ପ୍ରୀତିବନ୍ଧନର ଦିନ; ମାତ୍ର ବେଦୀ ଅପୂର୍ଣ୍ଣ ରହିଲା, ଉତ୍ସବ ଅଧାରେ ରହିଲା । ବିଭାଦିନର ପୂର୍ବ ରାତିରେ ଦେଖାଗଲା, ଚମ୍ପା ଘରେ ନାହିଁ । ସେ ରାତି ରାତି ଗାଁ ସୀମା ପାରହୋଇ ଏକ ଶାହାଡ଼ା ଗଛରେ ଦଉଡ଼ିଖଣ୍ଡକରେ ଓହଳିଛି !

ୟା’ ପରେ ଗଙ୍ଗାର କଥା । ଗଙ୍ଗା ଆଉ ବିଭା ହେଲା ନାହିଁ । ସେ ଆସି ବଗିଚାର ମାଳୀ ହୋଇ ଚାକିରି କଲା । ଆଉ ଚମ୍ପା ଶୋଇଥିବା ଶାହାଡ଼ା ଗଛମୂଳେ ତା’ ଜୀବନର ପ୍ରଣୟ-ଦୀପ ଜାଳିଦେଲା । ଲୋକେ ତାକୁ କହିଲେ, ପାଗଳ । ସେ ଶାହାଡ଼ା ଗଛକୁ ଡ଼ାକିଲା, ‘ଚମ୍ପା !’

ସେହି ଦିନୁ ଯେତେବେଳେ ସେହି ବଗିଚାବାଟେ ଯିବାକୁ ହୁଏ, ପ୍ରଥମେ ସେହି ଶାହାଡ଼ା ଗଛଟାରେ ଆଖି ପଡ଼େ। ଶେଷରେ ସଂସାରର ଏକ କ୍ଷୁଦ୍ର କୋଣରେ ଜଣେ ଯେ ଜଣକ ପାଇଁ ଏପରି ତରୁପତ୍ର ମୃତ୍ତିକା ପାଷାଣ ସୀମା ଭୁଲି ଭାବିପାରେ, ଏହା ଭାବି ଭାବି ଜଡ଼ୀଭୂତ ହେବାକୁ ହୁଏ ।

 

ମୁଁ ଯେ ରେଙ୍ଗୁନରୁ ଫେରିଲି !

 

ଦିବସର ଶେଷ ଜୀବନରେ ସନ୍ଧ୍ୟା ଯେତେବେଳେ ଆସି ନନ୍ଦପୁରରର ଶ୍ୟାମଳ ସୁନ୍ଦର ତରୁକୁଞ୍ଜମୟ ଗିରି ପ୍ରଦେଶରେ ଦେଖାଗଲା, ସହଦେବ ସେତେବେଳକୁ ବାଟର ବାଟୋଇ - ଘରେ ଆସି ପହଞ୍ଚେ ନାହିଁ ।

ପଲ୍ଲୀର ସନ୍ଧ୍ୟା । ତାହା ଶୁଣିବାର ନୁହେଁ; ଦେଖିବା କଥା । ଦୂର ପାହାଡ଼ର ଶିଖରଦେଶରୁ ଆରମ୍ଭ କରି ଏଣେ ପାଦତଳର କ୍ଷୁଦ୍ର ଘାସଟି ପର୍ଯ୍ୟନ୍ତ ବିରାଟ ପ୍ରକୃତି କନକ-ଜଳରେ ଗାଧୋଇଲା ପରି ଦେଖାଯାଉଥାଏ । ଖଣ୍ଡେ ଖଣ୍ଡେ ମେଘ କେବେ କେବେ ଗୋଠଛଡ଼ା, ଦଳଛଡ଼ା, ବାସଫେରନ୍ତା କୁଆ ବଣି ପକ୍ଷୀ ପରି ଆକାଶର ଏ ପାଖେ ସେ ପାଖେ ସେହି କନକସ୍ରୋତରେ ଭାସୁଥାନ୍ତି । ଗଗନରେ ଚହଳ, ଧରଣୀରେ ଉତ୍ସବ - ଏ ସବୁ ପାରହୋଇ ବାଟୋଇ ସହଦେବର ଅନ୍ତର ଭିତରେ କି ଏକ ମହୋତ୍ସବ ରଚନା ଚାଲିଥିଲା ।

ଖାଲି ଏତିକି ନୁହେଁ, ପଲ୍ଲୀର ପୋଖରୀକୂଳରେ ପଲ୍ଲୀବାସିନୀ ବାଳିକାଦଳ କେତେ ରଙ୍ଗର କେତେ ଫୁଲ ତୋଳି, କେତେ ହସ, କେତେ ବେଶ ଫୁଟେଇ ଫୁଟେଇ, କାହା ଭୟରେ କାହା ଲୟରେ ତରତର ହୋଇ ଚାଲିଥାନ୍ତି; ମାତ୍ର ସହଦେବ ସେ ପୋଖରୀହୁଡ଼ା, ସେ ବାଳିକାମେଳା, ସେ ଶୋଭାର ଭେଳା କିଛି ନ ଦେଖି, ଦେଖୁଥାଏ ଆଉ ଗୋଟିଏ ଛବି । ସେ ଛବି ଠିକ୍‌ଦୁଇଟି ଆଖି ଓ ଗୋଟିଏ ମୁହଁ ।

ସନ୍ଧ୍ୟା ଯାଇ ଅନ୍ଧକାର ଆସୁଛି; ମାତ୍ର ସହଦେବ ହୃଦୟରୁ ଅନ୍ଧକାର ଯାଇ ଆଲୋକ ଆସୁଛି । ପଶ୍ଚିମର କନକ କିରଣ, ଆକାଶର ମେଘ, ଧରଣୀର ବାଳିକା, କାହା ପ୍ରତି ତାର ଦୃଷ୍ଟି ନାହିଁ - ଅଛି ତାର ଗାଁ ଭିତରେ ଗୋଟିଏ ବଖରା ଘର, ତା’ରି ଭିତରେ ଦୁଇଟି ପାଦ, ଦୁଇଟି ଆଖି, ଦୁଇଟି କମ୍ପିତ କର, ଗୋଟିଏ ଉଦ୍‌ବିଗ୍ନ ହୃଦୟ ।

ସଂସାରର ଠିକ୍‌ଏହିପରି ଏକ ସମୟରେ ସହଦେବ ତରତରରେ ପାଦ ଚାଲି ନନ୍ଦପୁରର ସରବରାକାରଙ୍କ ପଡ଼ିଶାଘରେ ଯାଇ ପହଞ୍ଚିଲା । ସେତେବେଳକୁ ସରବରାକାର ବାବୁ ତାଙ୍କର ତୃତୀୟ କିସ୍ତି ଅସୁଲ ପାଇଁ ସାତଟା ବସ୍ତାନି ବିଡ଼ା ଧରି ପିଣ୍ଡାରେ ବସି ସାରିଥିଲେ । ପିତଳ ଦୀପଟାରେ କାଣ୍ଟି ଜଡ଼ାତେଲ ପଶି ଦେଢ଼ଇଞ୍ଚ ଉଚ୍ଚରେ ଶିଖା ଟେକି ବତି ଜଳୁଥିଲା । ସେହି ଆଲୋକରେ ତାଙ୍କରି ଚିକ୍‌କଣ ଥନ୍ତଲ ପେଟଟା ଯାହା କିଛି ବାରିହେଉଥିଲା । ଖାରୁଆ କନାର ବସ୍ତାନିଗୁଡ଼ାକ ପ୍ରଜାଙ୍କର ଖଜଣା ଭାର ବହି ବହି ନିର୍ଜୀବ ବେଶରେ ମୁଦା ହୋଇ ପଡ଼ିରହିଥିଲା ।

ସହଦେବ ଆଗ ସେହି ପରିଚିତ ବସ୍ତାନି ବିଡ଼ା ଦେଖି ଚମକି ପଡ଼ିଲା । ସେହି ନଥିବିଡ଼ା ଭିତରୁ କି ଦାରୁଣ ଅଭିଶାପ ବାହାରି ଯେ ତାକୁ ଏତେକାଳ ପ୍ରବାସୀ କରି ରଖିଥିଲା, କେବଳ ସେ’ହିଁ ଜାଣେ । ସେହି ନଥିବିଡ଼ା ଭିତରେ ଦିନେ ଯେ ତାର ସକଳ ଭାଗ୍ୟଡ଼ୋରି ବନ୍ଧାଥିଲା, ବାହାର-ଜଗତ ତାହା ଜାଣେ ନାହିଁ । ତାହାରି ଲାଗି ସେ ମାଣେ ବିଲ ବିକି, ଦୁଇଟା ଦୁଧିଆଳୀ ଗାଈ ବନ୍ଧା ଦେଇ ତେବେକେ ମଧ୍ୟ ଥୟ ଧରି ପାରିଲା ନାହିଁ । ଯେବେ ସେ ରେଙ୍ଗୁନ ଯାଇ ମାସକୁ ଦଶ ଟଙ୍କା କରି ପାଞ୍ଚ ବରଷ ଶୁଝି ନ ଥାନ୍ତା, ପୁରୀ ଜେଳ୍‌ହିଁ ତାର ହୋଇଥାନ୍ତା ଘର ।

ସେହଦେବ ସେହି ରୁମଲୁଚା ଅନ୍ଧାର ଭିତରେ ଚମକି ପଡ଼ି ତରତରରେ ଘର ଭିତରକୁ ପଶିଗଲା । ଦୀର୍ଘ ପାଞ୍ଚବର୍ଷ ହେଲା ରେଙ୍ଗୁନରେ ଥାଇ ଫେରିଲାବେଳେ ସେ କିପରି ଭାବରେ ଘରକୁ ଆସିବ, ଏ ବିଷୟରେ ସେ ଗତ କେତେ ଦିନ, କେତେ ରାତି ଯେ ଭାବିଥିଲା, ଠିକ୍‌ନାହିଁ । ହାତରେ ବୁଜୁଳା ଧରିବ, କି କାନ୍ଧରେ ବୁଜୁଳା ଧରିବ; ଏ ଆଗ କଥା କହିବ, କି ସେ ଆଗ କଥା କହିବ; ଯାଇ ଠିଆହେବ, କି ବସିପଡ଼ିବ - ଏ ସବୁ ବିଷୟରେ ତା’ର କଳ୍ପନାର ସୀମା ନ ଥିଲା; ମାତ୍ର ଘର ଭିତରକୁ ପଶିଲାବେଳକୁ ସେସବୁ କଥା ରକ୍ଷା କରିବାପାଇଁ ବେଳ ଅଣ୍ଟିଲା ନାହିଁ । ପଶିଯାଇ ସେ ଏକ ଦୀର୍ଘନିଶ୍ୱାସ ଛାଡ଼ିଦେଲା ।

ଫୁଟିଲା ମଲ୍ଲିଫୁଲ ଉପରେ ଭଅଁର ବସିଲା ପରି ଆଖି ଦୁଇଟିକୁ ଆନନ୍ଦରେ ଫୁଟାଇ ରଖି ଯଶୋଦା ଏକ ବିଚିତ୍ର ଭାବ ଦେଖାଇଲା । ସେହି ଖୋଳାଡ଼ୋଳା ଦୁଇଟାକୁ ଏକଲୟରେ ସ୍ଥିର ରଖି ସେ ସହଦେବ ମୁହଁକୁ କେବଳ ଚାହିଁରହିଲା । କି ଭାବରେ ତାକୁ ସେ ଅଭ୍ୟର୍ଥନା କରିବ, କିଛି ସ୍ଥିର କରି ପାରିଲା ନାହିଁ । ଏଡ଼େବେଗେ ଏପରି ଭାବରେ ଯେ ସହଦେବ ଆସି ହାଜର ହୋଇଯିବେ, ଏକଥା ତା’ କଳ୍ପନାର ଶତଲକ୍ଷ ଯୋଜନ ଦୂରରେ ଥିଲା ।

ଯଶୋଦା - ସେହଦେବର ସେହି କଳ୍ପନାମୟୀ । ଦେହରେ ତାର ଅଳଙ୍କାର ନାହିଁ, ଆଖିରେ ତାର ଲୁହ ନାହିଁ, ଅଧରରେ ତାର ହାସ୍ୟରେଖା ସୁଦ୍ଧା ନାହିଁ । ଏ କ’ଣ କୈଳାସନାଥଙ୍କ ଲକ୍ଷ୍ୟରେ ତପୋରତା ମୂର୍ତ୍ତି ! ଆଗରେ ଯଶୋଦାର ଏ ବେଶ ଦେଖି ସହଦେବର ଆଉ ଧୈର୍ଯ୍ୟ ରହିଲା ନାହିଁ । ତାର ସକଳ କଳ୍ପନା ପାଣି ହୋଇଗଲା । ଯେଉଁ ବାହୁ ଦୁଇଟା ଆଲିଙ୍ଗନ ପାଇଁ ପାଞ୍ଚବର୍ଷ ହେଲା ବ୍ୟଗ୍ର ଥିଲା, ତାହା କୋହଳ ହୋଇଗଲା । ଭାବନା ଜଡ଼ ହୋଇ ହୃଦୟର କେଉଁ କୋଣରେ ଜମାଟ ବାନ୍ଧି ରହିଗଲା । କେବଳ କାଠ ପିତୁଳା ପରି ସେ ଦଦରା କାନ୍ଥଟାକୁ ଆଉଜି ପଡ଼ିଲା ।

ମାତ୍ର ଯଶୋଦା - ତପୋରତା ପାର୍ବତୀ ସେ । ସେତେବେଳେ ତାର ଆନନ୍ଦର ସୀମା ନାହିଁ ? ଦେଖୁ ଦେଖୁ ଆଖି ଓଦା ହୋଇ ଆସିଲା, କଣ୍ଠ ଥରିଲା । କ’ଣ କହିବ, କହିପାରିଲା ନାହିଁ। କେଡ଼େ ଦୁଃଖର ତୁଷାରଗିରି ତରଳିଗଲା ସତେ !

ଏ ସବୁ ଦେଖି ସହଦେବ କିନ୍ତୁ ପାପଚିନ୍ତାରେ ବୁଡ଼ିଲା । କ୍ଷୀଣ ଛାୟା ପରି ମନରେ ତା’ର ଭାବନା ଖେଳିଲା, ‘ବିଧବା ହୋଇପଡ଼ିଲା ! ମୋତେ ସତେ ଭୁଲିଗଲା. . . .।’ ପଚାରିଲା -

‘‘ଯଶୋଦା. . .’’

ଲୁହ ଢ଼ଳଢ଼ଳ ଆଖିରେ ଯଶୋଦା ଖାଲି ଚାହିଁରହିଲା

-‘‘ଶେଷକୁ ଏ’ୟା ହେବାକୁ ଥିଲା . . .’’

ଯଶୋଦା କହିଲା - ‘‘ହଁ, ଆଗ ଗୋଡ଼ଖଡ଼ୁଯାକ କାଢ଼ିଲି . . .’’

ପାଞ୍ଚବର୍ଷ ପରେ ପରିଚିତା ମୁହଁରୁ ଏ ପ୍ରଥମ କଥା । ସହଦେବ ଚମକିଲା ପରି ହୋଇ ପଚାରିଲା - ‘‘ଆଗ ! ତା’ପରେ ?’’

-‘‘ତା’ପରେ ହାତରୁ, ନାକରୁ, କାନରୁ କାଢ଼ିଥିବି । ଆଜି ତ ମଥାମଣିଟି କାଢ଼ିଛି . . . ’’

ସହଦେବ ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ । ପଚାରିଦେଲା - ‘‘ତାହା ହେଲେ ଶୁଦ୍ଧଘର . . .?’’

ଯଶୋଦା କିଛି ବୁଝିପାରିଲା ନାହିଁ ।

-‘‘ଶୁଦ୍ଧଘର କିମିତି କରିବୁ ବୋଲି ଭାବିଥିଲୁ ?’’

ଯଶୋଦାର ମୁହଁରୁ ପାଣି ମରିଗଲା । ସେ ଆତୁରରେ ଧଇଲା ପରି ସହଦେବର ହାତକୁ ଧରି ପକାଇଲା - ‘‘କେଡ଼େ କଥା କହିଲ ସତେ, କେଡ଼େ କଥା କହିଲ !’’

ଦୁହେଁ ଅନେକ ସମୟ ନୀରବ ।

ତା’ ପରେ ଯେତେବେଳେ କଥା ଆରମ୍ଭ ହେଲା ସହଦେବ ବୁଝିଲା - ସାମାନ୍ୟ କେତୋଟି ଟଙ୍କା ଚକ୍ରବୃଦ୍ଧି ହିସାବରେ ସୁଧମୂଳ କଷି ସରବରାକାର ତା ଉପରେ ଯେ ଭାର ଲଦିଥିଲେ, ତା ଶୁଝିବାଲାଗି ସେ ରେଙ୍ଗୁନଠାରୁ ମାସକୁ ମାସ ଦଶଟଙ୍କା କରି ପଠାଇଛି । ଦଶଟଙ୍କା ଲେଖାଏଁ ପାଇଲା ବାଦ୍‌ଆଉ ଅଧିକା ଦୁଇ ଟଙ୍କା କରି ଶୁଝିଲେ ପାଞ୍ଚବରଷରେ ଶୁଝ୍‌ପାଇବ ବୋଲି ଯଶୋଦା ଭୁଲ ହିସାବରେ ଦେହର ଅଳଙ୍କାରପତ୍ର ବିକି ଶୁଝିଆସିଛି । ସରବରାକାର ମଧ୍ୟ ଆଗ୍ରହରେ ତାହା ଗ୍ରହଣ କରି ଆସିଛନ୍ତି ।

ଟଙ୍କା ଶୁଝି, ବିଧବା ବେଶ ପିନ୍ଧି ଯଶୋଦା ଯେ ଏତେ କାଳ ବାଟ ଚାହିଁ ରହିଥିଲା, ଏ କଥା ବୁଝିପାରି ସହଦେବର ବୁକୁ ଭିତରଟା ପୁଲକି ଉଠିଲା ! ସେହି ବିଧବା ବେଶ ତାକୁ ଆହୁରି ସୁନ୍ଦର ଦେଖାଗଲା । ନିରାଭରଣା ଯଶୋଦାକୁ ସେ କୋଳରେ ଜାକିଧରି, ଲୁହ ଢ଼ଳଢ଼ଳ ଆଖିରେ ସରବରାକାରଙ୍କ ଘର ଆଡ଼କୁ ଚାହିଁ କହିଲା - ‘‘ମୁଁ ଯେ ରେଙ୍ଗୁନରୁ ଫେରିଲି !ତୋ’ରି ପାଇଁ ଫେରିଲି, ଯଶୋଦା ।’’

ସହଦେବର କଥା କଣ୍ଠ ପାଖେ ଅଟକି ଗଲା । ଯଶୋଦା ସହଦେବର ମୁହଁ ପାଖେ ମୁହଁ ରଖି ଉତ୍ତର ଦେଲା - ‘‘ହଁ, କେବଳ ତୁମରି ପାଇଁ ମୁଁ ଏ ଅଳଙ୍କାରପତ୍ର ବିକିଛି ସିନା !’’

 

Unknown

ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ

 

ଓଡ଼ିଶାର ଖୁବ୍‌କମ୍‌ଲୋକ ଯେଉଁ ଗାଆଁଖଣ୍ଡିକୁ ଜାଣିଛନ୍ତି ସେହି ଗାଆଁଟା ନାଁ ହେଉଛି ‘ସିଆଳି’ । ସିଆଳି ଗାଆଁକୁ ବେଶୀ ଲୋକ ଜାଣିବାର କିଛି କାରଣ ନାହିଁ । ସେ ଗାଆଁ ଭିତରେ ପକ୍‌କାଘର ନାହିଁ, ସେ ଗାଆଁକୁ ଭଲ ବାଟ ନାହିଁ, ସେ ଗାଆଁର ଲୋକେ ପାଠ ମଧ୍ୟ ପଢ଼ି ନାହାନ୍ତି । ଗୋବର ଗାଡ଼ିଆରେ କଇଁ ଫୁଟିଲା ପରି ଗୋପାଳ ଯେ କିପରି ସେଠାରେ ଫୁଟିଲା, ତାହା ହେଉଛି ଓଡ଼ିଶାର ନାନା ଆଶ୍ଚର୍ଯ୍ୟଜନକ ଘଟଣା ଭିତରୁ ଗୋଟିଏ ।

ଓଡ଼ିଶା ମୁଲକରେ ସିଆଳି ବୋଲି ଗୋଟିଏ ଗାଆଁ ଅଛି, ଆଉ ସେହି ଗାଆଁରେ ତା’ର ଘର ବୋଲି ଗୋପାଳ କେବେ ଭୁଲରେ ସୁଦ୍ଧା କାହା ଆଗେ ନିଜର ପରିଚୟ ଦିଏ ନାହିଁ । ଗାଆଁ ନାଁ ପଚାରିଲେ ସେ ଗୋଟାଏ ଚାଲାକି କରି ଥାନାର ନାଁଟା କହିଦିଏ । କଥାଟା ସେଥିରେ ପ୍ରାୟ ଘୋଡ଼େଇ ହୋଇଯାଏ । ସିଆଳିର ଲୋକେ ମୁଣ୍ଡଝାଳ ତୁଣ୍ଡେ ମାରି ପେଟ ପୋଷନ୍ତି । କିଏ ମୂଲ ଲାଗେ, କିଏ ପନିପରିବା ବିକେ, କିଏ ବା ପାଇଟି ନ ପାଇଲେ ଭିକ ମାଗି ଚଳେ । ଏଗୁଡ଼ାକ ସମାଜର ନିତାନ୍ତ ତଳଶ୍ରେଣୀ ଲୋକଙ୍କ କାର୍ଯ୍ୟ - ଗୋପାଳ ଏ କଥା ପାଠ ପଢ଼ି ବୁଝିଛି । ତେଣୁ ସେ କଟକର ପକ୍‌କାଘର ଭିତରେ ଏଗୁଡ଼ାଙ୍କୁ ଆତ୍ମୀୟ ଦୃଷ୍ଟିରେ ବା ଶ୍ରଦ୍ଧାଚକ୍ଷୁରେ ଦେଖେ ନାହିଁ । ଏ କଥା କଳ୍ପନା କଲେ ତାର ଲୋମ ଟାଙ୍କୁରି ଉଠେ । ଭାବେ, ସିଆଳି ଗାଆଁଟା ଯେବେ ସମତଳ ଅଞ୍ଚଳରେ ତ ସେ ଆସି ବସିଛି ଗୈାରୀଶଙ୍କର ଶୃଙ୍ଗରେ ! ତାର ପାଠଠାରୁ ଗାଁଲୋକଙ୍କ ସ୍ଥାନ କେତେ ତଫାତ !

ପିଲାଦିନର ଅନେକ କଥା ପକ୍‌କାଘର ଭିତରେ ଗୋପାଳର ମନେପଡ଼େ; ମାତ୍ର ଗୋଟିଏ କଥାକୁ ସେ କେବେ ହେଲେ ମନରୁ ପାଶୋରି ପାରେ ନାହିଁ । ସେ ନିତାନ୍ତ ଛୋଟ ଥିଲାବେଳେ ତାର ବାପା ଜଣେ ତହସିଲଦାରଙ୍କର ପିଆଦା ଥିଲେ । କାଠବିକା ବ୍ୟବସାୟ ଛାଡ଼ି ସେ ପିଲାକୁ ଧରି ତହସିଲଦାରଙ୍କୁ ଗୋଟିଏ ବର ମାଗିଥିଲେ । ପାଞ୍ଚବର୍ଷ ପରେ ବଦଳି ହେବା ସମୟରେ ତହସିଲଦାର ବାବୁ ଅନୁରକ୍ତ ଭୃତ୍ୟ ପ୍ରତି ବଡ଼ ଶୁଭଦୃଷ୍ଟି ପକାଇଲେ । ତାହାରି ଫଳରେ ଗୋପାଳ କଟକ କଲେଜ ପର୍ଯ୍ୟନ୍ତ ଯାଇପାରିଛି । ଏବେ ତହସିଲଦାର ନାହାନ୍ତି କି ତାର ବାପା ନାହାନ୍ତି ।

ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ଉତ୍କଳମଣିଙ୍କ କରୁଣ ଆହ୍ୱାନରେ ଓଡ଼ିଶା ବୁକୁର କଠୋର ପଥର ଖଣ୍ଡ ସୁଦ୍ଧା ତରଳି ଯାଉଥିଲା । ମହାନଦୀର କରାଳ ବନ୍ୟାରେ ଶହ ଶହ ଲୋକ ଭାସିଗଲେ; ହଜାର ହଜାର ଘର ଭାଜିଗଲା, ବିଲ ଉପରେ ସାତଫୁଟ ପାଣି ଠିଆହେଲା, ଗଛ ଉପରେ ମଣିଷ ଆଶ୍ରୟ ନେଲା, ସ୍ଥଳ ନ ପାଇ ଚାଳ ଉପରେ ମାଆ ସନ୍ତାନ ପ୍ରସବ କଲା, ଛାଡ଼ି ନ ପାରି ପିତା ପୁତ୍ରର ଶବକୁ ଜାକିଧରି ଗଛରେ ଲାଖିରହିଲା - ଏସବୁ କାହାଣୀ ଶୁଣି ପଥର ତରଳିବା ଅସମ୍ଭବ କ’ଣ ?

ଉତ୍କଳମଣିଙ୍କର ଏ ଡ଼ାକ ସମସ୍ତଙ୍କ କାନରେ ବାଜିଲା । କଲେଜ ଭିତରର ଏକ କୋଠରିରେ ଗୋପାଳ ମଧ୍ୟ ଏ କଥା ଶୁଣିଲା । ଦଳ ଦଳ ଛାତ୍ର ବନ୍ୟାରେ ଲମ୍ପ ଦେବାକୁ ବାହାରିଲେ । ବନ୍ୟାର ଏ ଅତ୍ୟାଚାରରେ କେତେ ଯୁବକପ୍ରାଣରୁ ଏପରି ତପ୍ତ ଶ୍ୱାସ ଉଠିଲା ଯେ କଲେଜ ଭିତ୍ତି ପର୍ଯ୍ୟନ୍ତ ଥରିଗଲା - ଓଡ଼ିଶା ଯେବେ ଗଲା, କାହା ଘେନି କଲେଜ ?

ଗୋପାଳ ତ ସେ ଦିନ ଭାତ ଥାଳି ପାଖେ ବସିଲା ନାହିଁ । ରାତିରେ ଶେଯରେ ଶୋଇ ପାରିଲା ନାହିଁ ମଧ୍ୟ। ସନ୍ଧ୍ୟାବେଳୁ ସେ ଚଉକି ଉପରେ ବସି ବସି ଚିନ୍ତା କଲା । ତା ଚିନ୍ତାଭିତରେ ଗୋଟାଏ ଅତୀତ ଜୀର୍ଣ୍ଣ ଜଗତ୍‌ର ନିତାନ୍ତ ଅସ୍ପଷ୍ଟ ଛାୟା ଦେଖାଗଲା । କି ଦୀନହୀନ ବେଶ ସେହି ଜଗତ୍‌ର ! ଗ୍ରାମଗହଳର କୋଳାହଳ ଭିତରେ ଗୋଟିକର ମୁହଁରେ ହେଲେ ହସ ନାହିଁ । ବିଲରେ ପାଣି, ଘରେ ପାଣି, ପ୍ରତି ଆଖିରେ ପାଣି ! ବିଲ ପଡ଼ିଆର କୂଳଥଳ ମିଳୁନାହିଁ, ହୃଦୟରେ ଭାବନାର କୂଳଥଳ ମିଳୁନାହିଁ; ଏ ପ୍ରାଚୀନ ଜାତିଟାର ଶକ୍ତିଶାଳୀ ବଂଶଧରଗଣ ଶକ୍ତି ହରାଇ କୁଆଡ଼େ ଭାସିଯାଉଛନ୍ତି, ତାହା କଳ୍ପନା କରି ହେଉନାହିଁ । ସବୁଆଡ଼େ ହାହାକାର, ସବୁଆଡ଼େ ଚିତ୍କାର । ସେହି ଭିତରେ ଗୋପାଳ ଦେଖିପାରିଲା ତା’ର ସେହି ପୂର୍ବ-ପରିଚିତ ସିଆଳି ଗାଁର ଚିତ୍ର । ସେ ଗାଁର ଲୋକେ ଭାସି ଯାଇଛନ୍ତି, ଗାଆଁର ପୂର୍ବପଟ ସେହି ଭାଗବତ ଘରଟା ଆଉ ନାହିଁ । ଗ୍ରାମଦେବତୀ ବାଉତେଈଙ୍କ ମଣ୍ଡପର ପଥର ଖୁଣ୍ଟ କେବଳ ପାଣି ଉପରକୁ ଦେଖାଯାଉଛି । ଗାଆଁର ଯେଉଁ ଉଚ୍ଚ ମଶାଣି ଭୂଇଁଖଣ୍ଡକ ସମସ୍ତଙ୍କର ଆଶ୍ରୟସ୍ଥଳ, ସେଠାର ବଡ଼ ବରଗଛକୁ କିଏ ଆଶ୍ରୟ ଦେଇପାରିନାହିଁ ! ତା’ର ବୁକୁ ଦାଉଁଦାଉଁ ପଡ଼ିଲା ଉଠିଲା । କେବେ ତ ସେ ପକ୍‌କାଘରେ ବସି ସିଆଳି କଥା ଭାବି ନାହିଁ; ଏତେ ଦିନେ ସେହି ସ୍ମୃତି କାହିଁକି ଜାଗିଲା, ସେ ତତ୍ତ୍ୱ ସେ ଖୋଜିବାକୁ ଚେଷ୍ଟା କଲା ନାହିଁ । ସେ କେବଳ ଆଖିଆଗରେ କେତେଗୁଡ଼ାଏ ବିଭଙ୍ଗ ଚିତ୍ର ଦେଖିଲା; ବେଳେ ବେଳେ ଚମକିଲା ପରି ଚଉକିରେ ସିଧା ହୋଇ ବସି ଗୋଟାଏ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା । କଇଁଫୁଲ ପରି ଧଳା ଶେଯଟାରେ ସେ ବହୁବାର ଏପାଖ ସେପାଖ କଡ଼ ଲେଉଟାଇଲା । ଆଖି ଫିଟାଇ ରଖି ଯାହା ଚିନ୍ତା କଲା, ଆଖି ମୁଦି ରଖି ସେହି କଥା ମଧ୍ୟ ଭାବିଲା ଗୋଟାଏ କ୍ଷୁଦ୍ର ପଲ୍ଳୀର ହତଭାଗାଙ୍କ ଚିତ୍କାର ତାର ପ୍ରାଣକୁ ବେଳେ ବେଳେ ଚମକାଇ ଦେଲା । ବରଫ-ଶୁଭ୍ର କାନ୍ଥଦେହରେ ସେ ପ୍ରେତଛାୟା ଦେଖି ପାରିଲା । କିଏ କହିଲା,‘ଗୋପାଳ ଗୋପାଳ, ଗୋପାଳ’, କିଏ କହିଲା,‘ଗୋପାଳ ବାବୁ !’ ଗୋପାଳ ଆଉ ଶୋଇବ କ’ଣ ?

ଦିନେ ସ୍ୱେଚ୍ଛାସେବକଦଳ ବନ୍ୟା ଅଞ୍ଚଳରେ କାମ କରିବାପାଇଁ ଯେତେବେଳେ ବାହାରିଲେ, ଗୋପାଳ ମଧ୍ୟ ସେମାନଙ୍କ ସଙ୍ଗେ ବାହାରିଲା । ବାହାରିବା ଆଗରୁ ସ୍ୱଚ୍ଛାସେବକମାନଙ୍କୁ ବହ ଆୟୋଜନ କରିବାକୁ ହେଲା । କେତେଦିନପାଇଁ ଲୁଗାପଟା ଓ ଖାଦ୍ୟପେୟର ବ୍ୟବସ୍ଥା ହେଲା । କଲେଜ ଭିତରୁ ଗାଁ ଭିତରକୁ ଯିବା ଅନ୍ୟ ସ୍ୱେଚ୍ଛାସେବକଙ୍କ ପକ୍ଷରେ ଯାହା ହେଉ ନା କାହିଁକି, ଗୋପାଳ ପକ୍ଷରେ ଗୋଟାଏ ନୂତନ କଥା । କଲେଜରୁ ଗାଆଁ ତ କମ୍‌ତଫାତ୍‌ନୁହେଁ ! କେତେ ଦିନ ରହିବାକୁ ହେବ, କିଏ ଜାଣେ ? ସେଥିପାଇଁ ଦଶ ପାଞ୍ଚ ଖଣ୍ଡ ଅଧିକା ଲୁଗା ନ ହେଲେ ନ ଚଳେ । ଯେଉଁଠାରେ ଲୋକେ ଖାଇବାକୁ ପାଉନାହାନ୍ତି, ସେଠାରେ ପ୍ରତିଦିନ ଜଳଖିଆ ବା ମିଳିବ କୁଆଡ଼ୁ ? ତେଣୁ ଇସ୍ତିରୀଦିଆ ଲୁଗାଗୋଚ୍ଛା ସହିତ କମଳା, ଅଙ୍ଗୁର, ଖଜରା, ଚିନି, ଅଟା, ଷ୍ଟୋଭ ପର୍ଯ୍ୟନ୍ତ ବ୍ୟବସ୍ଥା ଗୋପାଳ ଅନ୍ୟମନସ୍କ ଭାବରେ କରି ପକାଇଲା । ବନ୍ୟାସ୍ରୋତ ପଛେ ପଛେ ସ୍ୱେଚ୍ଛାସେବକ ସ୍ରୋତ ଗାଁ-ଗହଳକୁ ଚାଲିଲେ ।

ଦିଗନ୍ତବିସ୍ତୃତ ବିଲ ପଡ଼ିଆ-ସେ ଭିତରେ ମଫସଲର ଚିହ୍ନ ସୁଦ୍ଧା ନାହିଁ । ବନ୍ୟାର କରାଳ ଜିହ୍ୱା ସବୁ ଶେଷ କରି ଦେଇଛି । ଦୂରରୂ ଦେଖିଲେ ଠାଏ ଠାଏ ଗଛଗହଳରେ କେତେଟା ଘର ଦେଖାଯାଉଛି, ତାହାରି ଭିତରେ ହତଭଗା ଚାଷୀଭାଇଙ୍କର ସଂସାର । ସେ ଭିତରକୁ ଯିବାକୁ ହେଲେ କାଦୁଅ, ପାଣି, କଣ୍ଟା, ଖୁଞ୍ଚା, ଅମଡ଼ା ରାସ୍ତା - ସବୁ ଭେଟିବାକୁ ପଡ଼ିବ । ସେ ଭିତରର ଜୀବଙ୍କ ସେବା କରିବାକୁ ହେଲେ ନିଜକୁ ମଶା, ମେଲେରିଆ ଜ୍ୱର, ମହାମାରୀ, ବସନ୍ତର ସମ୍ମୁଖୀନ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ । କଟକ-ବ୍ରହ୍ମପୁରର ରାଜରାସ୍ତା ସେଠାରେ ନାହିଁ କି ପୁରୀର ବଡ଼ଦାଣ୍ଡ ସେଠାରେ ନାହିଁ । ତେଣୁ କଟକ କୋଠରିଠାରୁ ଯେ ଏହା ବହୁତ ଦୂରରେ, ତାହା ଗୋପାଳ ବୁଝିବାକୁ ବାକି ରହିଲାନାହିଁ ।

କଟକ ଛାଡ଼ିଗଲାବେଳେ ଗୋପାଳର ମନ ଯେପରି ଥିଲା, ବନ୍ୟା ଅଞ୍ଚଳର ମାଧପୁର କେନ୍ଦ୍ରକୁ ଆସିଲା ବେଳକୁ ତହିଁର ଘୋର ପରିବର୍ତ୍ତନ ଘଟିଯାଇଛି । ତିନି ଦିନର ରାସ୍ତା ତାକୁ ଲାଗିଛି ଠିକ୍‌ତିନି ବର୍ଷେ ପରି । ଚାଲି ଆସିବାରେ ତା’ର ଚାରିଟା ଇସ୍ତିରୀଦିଆ ଧୋତି କାଦୁଅ ଛିଡ଼ିକି ନଷ୍ଟ ହୋଇଯାଇଛି । ସାଙ୍ଗରେ ବୋହିଥିବା ସୁରେଇର ଛଣା-ପାଣି ସରିଯିବା ଫଳରେ ବାଟରେ ଭଲ ପାଣି ଟୋପାଏ ପିଇବାକୁ ମିଳିନାହିଁ । ଜୋତା ଲଗାଇବାର ଆଦୈା ସୁବିଧା ଘଟିନାହିଁ । ତେଣ ଅନଭ୍ୟସ୍ତ ଗୋଡ଼ରେ ଦୁଇଟା କଣ୍ଟା ଗଳିଛି ଓ ଗୋଟାଏ ଗେଣ୍ଡା କାଟିଛି । ଆଣିଥିବା ଜଳଖିଆ ଅଧାରୁ ବେଶି ଶେଷ ପାଇଛି । ଏପରି କ୍ଷେତ୍ରରେ ତା’ର ମନ ଖୁବ୍‌ବିଗିଡ଼ି ଯାଇଛି ।

ଚାଉଳଦିଆ କେନ୍ଦ୍ର - କେବଳ ସେଠାରେ ଜନସମୁଦ୍ର ! ଦରିଦ୍ର, ନିଃସହାୟ ପଲ୍ଲୀବାସୀ ପ୍ରାଣପ୍ରିୟ ପିଲା-କୁଟୁମ୍ବ ଧରି ମୁଠାଏ ମୁଠାଏ ଚାଉଳ ପାଇଁ ସେଠାରେ ଜମାହୋଇଛନ୍ତି-ମୁଠାଏ ପାଇଲେ ପୁଅଠାରୁ ବାପ, ଭାଇଠାରୁ ଭାଇ ଭିଡ଼ି ଓଟାରି ଗିଳି ପକାଇବାରେ କୁଣ୍ଠାବୋଧ କରୁ ନାହାନ୍ତି । ସେଠାରେ ଗୋପାଳର କର୍ତ୍ତବ୍ୟ ? ସେ ଗୋଟାଏ ଦୀର୍ଘଶ୍ୱାସ ପକାଇଲା । ତା’ ପରେ ଧୀରେ ଧୀରେ ରୁମାଲରେ ମୁହଁ ପୋଛି, ତା’ର ଇସ୍ତିରୀଦିଆ ଲୁଗା କାହା ଦେହକୁ ନ ଲାଗିଲା ପରି ବଡ଼ ସାବଧାନରେ ଠିଆ ହେଲା । କିନ୍ତୁ ଚାରିଆଡ଼େ ତ କଙ୍କାଳ, ଚାରିଆଡ଼େ ତ ଦରିଦ୍ର, ସେ କାହାକୁ କରଛଡ଼ା ହୋଇ ରହିବ ? ଦିନେ ଦୁଇଦିନ ଗଲା, ସେ ମୁଠି ଚାଉଳ ଦେବାରେ ଅଭ୍ୟସ୍ତ ହେଲେ ମଧ୍ୟ ଲୋକଙ୍କ ବ୍ୟବହାରରେ ନିତାନ୍ତ ଉତ୍ତ୍ୟକ୍ତ ହୋଇ ଉଠିଲା - କିଏ ପାଖକୁ ମାଡ଼ିଆସୁଛି, କିଏ ଉପରେ ପଡ଼ୁଛି, କିଏ କୁଞ୍ଚ କାନି ଧରି ଭିଡ଼ୁଛି, କିଏ ହାତ ଧରି ଟାଣୁଛି । ପ୍ରତି ମୁହୂର୍ତ୍ତରେ ତାକୁ ବ୍ୟତିବ୍ୟସ୍ତ ହେବାକୁ ପଡ଼ୁଛି । ମନ ନିତାନ୍ତ ତିକ୍ତ ହୋଇଉଠୁଛି । କେଡ଼େ ବୋକା ଲୋକଗୁଡ଼ାକ ! ଭଦ୍ରାମି ଜାଣନ୍ତି ନାହିଁ ? ଖାଇବାକୁ ନାହିଁ ବୋଲି ଭଦ୍ରଲୋକର ଲୁଗା ଭିଡ଼ିବେ ? ଛି !

ଖାଲି ଯେ ଗୋପାଳ ଏ କଥା ମନରେ ଭାବିଲା ତା’ ନୁହେଁ, କାର୍ଯ୍ୟରେ ମଧ୍ୟ ଦେଖାଇଦେଲା । ବିରକ୍ତ ହେଲା, ନାକ ଟେକିଲା, ହାତ ଛିଞ୍ଚାଡ଼ିଲା, ଫୋପାଡ଼ିଲା ପରି ଚାଉଳ ଦେଲା । ଦରିଦ୍ର ପଲ୍ଲୀବାସୀ ତଥାପି ଶିଖିପାରିଲେ ନାହିଁ - ଏଇ ହେଉଛି ଗୋପାଳ ମନରେ କଷ୍ଟ !

ଗୋପାଳଠାରୁ ସମସ୍ତେ ଚାଉଳ ନିଅନ୍ତି; କିନ୍ତୁ ଗୋପାଳ ଦେଖେ, ଅର୍ଗଳି ପାଖେ ଗୋଟିଏ ବୁଢ଼ା କେବଳ ଠିଆ ହୋଇ ଫେରିଯାଏ । ସେ ପାଖକୁ ଆସି ମାଗେ ନାହିଁ କି ମାଗିବା ପାଇଁ କାହାକୁ କହେ ନାହିଁ । ଗୋପାଳ ତାକୁ ଦେବ ବୋଲି ବିଚାରେ; ମାତ୍ର ଗହଳି ପାରହୋଇ ଯାଇ ଦେଇପାରେ ନାହିଁ । ଦିନେ, ଦୁଇ ଦିନ, ଚାରି ଦିନ ଗଲା; ବୃଦ୍ଧର ସେହି କରୁଣ ଦୃଷ୍ଟି ଗୋପାଳ ଭୁଲିପାରିଲାନାହିଁ; କେବଳ ପରିଚିତ ମୁହଁ ପରି ତାକୁ ଜଣାପଡ଼ିଲା । ଦିନେ ଆଗରୁ ଲୋକ ଆଡ଼େଇ ଆଡ଼େଇ ସେ ଯାଇ ବୃଦ୍ଧ ପାଖେ ପହଞ୍ଚିଲା । ପଚାରିଲା - ‘‘ନେଲେଣି ?’’

ବୁଢ଼ାଟି ମୁଣ୍ଡ ଟୁଙ୍ଗାରି କହିଲା - ‘‘ହଁ।’’

-‘‘ତେବେ ଠିଆହୋଇଛ ?’’

ବୃଦ୍ଧ ତା’ର ଶୁଖିଲା ଧଳା ଛେପ ଲାଗିଥିବା ଓଠକୁ ଶୁଖିଲା ଜିଭରେ ଚାଟି ଥରେ ଦି’ଥର ପାଟି ବୁଲାଇଲା। ତା ପରେ ଗୋପାଳ ମୁହଁକୁ ଥୁ ଥୁ କରି ଦୁଇ ଲେଣ୍ଡା ଛେପ ପକାଇ ଆଖି ତରାଟି ଚାହିଁ ରହିଲା ।

ଖୁବ୍‌ଚହଳ ତ ପଡ଼ିଗଲା, ଗୋପାଳର ମୁହଁ କଳା ପଡ଼ିଗଲା । ସମସ୍ତେ କହିଲେ - ‘‘ସିଆଳିର ସାନ୍ତରା କଲେ କ’ଣ ?’’ ଗୋପାଳ ସେ ରାତି ରାତି ରାଗ, ଅପମାନ, ବିରକ୍ତିରେ କଟକ କୋଠରି ଅଭିମୁଖେ ଯାତ୍ରାକଲଶ । ତା’ର ଚାରିଦିନ ପରେ କଟକରେ ଉତ୍କଳମଣି ସାଧାରଣ ସଭାରେ କାନ୍ଦି କାନ୍ଦି ହାତ ପ୍ରସାରି ମାଗିଲେ, ‘‘କାହାରି ଛିଣ୍ଡା ଲୁଗା ଅଛି, ତାହା ମଧ୍ୟ ଦେଲେ ଦରିଦ୍ରର ସେବାରେ ଲାଗିବ ।’’

ଦରିଦ୍ରର ସେବା ! ଛିଣ୍ଡା ଲୁଗା ! ଗଭୀର ବିରକ୍ତିରେ ମୁଣ୍ଡ ପୋତି ବସିରହି କଲେଜ ଘରେ ଗୋପାଳ ପୁଣି ଚମକିଲା । ନିଜର ଲୁଗାପଟାକୁ ଚାହିଁଲା - ଦେଖିା, ଖଣ୍ଡିଏ ସୁଦ୍ଧା ଛିଣ୍ଡା ନାହିଁ, ଖଣ୍ଡିଏ ସୁଦ୍ଧା ଚିରା ନାହିଁ ! ପୁଣି ମୁଣ୍ଡ ପୋତିଲା, ପୁଣି ଟେକିଲା । ଯେ ଭଦ୍ରାମି ଜାଣେ ନାହିଁ, ତା’ର ପୁଣି ସେବା କରିବାକି ହେବ ? - ଗୋପାଳ ଏଥିର ତତ୍ତ୍ୱଖୋଜି ପାଇଲାନାହିଁ । ଛିଣ୍ଡାଲୁଗା । ପୁରୁଣା ଲୁଗା । କାହାପାଇଁ ? ଗୋପାଳ ମୁଣ୍ଡ ଟେକି ନିଜର ଲୁଗାକୁ ପୁଣି ଚାହିଁଲା - ସଫା ଆଖି ମେଲାକରି ଦେଖିଲା ସେହି ଲୁଗାରେ ସେହି ଅର୍ଗଳି ପାଖ ବୃଦ୍ଧର ଛବି ! ଆଖି ମଳିଲା, ରୁମାଲରେ ଆଖି ପୋଛିଲା । ରୁମାଲକୁ ଚାହିଁ ଦେଖିଲା, ସେଥିରେ ଛେପ ଲାଗିନାହିଁ । ତଥାପି ସେହି ବୃଦ୍ଧ ଆଖି ଆଗରେ ! ବୃଦ୍ଧ-ବାସ୍ତବିକ ବୃଦ୍ଧ । କେବଳ ହାଡ଼ ଉପରେ ଚମ ଛାଉଣି ହୋଇଛି । ବିରାଟ ବପୁର କଙ୍କାଳ ସେ ! ସେ କାନ୍ଦୁ ନାହିଁ, ସେ ହସୁ ନାହିଁ । ଉଲଗ୍ନ ବେଶରେ ଲୁଗାର ପ୍ରତି ସୂତାଦେହରେ ସେ ଜଡ଼ିତ ହୋଇ ରହିଛି । ଉତ୍କଳମଣିଙ୍କର ଏହି କି ସେହି ଦରିଦ୍ର !! ଏହାରି ସେବାପାଇଁ ଛିଣ୍ଡା ଲୁଗା !! ଗୋପାଳ ମୁହଁ ପୋଛି ଠିଆହେଲା । ଦୁଆରମୁହଁରେ ଶବ୍ଦ ହେଲା ଦିଅ, ଲୁଗା ଦିଅ । ଲୁଗା ଦିଅ । ସ୍ୱେଚ୍ଛାସେବକଙ୍କ ମୁହଁକୁ ଚାହିଁ ଗୋପାଳ ପ୍ରଥମେ କିଛି କହିପାରିଲା ନାହିଁ। ଜଣେ କହିଲା ‘‘ସେଟା ଦିଅ’’, ଜଣେ କହିଲା-‘‘ଏଟା ଦିଅ ।’’ ଗୋପାଳ ମନା କଲା ନାହିଁ । ହାତରେ ଭିଡ଼ିଆଣି ବଢ଼ାଇ ଦେଲା - ସତେ ଯେପରି ସହି ସ୍ୱେଚ୍ଛାସେବକଙ୍କ ଗହଣରେ ସେହି ବୃଦ୍ଧଙ୍କୁ ସେ ଦେଖି ପାରିଲା । ଖଣ୍ଡକୁ ଖଣ୍ଡ ଲୁଗା, କାମିଜ ଦେଉ ଦେଉ ପଚାରିପକାଇଲା - ‘‘କ’ଣ ବୁଢ଼ାପାଇଁ ?’’ ସମସ୍ତେ ହସିଉଠି କହିଲେ - ‘‘ନା . . .ପିଲା, ବୁଢ଼ା,ବୁଢ଼ୀ, ଯୁବକ, ଯୁବତୀ ସମସ୍ତଙ୍କ ପାଇଁ ।’’ ଗୋପାଳ ମୁହଁ ପୋତି ପୁଣି ମୁହଁ ପୋଛିଲା ।

 

ଏହି ଘଟଣାର ମାସକ ପରେ ଗୋପାଳ ଯେତେବେଳେ ଆଖି ଛଳଛଳ କରି, ଆଣ୍ଠୁଡ଼ିଆଁ ଲୁଗା ଖଣ୍ଡିଏ ପିନ୍ଧି ମାଧପୁର କେନ୍ଦ୍ରର ସେହି ଅର୍ଗଳି ପାଖେ ଠିଆହୋଇ ଚାଉଳ ଦେଉଥିଲା, ସିଆଳି ଗାଁର ବୃଦ୍ଧ ସାନ୍ତରା ବାଡ଼ି ଭରାଦେଇ ଗୋପାଳର ହାତ ଧରି କହି ପକାଇଲେ-

‘‘ବାବୁ, ଉତ୍କଳମଣିଙ୍କ ସାଥିରେ ଏବେ ତୁ ଗାଆଁକୁ ଫେରିଆସିଲୁ ?’’

ଗୋପାଳର ମୁହଁ ହସରେ ଫାଟିପଡ଼ିଲା । କହିଲା- ‘‘ହଁ, ଫେରିଆସିଲି ତୁମରି ଯୋଗୁଁ । ତୁମର ଛେପ ମୋ ଆଖିରେ ଲୁହ ପାଲଟିଗଲା । ଏବେ ବଝିଛି, ସେହି ଛେପ ଦରିଦ୍ର-ପ୍ରାଣର ପ୍ରତିବାଦ ।’’

 

ଦୁର୍ନାମ

 

ଗାଁରେ ଲକ୍ଷ୍ମୀଧରର ଦୁର୍ନାମ ବେଶି । ସକାଳ ନାହିଁ, ସନ୍ଧ୍ୟା ନାହିଁ, ସବୁବେଳେ ସେ କେବଳ ଗାଁରେ ବୁଲେ, ବାରଲୋକଙ୍କ ପାଖେ ବାରକଥା ଆଲୋଚନା କରେ । ସେ କଥା କହିଲା ବେଳେ ତା’ ଓଠର ସଞ୍ଚାଳନ ଦେଖିବାକୁ ଲୋକଙ୍କୁ ଭଲ ଲାଗେ, ଚାହିଁଲାବେଳେ ଚକ୍ଷୁର ମାଧୁରୀ ଦେଖିବାକୁ ସୁଖ ଲାଗେ, ହସିଲବେଳେ ମୁଖଶ୍ରୀ ଦେଖିବାକୁ ପ୍ରୀତିକର ବୋଧହୁଏ; ମାତ୍ର ସେ ଯେଉଁ ଯୁକ୍ତି କରେ, ଯେଉଁସବୁ ସୃଷ୍ଟିଛଡ଼ା କଥାମାନ କାହୁଁ ତୋଳିଆଣିଲା ପରି କହିଦିଏ, ତାହା ଶୁଣିବାକୁ କେହି ପ୍ରସ୍ତୁତ ହୁଅନ୍ତି ନାହିଁ । ସେ କଥାଗୁଡ଼ାକୁ ବାଦ୍ ଦେଇ ସେ ଯେବେ ତା’ର ଓଠ, ଚାହାଣି ଆଉ ମୁଖଶ୍ରୀ ଦେଖାଇ ସବୁବେଳେ ଆଉ କିଛି କହୁଥାନ୍ତା, ତାହାହେଲେ ଗାଁଲୋକଙ୍କର ସେ ହେଇଥାନ୍ତା ଆଦରର କୋଠଧନ।

ଲୋକେ କହନ୍ତି, ଲକ୍ଷ୍ମୀଧର ଲକ୍ଷ୍ମୀଧର ନୁହେଁ ଯେ, ସେ ଏକ ଲକ୍ଷ୍ମୀଛଡ଼ା । କାରଣ ସେ କହେ - ଆଗେ ଦିଅଁଗୁଡ଼ାକ ପୁଣି କେବେ ମଣିଷଙ୍କ ପରି କଥା କହିପାରୁଥିଲେ; ପରେ ଏହି ମଣିଷଜାତିଟାର ଖୋସାମତିଆ କଥା ଶୁଣି ଶୁଣି ଲାଜରେ ପଥର ପାଲଟିଯାଇଛନ୍ତି ! ମଣିଷ ସଂସାରରେ ଦିଅଁଙ୍କୁ ପ୍ରାର୍ଥନା କରି ମୁକ୍ତି ଲୋଡ଼ିଆଣିବା ପରିବର୍ତ୍ତେ ପାପ ବରଣ କରିଛି । ଏ କଥା ଶୁଣି ଗାଁର ବୁଢ଼ା ବୁଢ଼ା ତେଜିଉଠନ୍ତି; କହନ୍ତି - ‘‘ନାସ୍ତିକ ! ନାସ୍ତିକ !’’

ଲକ୍ଷ୍ମୀଧର କେବେ କେବେ କହେ, ଏହି ଯେଉଁ ତିଳକଧାରୀ ବାବାଜିଦଳ ଖରାଦିନିଆ ଦି’ପହରେ ଦୁଆରମୁହଁରେ ବସି ଶ୍ରୀଚୈତନ୍ୟ ନାମାବଳି ଗାନ କରିଛନ୍ତି ବା ଏହି ଯେଉଁ ଚକୁଳିଆ ପଣ୍ଡାଦଳ ରାତିଅଧରେ ଆସି ପୂର୍ବଜନ୍ମର ପିତୃପିତାମହଙ୍କ ଗୈାରବରେ ଭୋଜନର ବ୍ୟବସ୍ଥା କରିବସୁଛନ୍ତି, ଆଗେ ଏହି ଜୀବଗୁଡ଼ାଙ୍କୁ ଗୁଳି କରି ମାରିବା ଦରକାର ! କାରଣ ଏଗୁଡ଼ାକ ମୂର୍ଖ ଲୋକଙ୍କୁ ଦିଅଁଙ୍କ ନାଁ ଶୁଣାଇ, ଜଣାଣ ବୋଲି, ଖୋସାମତି କରି ମଣିଷକୁ ପୁଣି ପଥର ପାଲଟେଇବାକୁ ଚେଷ୍ଟା କରୁଛନ୍ତି ! ଏମାନେ ଦେଶର ଯେତେ ଉପକାର କରୁଛନ୍ତି , କ୍ଷତି କରୁଛନ୍ତି ତହିଁରୁ ବହୁତ ବେଶି । ଏମାନେ ମଲାଙ୍ଗ, ଏମାନେ କୁଆ ବସାରେ କୋଇଲିର ଡ଼ିମ୍ବ । ପୁରୀର ମଠ, ଗାଁ-ଗାଁର ପଥର ଦେଉଳ, ପାଣିକୂଳରେ ତୀର୍ଥଘାଟ ଏହିମାନଙ୍କ ଜରିଆରେ ମୁଣ୍ଡ ଟେକିଉଠିଛି ।

ଜପତପ-ପୂଜା-ଉପାସନାପରାୟଣ ବ୍ୟକ୍ତି ଏ କଥାରେ ମାର୍ ନ ମାର୍‌ହୋଇ କହନ୍ତି - ‘‘ଏ ବର୍ଷ ଗାଁରେ ଯେ ଭଲ ଫସଲ ହେଲାନାହିଁ, ତାହା କେବଳ ଏହି ପାଷଣ୍ଡଟା ଯୋଗୁଁ ! ସବୁ କଥାର ମୂଳ ଏଟା ।’’

ଲକ୍ଷ୍ମୀଧର ଏ କଥାର ଉତ୍ତରରେ କହେ, ‘‘କହନ୍ତୁ ଭଲା, ଅନନ୍ତ ଅନ୍ଧାର ଭିତରେ ଅନନ୍ତକାଳ ଅନ୍ଧ ପରି ଜିଇ ରହି ହାହାକାର କରିବା ଅପେକ୍ଷା ଆଲୋକ ଭିତରେ ମୁହୂର୍ତ୍ତେକାଳ ଆନନ୍ଦରେ କରତାଳି ଦେଇ ମରିବା ଭଲ ନୁହେଁ ? ଓଡ଼ିଶାର ଉନ୍ନତି ପାଇଁ ଜନସଂଖ୍ୟା ଗଣତି ହେବା ଆଶାରେ ପରାନ୍ନଜୀବୀ ଠକ ବାବଜିଗୁଡ଼ାଏ ଗଣତି ଦେଇ ବିଶାଳ ଭୂଖଣ୍ଡର ଅନ୍ନକ୍ଲିଷ୍ଟଙ୍କ ଦୃଶ୍ୟ ଦେଖିବା ଅପେକ୍ଷା ହୃଷ୍ଟପୁଷ୍ଟ, ସୁସ୍ଥ ସବଳ, ବିଜୟୀ, ଗୈାରବବାନ୍‌, ଉଦାର କର୍ମଠ ଅଳ୍ପ ଲୋକ ନେଇ ସଂକୁଚିତ ଉତ୍କଳର ମହିମା-ସଙ୍ଗୀତ ଶୁଣିବା ଭଲ ନୁହେଁ ?’’

ବାପ ରେ ! . . . ତା’ର ବକ୍ତୃତା ଆଗରେ ଠିଆହୁଏ କିଏ ? ତା’ର ଯେ ଦୁର୍ନାମ ! ତା’ର ଆଉ ଭୟ କାହାକୁ ?

ଲକ୍ଷ୍ମୀଧରର ଏକ ବିଚିତ୍ର ଢ଼ଙ୍ଗ । ସବୁ ବେଢ଼ଙ୍ଗିଆ ଢ଼ଙ୍ଗ ତା’ର । ଗାଁର ସମସ୍ତଙ୍କ ରୁଚିଠାରୁ ତା’ ରୁଚି ଭିନ୍ନ । ସମସ୍ତେ ଚାଲନ୍ତି ବାଟରେ, ସେ ଚାଲେ ଅଣବାଟରେ । କହେ -

‘‘ଆଗେ ଯେତେବେଳେ ବାଟ ନ ଥିଲା, ସେତେବେଳେ ପୃଥିବୀରେ ଖାଲି ଅଣବାଟ ଥିଲା । ପ୍ରଥମେ ଯେତେବେଳେ ଘର ନ ଥିଲା, ଖାଲି ବନ ପ୍ରାନ୍ତର ପଡ଼ିଆ ପଡ଼ିଥିଲା, ପ୍ରଥମେ ଯେତେବେଳେ ଶାସ୍ତ୍ର ଲେଖା ହୋଇ ନ ଥିଲା, ଲୋକେ ସମସ୍ତେ ଅଶାସ୍ତ୍ରୀୟ ଥିଲେ, ଏଇ ଲୋକ ତ ସର୍ବ ପ୍ରଥମେ ଗତାନୁଗତିକ ଶୃଙ୍ଖଳା ଭଙ୍ଗ କରି ନୂତନ ନୂତନ ପନ୍ଥା ସୃଷ୍ଟି କରିଛି । ବଣ ଜଙ୍ଗଲ କାଟି ପ୍ରଥମେ ତ କିଏ ଆଗ ଘରଦ୍ୱାର କଳ୍ପନା କରିଛି ! ଅଣବାଟରେ ଆଗ ଚାଲି ଚାଲି ତ ପରେ ବାଟ ଫିଟିଛି ! ସେହି ଆଦିମ ଯୁଗରେ ଅଣବାଟ ଭିତରେ ଯେଉଁ ଲୋକ ବାଟ କଳ୍ପନା କରିଥିବ, ସେତେବେଳର ଲୋକେ କ’ଣ ତା’ର ସମାଲୋଚନା କରି ନଥିବେ !’’

ଏହିପରି ନାନାକଥା କହି ଲକ୍ଷ୍ମୀଧର ବିଧବା ବିବାହର ଆବଶ୍ୟକତାଠାରୁ ଆରମ୍ଭ କରି ମନ୍ଦିରଗୁଡ଼ାକ ଭିତରେ ସାଧାରଣ ଲାଇବ୍ରେରୀର ବିଚିତ୍ର କଳ୍ପନା କଥା ଲୋକଙ୍କୁ ଶୁଣାଇଦେଇ ଉତ୍ତେଜିତ କରିଦିଏ ।

କ୍ରମେ ତା’ର ଦୁର୍ନାମ ବଢ଼ିଲା । ଦୁର୍ନାମ କେତେଦୂର ଉଠିପାରେ, ଦିନେ ସେ କଳ୍ପନା କରିବସିଲା । ଖୁବ୍‌ଅନ୍ଧାର ଭିତରେ ଆଉ ଅନ୍ଧାର ନାହିଁ । ଉଜ୍ଜ୍ୱଳ ଦିବାଲୋକ ଭିତରେ ଆଉ ଦିବାଲୋକ କଳ୍ପନା କରି ହୁଏ ନାହିଁ । ତା’ର ଏ ଦୁର୍ନାମ ପରେ ଆଉ କି ଦୁର୍ନାମ ହୋଇପାରେ ?

ମା’ ବ୍ୟସ୍ତ ହେଲେ, ବାପା ବିରକ୍ତ ହେଲେ, ଗାଁଲୋକେ ଗାଳି ଦେଲେ । ଏହା ଫଳରେ ଦୁର୍ନାମ ତା’ର ବଢ଼ିଲା ସିନା, କମିଲା ନାହିଁ ।

ଦିନେ କାର୍ତ୍ତିକ ମାସର ପୂର୍ଣ୍ଣିମା ପଡ଼ିଲା । ସେ ଦିନେ ଗାଁଲୋକଙ୍କର ଠାକୁରମଣ୍ଡପରେ ଭୋଗ ।

ଭୋଗ ସରିଲା । ଦୁଇ ଧାଡ଼ି ହୋଇ ଲୋକେ ବସିଲେ । ପ୍ରସାଦ ଲାଗିଲା ।

ଏହି ପ୍ରସାଦ ଭିତରୁ ହଠାତ୍‌ନିଆଁ କୁହୁଳି ଉଠିଲା । ପରଷୁଣୀ ପରଷୁ ପରଷୁ ହଠାତ୍‌ଜଣକ ଭାବରେ ଖଣ୍ଡେ ଅଧିକା କଦଳୀ ପଡ଼ିଗଲା । ଏଥିପାଇଁ ଚିତ୍କାର ଉଠିଲା - ‘‘ଅନ୍ୟାୟ! ଅନ୍ୟାୟ !!’’

ସେହି କଦଳୀଖଣ୍ଡକ ଅଇଁଠା ପତ୍ରରୁ ଫେରାଇନେବାକୁ ଆଉ ବାଟ ନାହିଁ; ମାତ୍ର ଗୋଳମାଳ କରିବାକୁ, କଳିଗୋଳ ଲଗାଇବାକୁ ବହୁତ ବାଟ ଥିଲା । ତାହାହିଁ ହେଲା । ଦେଖୁଁ ଦେଖୁଁ ଦୁଇଟା ଦଳ ସୃଷ୍ଟି ହେଲା । ପ୍ରଥମେ ବଚନ, ତା’ ପରେ ଗର୍ଜନ, ତା’ ପରେ ଚିତ୍କାର, ତା’ପରେ ମୁଷ୍ଟି ଉତ୍ତୋଳନ, ଶେଷରେ ଠେଙ୍ଗା ବାଡ଼ି, ଢ଼ାଳ ଫୋପଡ଼ା-ଫୋପଡ଼ି. . . ଖାଲି ଗୋଳମାଳ !!

ବିବାଦ ଦାବାନଳ ପରି ଶିଖା ଟେକିଲାବେଳକୁ ଦେଖାଗଲଶ, ତେଣେ ଦିଅଁଙ୍କ ଚାଳ ଭିତରୁ କୁଣ୍ଢେ ମୋଟର ଏକ ଶିଖା ଟେକି ନିଆଁ ଜଳି ଉଠିଛି । ମୁହୂର୍ତ୍ତକେ ଚାରିଆଡ଼େ ହୋ-ହା ପଡ଼ିଗଲା । ଅଣ୍ଟାଭିଡ଼ା, ଚାଳଚଢ଼ା, ପାଣିବୁହା ଚାଲିଲା । ଫଳ କିଛି ହେଲାନାହିଁ । ଶେଷକୁ ଦିଅଁଙ୍କ ମୁଣ୍ଡରେ ଗଦାଏ ପାଉଁଶ କେବଳ ଜମା ହୋଇରହିଲା।

ରାତି ପାହି ସକାଳ ହେଲା । ଗାଁରେ ବସିଲା କୋଠସଭା । ଦିଅଁଙ୍କ ଘରେପୋଡ଼ି କଥା ଯେତେବେଳେ ବିଚାର ହେଲା, କିଏ କହିଲା - ‘‘ଏ ସଫା ଦେଖିଛି, ଆମେ କଳି ଲାଗିଲାବେଳେ ସେ ପାଖେ ଦିଅଁଙ୍କ ପରି କିଏ ଜଣେ ବୁଲୁଥିଲେ . . . ।’’

ଶେଷରେ ଜଣେ କିଏ ଆହୁରି ଗର୍ଜନ କରି କହିଲେ - ‘‘ଆଉ ଏତେ ବିଚାରରେ କିଛି ଲାଭ ନାହିଁ । କାଲି ରାତିରେ ଯେଉଁ ସପନ ଦେଖିଲି, ଆପଣମାନେ ଶୁଣିଲେ ସତ କରିବେ ନାହିଁ । ଏ ମୋର ଦି’ଆଖି ଛଡ଼ା ତାହା ଆଉ କେହି ଦେଖିନାହିଁ । ଖାଲି ଆଉ ଦୁଇଟି ବଖରା . . .।’’

ଏତିକିବେଳେ ଲକ୍ଷ୍ମୀଧର ସମସ୍ତଙ୍କ ପଛପଟେ କରଯୋଡ଼ି ହୋଇ ଉଠି କହିଲା - ‘‘ଆପଣମାନେ ଶୁଣନ୍ତୁ-ଦିଅଁଙ୍କ ମୁଣ୍ଡ ଉପରେ କାଲି ମୁଁ ନିଆଁ ଲଗେଇଛି, ଆଉ କେହି ନୁହେଁ . . .।’’

ସମସ୍ତେ ଆଖିକୁ ତାଳୁକୁ ଖୋଷି କହିଲେ - ‘‘ଏଁ . . .’’

-‘‘ଶୁଣନ୍ତୁ ଶୁଣନ୍ତୁ, ଏଥିରେ କାରଣ ଅଛି । ଦିଅଁଙ୍କ ଭୋଗ ପାଇଲାବେଳେ ଯେଉଁମାନେ ଏପରି କଳି ଲଗାନ୍ତି, ତାଙ୍କର ଦିଅଁ ଦରକାର କ’ଣ ?’’

-‘‘ନାରାୟଣ ! ନାରାୟଣ !!’’

-‘‘ଏପରି ଲୋକଙ୍କ ହାତରୁ ଦିଅଁ ଭୋଗ ଖାଇବାକୁ ରାଜି ନ ଥିବେ । ଏ ଦେବସେବା ଧର୍ମ ନୁହେଁ ଯେ ଅଧର୍ମ ।’’- ଏତିକି କହିଦେଇ ଲକ୍ଷ୍ମୀଧର ମୁହଁ ଟେକି ଚାଲିଗଲା ।

ଲୋକେ କହିଲେ -‘‘ରାମ୍‌! ରାମ୍‌! ରାମ୍‌! ରାମ୍‌! ନାସ୍ତିକଟା କ’ଣ କଲା . . . !’’

କ୍ରମେ ଲକ୍ଷ୍ମୀଧରର ଦୁର୍ନାମ ଶତମୁଖରେ ଶୁଣାଗଲା । ସେ ଏହି ଦୁର୍ନାମର ଦୁର୍ଗ-ଶିଖରରେ ବସି-ଥିଲାବେଳେ ଦିନେ ସେ ଦେଖିଲା, ତାହାରି ଅଭ୍ୟର୍ଥନା ପାଇଁ ଗାଁର କେତେ ଜଣ ଯୁବକ ତା’ ପାଖରେ ଆସି ହାଜର ହୋଇ କହିଲେ-‘‘ଗ୍ରାମବାସୀଙ୍କି ବହ ଦୁର୍ନାମରୁ ରକ୍ଷା କଲ ।’’

ଲକ୍ଷ୍ମୀଧର କହିଲା, ‘‘ଦୁର୍ନାମ ! ତେବେ କ’ଣ ଦୁର୍ନାମ ମୁଁ ନ ଅରଜି ଅନ୍ୟଙ୍କୁ ଦୁର୍ନାମରୁ ରକ୍ଷା କରିଛି ?’’

ଉତ୍ତର ମିଳିଲା - ‘‘ନିଶ୍ଚୟ । ନ ହେଲେ ଏ ଗଣ୍ଡଗୋଳ ଫଳରେ କଚେରିରେ ଅଜସ୍ର ଅର୍ଥଶ୍ରାଦ୍ଧ ହୋଇଥାନ୍ତା। ଦେବତାହିଁ ଏ ବିପଦରୁ ରକ୍ଷା କଲେ । ସେହି ଦେବତା ତୁମେ . . .!’’

 

ଏ ଜନ୍ମର ତୀର୍ଥକ୍ଷେତ୍ର

(୧)

ଦିନେ - ଅନେକ ଦିନତଳେ ଓଡ଼ିଶାର ଦକ୍ଷିଣ ସୀମାରେ ରକ୍ତାକ୍ତ ରଣକ୍ଷେତ୍ରରେ ରଣ-ଦୁନ୍ଦୁଭି ବାଜିଉଠିଲାବେଳେ ଅନ୍ୟ ସୀମାରେ ‘‘ଭଜ ହରେକୃଷ୍ଣ ହରେ ରାମ’’ କୀର୍ତ୍ତନ ତାଳ-ଖୋଳ-କରତାଳର ଘନ ରୋଳ ଭିତରେ ଶୁଣାଗଲା ।

ଦୁର୍ଦ୍ଦାନ୍ତ ରଣଯାତ୍ରୀଦଳ ପଛକୁ ଫରି ଚାହିଁଲେ । ଉତ୍ତୋଳିତ ତରବାରି ଅବନତ ହୋଇପଡ଼ିଲା । ଜାତିର ଦୁର୍ଭାଗ୍ୟକୁ କି ସୁଭାଗ୍ୟକୁ କ’ଣ ବିଚାରି ଦେଶର ଭାଗ୍ୟବିଧାତା ଓଡ଼ିଶାର ଗଜପତି ଦେଶର ସ୍ୱାଧୀନତା ଦେବୀଙ୍କ ପ୍ରତି ଅବଜ୍ଞା ଦେଖାଇ ଅସ୍ତ୍ର ତ୍ୟାଗ କଲେ । ସେନାପିତିଙ୍କ ସାଞ୍ଜୁ ସ୍ଥାନରେ ଗୈରିକ କୈାପୀନ ଦେଖାଗଲା । ବନ୍ଧୁକ, ବର୍ଚ୍ଛାଧାରୀ ପଦାତିକଙ୍କ ହାତରେ କୋଥଳି ଭିତରେ ବିଶୁଦ୍ଧ ତୁଳସୀମାଳା ଶୋଭା ପାଇଲା । ରକ୍ତର ଟିକା ପରିବର୍ତ୍ତରେ ରଣକ୍ଲାନ୍ତ ଯୁବକ-କପାଳରେ ହରିତିଳକ ବିରାଜିଲା । ଗୋଦାବରୀ-କୂଳର ରାଜ-ପ୍ରତିନିଧି ଗଙ୍ଗାକୂଳରେ ଯାଇ ‘ବିଭୂପାଦ’ ଆଖ୍ୟାରେ ଶ୍ରୀମତୀ ରାଧାଙ୍କ ଅଭିସାରରେ ଯୋଗଦେଇ ବିରହରେ ଲୁହ ଢ଼ାଳିଳେ ।

ସେହି ସୁଦୂର ଇତିହାସର ଏ ଏକ ବଞ୍ଚିତ ପରିଚ୍ଛେଦର ପୃଷ୍ଠାଏ ମାତ୍ର ।

ଦୟା ନଦୀକୂଳର କୈାଣସି ଏକ ଅଖ୍ୟାତ ପଲ୍ଲୀର ଅବଜ୍ଞାତ କୁଟୀର ଭିତରେ ତା’ର ଜନ୍ମ - ଜନ୍ମବେଳେ ବାପା-ମା’ ତା’ ନାଁ ଦେଇଥିଲେ ଅଇଁଠା । ଏପରି ନାମକରଣରେ ଗୁରୁତର କାରଣ ଅଛି । ତାହା ଆଗରୁ ବାପ-ମାଆଙ୍କର ସେହି କୁଟୀର ଭିତରେ ଲାଗ ଲାଗ ଚାରୋଟି ଶିଶୁ ପୃଥିବୀ ସ୍ପର୍ଶ କରିବାର ମାସକ ମଧ୍ୟରେ ଅନ୍ୟ ଲୋକକୁ ଚାଲିଯାଇଥିଲେ । ତେଣୁ ଏହି ପଞ୍ଚମ ଶିଶୁଟିର ନାଁ ‘ଅଇଁଠା’ ଦେଲେ । ଶୁଚିମନ୍ତ ଯମଦେବତା ମାନବର ଏହି ଅଇଁଠା ନାମଧାରୀ ବକଟେ ହେବ ଶିଶୁକୁ ଛୁଇଁବ ନାହିଁ, ଏହି ଥିଲା ନାମକରଣର ଭିତିରି ରହସ୍ୟ ।

ତାହାହିଁ କାର୍ଯ୍ୟରେ ଦେଖାଗଲା, ଅଇଁଠା ଶୈଶବ, ବାଲ୍ୟ, କୈଶୋର ଓ ଯୈାବନ ପାରହୋଇ ଜୀବନର ଆଉ ଏକ ସୀମାରେ ପହଞ୍ଚିଲା । ଯେତେବେଳେ ଓଡ଼ିଶାର ବୀର ଗଜପତି ରଣକ୍ଷେତ୍ରରେ ଅସ୍ତ୍ର ତ୍ୟାଗ କରି ଯୁଗଯୁଗାନ୍ତ ଲାଗି ଓଡ଼ିଆ ସୈନ୍ୟଙ୍କର କ୍ଲୀବଲି ବ୍ୟବସ୍ଥା କରି ପୁରୀ ବଡ଼ଦାଣ୍ଡରେ ‘‘ଦେହି ମେ ପଦପଲ୍ଲବ ମୁଦାରମ୍‌’’ ବୋଲି ପ୍ରାର୍ଥନା କଲେ ସେତିକିବେଳକୁ ଦୟା ନଦୀକୂଳର ଏହି ଅଇଁଠାର ବୟସ ପ୍ରାୟ ଚାଳିଶ ।

ଗଳ୍ପ ଏହିଠାରୁ ଆରମ୍ଭ ।

 

(୨)

 

ଅଇଁଠା ପିଲାଦିନେ ବଡ଼ ଦୁର୍ଦ୍ଦାନ୍ତ ଥିଲା । ବାପ ତା’ର ଗା-ହତ୍ୟା ପାପରେ ତିନି ଥର ବେକରେ ପାଳ ଦଉଡ଼ି ବାନ୍ଧି ପ୍ରକାଶ୍ୟରେ ଦ୍ୱାରେ ଦ୍ୱାରେ ଭିକ ମାଗି ପାପର ପ୍ରାୟଶ୍ଚିତ୍ତ କରିଥିଲା ବୋଲି ସେ ଶୁଣେ । ସେହି ଗୋ ହତ୍ୟା ପାପପାଇଁ ବାପ ତାର କେତେଦୂର ଦାୟୀ, ନିଜେ ସେ ବୁଝିପାରିଲା ନାହିଁ । ସେ ଶୁଣିଲା, ବାପ କେବେ କୁଆଡ଼େ ଛାତିଏ ଉଚ୍ଚ ତିନି ହଳ ବଳଦ କିଣିଥିଲା। ଥରେ ବେକରେ ପଘା ଥାଇ ଦୁଇଟା ବଳଦ ରାତି ଭିତରେ ମରି ଶୋଇଥିବାର ଦେଖାଗଲା । ଘରେ ନିଆଁ ଲାଗିବାଦ୍ୱାରା ଥରେ କେବେ ଗୋଟାଏ ବାଛୁରୀ ପୋଡ଼ି ମରିଯାଇଥିଲା । ଏସବୁ ଘଟଣାରେ ତା’ର ବାପହିଁ ପଞ୍ଚମୁଖରେ ପାପୀ ସାବ୍ୟସ୍ତ ହେଲା । ତେଣୁ ସେ ନିର୍ବିବାଦରେ ପାପର ପ୍ରାୟଶ୍ଚିତ୍ତ ପରେ ବାକି ଗାଈ, ବଳଦ ସବୁ ବିକି, ଗୁହାଳ ଭାଙ୍ଗି ବୁଢ଼ୀକି କହିଲା - ‘‘ମୁଁ ଯେବେ ଆଗ ସଂସାରରୁ ଯାଏ, ତାହାହେଲେ ଅଇଁଠାର ବୁଦ୍ଧି ହେଲେ କହିବୁ ଆଉ ସେ କେବେହେଲେ ଗୁହାଳ କରିବ ନାହିଁ । ମୁଁ ଯାହା ପାପ ଅର୍ଜିଯାଇଛି, ତାହା କାଳ-କାଳକୁ ରହିଲା । ପାରିଲେ ସେ କେବଳ ପ୍ରାୟଶ୍ଚିତ୍ତ କରିବ ।’’

ଅଇଁଠା କିନ୍ତୁ ଯୈାବନରେ ଏ ଗଳ୍ପର ମୂଲ୍ୟ କିଛି ବୁଝିଲାନାହିଁ । ଦି’ହଳ ବଳଦ କିଣି ସେ ପୁଣି ଚାଷବାସ ଆରମ୍ଭ କରିଦେଲା । ଲୋକେ ୟା ଦେଖି କହିଲେ - ‘‘ଏ ହେଉଚି ଗୋରୁମରା ପୁଅର ଗୋରୁମରା ଲକ୍ଷଣ ।’’ ଗାଁର ବଡ଼-ବଡ଼ମାନେ କହିଲେ - ‘‘ପାପୀର ପୁଅ ପାପବାଟ ଦେଖିବନାହିଁ ତ ଆଉ କ’ଣ ଦେଖିବ ?’’

ଅଇଁଠା ନିତାନ୍ତ ଗୋଖା । ସେ ପାପପୁଣ୍ୟର ମୂଲ୍ୟ କିଛି ଜାଣେନାହିଁ । ଲୋକେ ଦିନକେ ଜମି ଚାଷ କରି ଆସିଲେ, ସେ ପାଞ୍ଚପା ଚଷିଦେଇ ଆସେ । ଲୋକେ ଦିନକେ ପହରେ ବିଶ୍ରାମ ନେଲେ, ସେ ଦି’ଘଡ଼ି ବିଶ୍ରାମ ନେଇ ବାକୀ ସମୟ ଖରା-ବର୍ଷାରେ ଲାଗିପଡ଼ିଥାଏ । ତା’ର ଏ ପାରିବାରପଣିଆ ଓ ସାହାସ ଦେଖି ଲୋକେ କ୍ରମେ ଆଶ୍ଚର୍ଯ୍ୟ ହେଲେ; ମାତ୍ର କହିଲେ - ‘‘ମୂର୍ଖଟା, ପାପୀଟା ।’’

ଏହି ପାପୀ-ସନ୍ତାନ ଅଇଁଠା ଦୀର୍ଘ ପଚିଶି ବର୍ଷକାଳ ଖରା-କାକର ଖାଇ, ବର୍ଷା-ଶୀତରେ ପଡ଼ି ଦୟ ନଦୀକୂଳର କେତେକ ସ୍ଥାନରେ ସୁନା ଫଳେଇବାକୁ ଲାଗିଲା । ତଥାପି ତା’ର ଗାଁରୁ ‘ପାପୀର ପୁଅ’ ଅପବାଦ ଗଲାନାହିଁ । ନଈବଢିରେ ଲୋକେ ବୁଡ଼ି ମରୁଥିବାବେଳେ ଦଶ ପାଞ୍ଚ ଘଟଣାରେ ସେ ଦଶ ପାଞ୍ଚ ଲୋକଙ୍କ ଜୀବନ ରକ୍ଷା କରିଥିଲେ ମଧ୍ୟ ତା’ର ‘ଗୋରୁମରାପୁଅ’ ଅପବାଦ ଲୁଚିଲା ନାହିଁ । ଜ୍ୟେଷ୍ଠମାସ ଖରାରେ ଭିକମଗା ଯୋଗୀମାନଙ୍କୁ ପିଣ୍ଡାକୁ ଡ଼ାକିଆଣି ଗୀତ ଶୁଣି ତୋରାଣି ମୁନ୍ଦିଏ ଦେଲେ ମଧ୍ୟ ‘ମୂର୍ଖ’ ଅପବାଦ ତା’ର ଛପିଲା ନାହିଁ । ଗାଁର କଳହ ବିବାଦବେଳେ ଦୁଇ ଦଲ ଠେଙ୍ଗା ଧରାଧରି ହୋଇ କୁରୁକ୍ଷେତ୍ର ଯୁଦ୍ଧପାଇଁ ପ୍ରସ୍ତୁତ ଥିଲାବେଳେ ସେ ନିଜ ତାଳୁ ଦେଖାଇ ଦୁଇ ଦଳକୁ ଦୁଇ ଦିଗକୁ ହଟାଇ ଶାନ୍ତି ଆଣିଥିଲେ ମଧ୍ୟ ତା’ର ‘ବୋକା’ ଦୁର୍ନାମ ଘୁଞ୍ଚିଲା ନାହିଁ । ସମାଜ ଭିତରେ ବାପର ପାପ, ବାପର କର୍ମ ପୁଅ ଉପରେ ଏହିପରି ନିର୍ମମ ଭାବରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆକ୍ରମଣ କଲା ।

 

(୩)

 

ଏହିପରି ସମୟରେ ଓଡ଼ିଶାର ରଣଦୀପ୍ତ ଗଗନକୁ ମୁଖରିତ କରି ରୋଳ ଉଠିଲା - ‘‘ଭଜ ହରେ କୃଷ୍ଣ ହରେ ରାମ ।’’ ସୁନ୍ଦର ସୁଗଠିତ ଖଣ୍ଡାୟତ ଯୁବକ ଯେତେବେଳେ ସୁଗୋଲ ବାହୁ, ପ୍ରଶସ୍ତ ଲଲାଟଦେଶରେ ‘ନାମାବଳୀ’ ଚିତା ଘେନି ଗଳାରେ ତୁଳସୀମାଳା ଲମ୍ବାଇ କାଞ୍ଚି, ଗୋଲକୁଣ୍ଡା, ନିଜାମ ରାଜ୍ୟକୁ ଯୁଦ୍ଧଯାତ୍ରା ପରିବର୍ତ୍ତରେ କୀର୍ତ୍ତନଯାତ୍ରାରେ ବାହାରିଲେ, ‘ପାପୀପୁତ୍ର’ ଅଇଁଠାର କୈାତୂହଳର ସୀମା ରହିଲାନାହିଁ । ତାହାରି ଗାଁରେ କେତେ କୀର୍ତ୍ତନ ହେଲା, କେତେ ଲୋକ ମାଳ, ଚିତା ଲଗାଇ ଖୋଳ କରତାଳ ଧଇଲେ । ଯୁଦ୍ଧଲୀଳାର କ୍ଷତ ସ୍ଥାନ ତୁଳସୀ-ଚନ୍ଦନରେ ରଞ୍ଜିତ ହେଲା । ସେ ସବୁ ଦେଖି ତା’ ମନଟା ବେଳକୁବେଳ ଉଚ୍ଚାଟ ହେଲା । ନିତାନ୍ତ ମୂର୍ଖ ସେ । ପାଠଶାଠ କ’ଣ ସେ ଜାଣେ ନାହିଁ । ମୁକ୍ତିମାର୍ଗ କ’ଣ, ବୁଝେ ନାହିଁ । ସେ କ’ଣ ବୁଝିବ ଭକ୍ତି-ମାହାତ୍ମ୍ୟ ? ସେ କ’ଣ ବୁଝିବ ହେତୁକୀ, ଅହେତୁକୀ ଭକ୍ତିରହସ୍ୟ ? କେବଳ ସେ ବେଳେବେଳେ କୈାତୂହଳ ଏଡ଼ି ନ ପାରି ପଚାରେ - ‘‘ ଏ ଯେ ବାଇଦ ବଜାଉଛନ୍ତି, କ’ର କରୁଛନ୍ତି?’’

ଉତ୍ତର ମିଳେ - ‘‘କୀର୍ତ୍ତନ ପରା କରୁଛନ୍ତି !’’

ପୁଣି ପଚାରେ - ‘‘ସୁଖରେ ଅଛନ୍ତି ନା ଦୁଃଖରେ ଅଛନ୍ତି ?’’

ଶୁଣେ - ‘‘ବେଶ୍‌ସୁଖରେ ଅଛନ୍ତି ।’’

ଠିକ୍‌ବର୍ଷକ ପରେ -

ବର୍ଷକ ପରେ ଦେଖାଗଲା, ଅଇଁଠାର ବିଲକୁ ଆଉ ଠିକ୍‌ସମୟରେ ହଳ ଯାଉନାହିଁ । ତା’ର ଗାଈ ବଳଦଗୁଡ଼ାକଙ୍କର ଶ୍ରୀ ଆଉ ପୂର୍ବପରି ନାହିଁ । ବେଶ ବାସ ମଧ୍ୟ ତା’ର ବଦଳିଯାଇଛି ।

ହଠାତ୍‌ଦିନେ ଏକ ପଙ୍ଗତ ଭିତରେ ଅଇଁଠାର ଆସନ ପଡ଼ିଲା । ସେ ଚରଣାମୃତ ପାନକରି ଦିନକେ ମୁଠାଏ ଅରୁଆ ଭୋଗ ପାଇ ହାତରେ ଝୁଲି କରତାଳ ଧଇଲା । ଅନ୍ତର୍ବାସ ଉପରେ ଛାଟିଆ ବହିର୍ବାସଟି ତାକୁ ବେଶ୍‌ସୁନ୍ଦର ଦେଖାଗଲା । ମୁଣ୍ଡରେ କେବେ ତେଲହାତ ବାଜିଲାନାହିଁ । ବୈଷ୍ଣବଦଳରେ ରହିବା ଫଳରେ ତା’ର ସେହି ଅର୍ଦ୍ଧପିଙ୍ଗଳ କେଶଗୁଚ୍ଛ ଜଟା ଦିଗକୁ ଗତିକଲା ।

ଏହି ଯେଉଁ ଭକ୍ତଦଳ ଦୟା ନଦୀକୂଳର ମଫସଲ ଭିତରୁ ବାହାରି ଅଇଁଠାପରି ଜୀବକୁ ଟାଣିଆଣିପାରିଲେ, ଏମାନଙ୍କ ଭିତରୁ ଅଧିକାଂଶ ପ୍ରାୟ ଯୁବକ । ଖାଲି ନାଁକୁ ଯୁବକ ନୁହନ୍ତି; ଯୁବକସୁଲ୍ଲଭ ଶକ୍ତି ସାମର୍ଥ୍ୟ ନେଇ କି, କେମିତି ଦୁଇ ଚାରି ପାଞ୍ଚ ଯୁଦ୍ଧରେ ଜୟବାନା ମଧ୍ୟ ଉଡ଼ାଇଆସିଛନ୍ତି । କାହାର ବାହୁରେ ଶତ୍ରୁର କରବାଳ ଚୋଟ ବାଜିଛି ତ ତାଳୁରେ ବର୍ଚ୍ଛାଘାତ ହୋଇଛି । କିଏ କୃଷ୍ଣାକୂଳରେ ଶତ୍ରୁ ଶିବିର ପୋଡ଼ି ଆସିଛି । କଳବର୍ଗ ଦୁର୍ଗ ତଳେ କିଏ ଅସିପାତ ସହିଆସିଛି । ଧଳଭୂମି ସୀମାରେ କାହାର ବା ବାହୁ ଛେଦନ ହୋଇଛି ।

ଓଡ଼ିଆ ଜାତିର ଏହି ଜୀବନ୍ତ କୋହିନୁରଗୁଡ଼ିକ ଯେତେବେଳେ ରଣକ୍ଷେତ୍ରର ଆଉ ସୁଯୋଗ ପାଇଲେ ନାହିଁ, ସେମାନଙ୍କ ଗୈାରବ ପିପାସା ମେଣ୍ଟାଇବାପାଇଁ ରାଜ-ସନ୍ନ୍ୟାସୀ ଗଜପତି-ଦର୍ଶନରେ ପୁରୀ ଅଭିମୁଖରେ ଦିନେ ଯାତ୍ରା ଆରମ୍ଭ କଲେ । ଅଇଁଠା ହେଲା ଏହି ଦଳର ଜଣେ ସଙ୍ଗୀ ।

ଗାଁ ଗାଁ କୀର୍ତ୍ତନ, ଘର ଘର ଭିକ୍ଷା-ମଗା ଚାଲିଲା । ବିଶ୍ରାମ ବେଳ ହେଲା କେବଳ ପୂର୍ବ-ଜୀବନର ଆଲୋଚନା । ସମସ୍ତେ କହିଲେ ସମର କାହାଣୀ; ଯେପରି ସେ କଥା ସେମାନେ ଭୁଲିପାରୁ ନଥିଲେ । ଯୁଦ୍ଧରୁ ଫେରି, ଶତ୍ରୁର ରକ୍ତଦାଗ ନ ଳିଭାଇ ବର୍ଷକ ପରେ କଉପୁନି ମାରି ଭିକ୍ଷା ମାଗିବୁଲିବା କି ଦାରୁଣ ଚିତ୍ର ! ଇଃ ! ରକ୍ତଟିକା ଲିଭିନାହିଁ ; ଅସିଘାତ ଉପଶମ ହୋଇନାହିଁ; ରଣକାଳୀନ ଧମନୀର ଉତ୍ତେଜନା ଶାନ୍ତ ହୋଇନାହିଁ, ଏତିକିବେଳେ ଯୁବକଦଳ ଗାଇଉଠିଲେ - ‘‘ଭିକାରୀ ଜନରେ କରୁଣା କର ହେ ନାଥ ।’’

 

(୪)

 

ଭକ୍ତଦଳ ଯେତେବେଳେ ନିଜ ନିଜର ବିଶାଳ ଅନୁଭୂତିର ପରିସର ଭିତରେ ରହି ଆଲୋଚନା କରନ୍ତି, ଅଇଁଠା ସେତେବେଳେ ମୂକ ହୋଇ ବସେ । ସେ ଦୟା ନଦୀ ଛଡ଼ା ଜଗତରେ ଆଉ ନଦୀ ଦେଖିନାହିଁ, ନିଜ ଗାଁ ଛଡ଼ା ଆଉ ବଡ଼ ଗାଁ ଦେଖିନାହିଁ । ସେ ହଳିଆ-ଗୀତ-‘ରାମ ଯେ ଲଇଖଣ . . .’ଛଡ଼ା ଆଉ ଗୀତ କେବେ ଶୁଣିନାହିଁ ।

ଆଜି ଏହି ନୂଆ ଜଗତରେ ତା’ର ଏହି ପ୍ରଥମ ନବଜନ୍ମ । ଏହି ନମଜନ୍ମର ପ୍ରଭାତ ଆଲୋକରେ ବସି ସେ କେବଳ ସ୍ୱପ୍ନ ଦେଖିଲା - ନାଲି ଗୁଲୁଗୁଲୁ ଧାନ କିଆରି, କୁଳୁକୁଳୁ ଜଳଧାରା, ଦୂରରେ ଧୂସର ପର୍ବତର ବଙ୍କିମ ସୀମା, ପଶ୍ଚିମ ଗଗନର ପ୍ରଦୋଷକାଳୀନ କଳରୋଳ. . . ଇତ୍ୟାଦି କେତେ କଥା । ଏ ସବୁ ଛାଡ଼ି ସେ ଆସିଛି, ନୂତନ ଜଗତକୁ ନୂତନ ଧନ ସନ୍ଧାନରେ । ସମସ୍ତେ କରନ୍ତି ଗପସପ, ଆଲୋଚନା, ଏ ଘୋରିବସେ ଚିତାମାଟି । ସମସ୍ତେ ଗୀତ ଆରମ୍ଭ କଲାବେଳେ ତାଙ୍କ ମୁହଁକୁ ବଲବଲ ଚାହିଁରହିଥାଏ । ଚାଳିଶ ବର୍ଷର ଅଗୀତ କଣ୍ଠ ତା’ର ଜଡ଼ ହୋଇଆସେ ।

ଦିନେ ଅଇଁଠା ସ୍ୱପ୍ନରୁ ଉଠିଲା । ଦେଖିଲା ତା’ର ମନକୁ ଖାଦ୍ୟ ଅଭାବ ହେଉଛି । ଦେହର ଖାଦ୍ୟ ଅଭାବ ହେଲେ ମନୁଷ୍ୟ କିଛି ଦିନ ଚଳିପାରିବ; ମାତ୍ର ମନର ଖାଦ୍ୟ ଅଭାବ ହେଲେ ପାଗଳାମି ଛଡ଼ା ଆଉ ଉପାୟ ନାହିଁ । ଅଇଁଠା ଘର ଛାଡ଼ିବାର ବର୍ଷକ ପରେ ଏ ଅଭାବ ତୀଭ୍ରଭାବରେ ଅନୁଭବ କଲା । ତା’ର ଶିରା-ପ୍ରଶିରା ଧରି ଚିତ୍କାର ଉଠିଲା - ‘କାହିଁ ମୋର ଦେବତା! କାହିଁ ମୋର ଦେବତା !’

 

(୫)

 

ତା’ର ଦେବତା ତା’ର ଶ୍ୟାମଳ ସୁନ୍ଦର ତରୁକୁଞ୍ଜ ତଳେ, ଲଳିତ ସୁନ୍ଦର ଧାନ୍ୟକ୍ଷେତ୍ରରେ, ନଦୀକୂଳରେ, ସ୍ଫୁଟନୋନ୍ମୁଖ ପୁଷ୍ପଗୁଚ୍ଛ ଭିତରେ, ଗୃହ-ସମ୍ପଦ ଗୋମାତା ରୂପରେ, ଶିଶୁରୋଳ-ମୁଖରିତ କୁଟୀର-ପ୍ରାସାଦ ଭିତରେ । ଏହାଛଡ଼ା ତା’ର ଦେବତା ଆଉ ଏ ତ୍ରିଭୁବନର ନାହାନ୍ତି । ଏ ଦଳ ନ ଛାଡ଼ିଲେ ସେ ଦେବତାଙ୍କ ସାକ୍ଷାତ୍‌ପାଇବନାହିଁ ବୋଲି ବିଚାରିଲା ।

ଅଇଁଠା ପ୍ରଥମେ କୀର୍ତ୍ତନ ଶୁଣିଲା, ବୁଝିପାରିଲା ନାହିଁ । କରତାଳ ଧରି ବାଡ଼େଇଲା, ମନ ବୋଧ ହେଲାନାହିଁ । ଜୀବନରେ ସେ କାହାକୁ ଜାଣେ ଯେ, କାହାକୁ କ’ଣ ବୋଲି ଡ଼ାକିବ ? ଗଗନ ମୁଖରିତ କରି ଯେତେବେଳେ ରୋଳ ଉଠେ -‘‘ବାଜିଲା ବଂଶୀ ଦିନେ ବୃନ୍ଦାବନରେ . . .’’

ସେହିଠାରେ ସ୍ୱପ୍ନ ଦେଖିଗଲା, ସେ ଶୁଣିଲା - ‘‘ବାଜିଲା ବଂଶୀ ଦିନେ ବୁଦାବଣରେ ।’’

ଜୀବନରେ ଚାଳିଶ ବର୍ଷକାଳ ତା’ ଜୀବନର ବଂଶୀ ଦୟା ନଦୀକୂଳରେ ବୁଦାବଣରେ ବାଜିଛି । ତାକୁ ଛାଡ଼ି ଆସିଲା ପରେ ସେହି ବଂଶୀର ଡ଼ାକ ପୁଣି ସେ ପ୍ରାଣରେ ଅନୁଭବ କରିପାରିଲା । ଯେ ଦେଖିଲା, ‘‘କୃଷ୍ଣ ତା’ର ଦୟାକୂଳର ଶସ୍ୟଗହଳରେ ହଳ ଧରି ଚାଷ କରୁଛନ୍ତି, ଦାଆ ଧରି ଫସଲ କାଟୁଛନ୍ତି, ଖରାରେ ମାଟି ତାଡ଼ୁଛନ୍ତି, ବର୍ଷାରେ ଗୀତ ଗାଇ ହସିଉଠୁଛନ୍ତି । ତେଣୁ ସମସ୍ତେ ଗୀତ ଗାଇ ବସିଲାବେଳେ କରତାଳ ଧରି ସେ ଗାଇଲା -

‘‘ବୁଦା ବଣରେ, ବୁଦା-ବଣରେ ।’’

ଭକ୍ତଦଳ ଅଳ୍ପଦିନ ଭିତରେ ଅଇଁଠାର ଏହି ମନୋଭାବ ଠଉରେଇ ପାରିଲେ । ସମସ୍ତଙ୍କର ତା’ ପ୍ରତି ଦୃଷ୍ଟି ପଡ଼ିଲା । ଦେଖାଗଲା ଗାଁ ଗାଁ କୀର୍ତ୍ତନ କଲାବେଳେ ଅଇଁଠାର ହାତ ଥାଏ କରତାଳରେ ବନ୍ଦ; ଆଉ ଆଖି ଥାଏ ଆଖପାଖର ଗାଈଗୋରୁଙ୍କ ଉପରେ । ଭଲ ଧାନକିଆରିଟିଏ ଦେଖିଲେ ସେ ମୁହୂର୍ତ୍ତେ ମୂକ ହୋଇ ଠିଆହୁଏ । ବଳଦ ହଳେ ଦେଖିଲେ, ତା’ରି ମୁଲ୍ୟ ପଚାରିବସେ ।

 

(୬)

 

ଦିନେ ଭକ୍ତଦଳ ଭିତରେ ବିଦ୍ରୋହ ଦେଖାଗଲା । ଜଣେ ତରୁଣ ଭକ୍ତ ଉତ୍ତେଜନାରେ ଖୋଳ ବଜାଉ ବଜାଉ ତା’ର ରଣ-ପିପାସୀ ବାହୁର ଜୋର ଏତେ ତୀବ୍ର ହେଲା ଯେ, ଖୋଳଟା ଫାଟିଗଲା । ଏଣେ ଦେଖାଗଲା, ଅଇଁଠା ତା’ର କରତାଳ ହଳକ ହାତରେ ଧରି କେବଳ ଗାଉଛି - ‘‘ବଂଶୀ ବାଜିଲା ଦିନେ ଦିନେ ବୁଦା-ବଣରେ -ବୁଦା-ବଣରେ ।’’ ଦଳର ବୃଦ୍ଧ ନେତା ଚମକି ଉଠିଲେ । ଦଳ ଭିତରେ ପାପ ପଶିଲା ! ଏଥିର ବିଚାର ହେଲା । ଦୋଷୀ କହିଲେ, ‘‘ବାହୁର ଜୋର ତୀବ୍ର ହେଲା; ତେଣୁ ମୋର ଦୋଷ ନୁହେଁ ।’’ ପ୍ରାୟଶ୍ଚିତ୍ତ ହେଲା - ଦୁଇ ଦିନରେ ଦିନେ ସେ ପଙ୍ଗତ ଖାଇବେ । ତାହାହେଲେ ବୈଷ୍ଣବସୁଲଭ ଶୋଭାରେ ଦଳ ପୂରି ଉଠିବ । ଅଇଁଠାର ବିଚାରବେଳେ ଉତ୍ତର ମିଳିଲା ‘‘ମୋର ଦୟା ନଦୀ, ମୋର ବିଲବାଡ଼ି . . . ।’’

ନେତା କାନରେ ହାତ ଦେଇ ମାଳିକି ଖୁବ୍‌ଜୋରରେ ଗଡ଼ାଇ ଗଡ଼ାଇ କହିଲେ-‘‘ହରେ କୃଷ୍ଣ, ହରେ କୃଷ୍ଣ ! ଏ ମାୟା ସଂସାର ଭିତରେ ପୁଣି ତୁମେ ଅଛ ?’’

ଅଇଁଠା କହିଲା - ‘‘ମୁଁ ଅଛି ଏଠି, ଆଉ ମୋ ଦେବତା ଅଛନ୍ତି ଦୟା ନଦୀକୂଳରେ - ବିଲ ପଡ଼ିଆରେ ।’’

ଆଉ କାହାର ସ୍ୱର ଶୁଭିଲା - ‘‘ମୋ ଦେବତା ମୋର ତରବାରିରେ ।’’

ଏହି ଶେଷପଦକ ପ୍ରାୟ ସମସ୍ତଙ୍କ ପ୍ରାଣରେ ପ୍ରତିଧ୍ୱନିତ ହେଲା । ଚାହୁଁ ଚାହୁଁ ଏକାସ୍ୱର ସବୁଆଡ଼ୁ ଶୁଭିଲା - ‘‘ତରବାରି, ତରବାରି ।’’

ବୃଦ୍ଧ ବାବାଜି କହିଲ - ‘‘ହିଂସା ! ହିଂସା !’’

କିଏ କହିଲା - ‘‘ଦେବତା ମୋର କୃଷ୍ଣା ଦୁର୍ଗରେ ।’’

କିଏ କହିଲା -‘‘ମୋ ଦେବତା ରଣକ୍ଷେତ୍ରରେ ।’’

ବୃଦ୍ଧ ପଚାରିଲେ -‘‘ତୁମେ ଯେ ଏବେ ବାବାଜି !’’

ସମସ୍ତେ ଉତ୍ତର ଦେଲେ - ‘‘ନିଶ୍ଚୟ ! ଅନ୍ୟ ବ୍ୟବସାୟ ନାହିଁ ବୋଲି . . .!’’

x                   x                   x                   x

କିଛିଦିନ ପରେ ଦେଖାଗଲା ‘‘ପାପୀପୁତ୍ର ଅଇଁଠା ଦୟା ନଦୀକୂଳରେ ବିଲ-ପ୍ରାନ୍ତର ଭିତର ଗୀତ ଗାଇ କହୁଛି -

‘‘ମୁଁ ଜାଣେ ନାହିଁ ପୁରୀ,

ମୁଁ ଜାଣେ ନାହିଁ ହରି;

ମୋର ଏଇ ଜନ୍ମର ତୀର୍ଥଭୂମି

ଏଇ ବିଲବାରି ।’’

ବାକୀ ରଣ-ପିପାସୀ ବାବାଜିଦଳ ଯୁଦ୍ଧ ଅଭାବରେ, ଦେଶ-ଜୟ ଅଭାବରେ, ସ୍ୱାଧୀନତା ପ୍ରତି ଗଜପତିଙ୍କ ବିଶ୍ୱାସଘାତକତା ଫଳରେ କି ବେଶରେ କେଉଁ ଦୁର୍ଗତଳେ ଶେଷ-ଜୀବନ ଶେଷ କଲେ, ତାହା ଇତିହାସର ଅନ୍ଧକାରମୟ ଗହ୍ୱରରେ । ନୁତନ ଉତ୍କଳର ସୃଷ୍ଟିବେଳେ ସେମାନେ ପୁଣି ଜୀବନ ପାଇ କବିକଣ୍ଠରେ ଅତୃପ୍ତ ଆତ୍ମଗାଥା ଗାଇପାରନ୍ତି ।

 

ପ୍ରେମର ସିଂହାସନ

(୧)

 

ବାହାରର ସିଂହସନଠାରୁ ହୃଦୟର ସିଂହାସନ ଯେ କେଡ଼େ ମହତ୍‌, ଏ କଥା ସୁନାଖଳାର ଗତି ନାହାକ ତା’ ଜୀବନର ବର୍ଷ ପଚିଶଟା ମଧ୍ୟରେ ଜଗତକୁ ଦେଖାଇ ଦେଇ ସମସ୍ତଙ୍କୁ ଚମକାଇ ଦେଇଗଲା ।

ବୋଲଗଡ଼ର ନିରାଟ ନିଷ୍ଠୁର ବିଲ-ପଡ଼ିଆରେ ମୁକୁଳା ମୁଣ୍ଡରେ ଖରା ବର୍ଷା ଶୀତରେ କାମ କରି ଗତି ଯାହା କିଛି ରୋଜଗାର କଲା, ତା’ର ହୃଦୟ-ସିଂହାସନ ଗଢ଼ିବା ପାଇଁ ତାହା ଯଥେଷ୍ଟ ହେଲାନାହିଁ । ଦିନରେ କେତେ କଥା କଳ୍ପନା କଲା, ରାତିରେ କେତେ କେତେ ବିଚିତ୍ର ବିରାଟ ସ୍ୱପ୍ନ ଦେଖିଲା; ମାତ୍ର ସେହି ସବୁ ତା’ର କଳ୍ପନା ଓ ସ୍ୱପ୍ନ ପରି ରହିଲା । ହୃଦୟ-ସିଂହାସନ ସେ ଗଢ଼ିପାରିଲା ନାହିଁ । ସେ କେବେ କେବେ ଏକୁଟିଆ ବସିଲାବେଳେ ଗୋଟିଏ ନିରାଭରଣା କୁଟୀରବାଳାର କମନୀୟ ଛବି ତା ଆଗେ ଆସି ନାଚିଗଲା, କାହା ତୁଣ୍ଡରୁ କଥା ଶୁଣିଲାବେଳେ ସେ ସେହି ଛବିର ଜୀବନ୍ତ ସତେଜ ସ୍ୱର ଟିକିଏ କଳ୍ପନା କଲା । କହିବାକୁ ଗଲେ ତା’ର ସେ ହେଲା ଦେବତା, ତା’ ପ୍ରାଣର ଆରାଧ୍ୟା, ତା’ ସ୍ୱପ୍ନର ପ୍ରତିଚ୍ଛାୟା, ତା’ ହୃଦୟର ମାନସୀ ! ତାକୁ ପାଇବା ପାଇଁ ତା’ର ଏକ ପ୍ରେମ-ସିଂହାସନ ଲୋଡ଼ା !! ତା’ ଯୋଗ୍ୟ ସିଂହାସନ ସେ ଗଢ଼ିବ କିପରି ?

ବୋଲଗଡ଼ର କଙ୍କରିଳ ଗିରିପ୍ରାନ୍ତର ଏପରି ସିଂହାସନଟିଏ ଗଢ଼ିବାପାଇଁ ତାକୁ ଉପାଦାନ ଯୋଗାଇ ପାରିଲା ନାହିଁ । ଦାନୀ, ଜ୍ଞାନୀ, ମାନୀ ମହାଜନମାନଙ୍କ ପାଖକୁ ଯାଇ ସେ ଏଥିପାଇଁ କିଛି ଉପାଦାନ ମାଗିଲାନାହିଁ । ନିଜ ବାହୁବଳରେ ଅର୍ଜନ କରି ଆଣିବା ପାଇଁ ଦିନେ ସେ ପୌଷ ମାସ ସନ୍ଧ୍ୟାବେଳେ ସୁନାଖଳା ଗାଁ ଛାଡ଼ି ଆସାମ ଚାଲିଳା । ଗଲାବେଳେ ଗାଁ ଶେଷ ମୁଣ୍ଡ କୁଡ଼ିଆ ଭିତରକୁ ପଶିଯାଇ ବିଦାୟ ନେଇ ଆସିଲା । ଦୁଆରମୁହଁରେ କହିଲା- ‘‘ଯାଉଚସି ପାଟ, ଚିଠି ଦେବି ।’’

 

(୨)

 

କୁଡ଼ିଆ ଭିତରେ ପାଟରା ସାରା ସଂସାର । ମା’ ନାହିଁ, ବାପ ନାହିଁ, ଗାଁରେ ତା’ର ସାହା-ସାଥୀ ମଧ୍ୟ କେହି ନାହାନ୍ତି । କେବଳ ତା’ର ନିଜର ହୋଇ ଅଛି ହସହସ ମୁହଁଖଣ୍ଡିକ, ସହଜ ସରଳ ବ୍ୟବହାର- ଟିକକ ।

ଓଡ଼ିଶାରେ ୨୬ ସାଲ ଦୁର୍ଭିକ୍ଷର ନିଷ୍ଠୁର ତାଡ଼ନାରେ ଗାଁଗଣ୍ଡା ଯେତେବେଳେ ଜନଶୂନ୍ୟ ହେଉଥିଲା, ଘଡ଼ିଘଡ଼ିକି ମଧ୍ୟରେ ବାପ ମା’, ଭାଇ ଭଉଣୀଙ୍କ ମଧ୍ୟରେ ଚିରଦିନ ପାଇଁ ବିଦାୟ ଦିଆନିଆ ଚାଲିଥିଲା, ସେହି ସମୟରେ ଏକ ମୁଠି-ଚାଉଳ-ବଣ୍ଟା କେନ୍ଦ୍ରରେ ପାଟ ସହିତ ଗତିର ପରିଚୟ । ଦୁହେଁ ଜାତିର ବାଉରି, ହିନ୍ଦୁ ଜାତିର ଅସ୍ପୃଶ୍ୟ । ଏହି ପିତହୀନ ଅସ୍ପୃଶ୍ୟ ବାଳକ ବାଳିକା ଦୁହିଁଙ୍କର ମା’ ଦୁହେଁ ଭାଗ୍ୟସ୍ରୋତରେ ଭାସି ଭାସି ଆସି କେତେ ଦିନ ପରେ ସୁନାଖଳା ଗାଁର ଶେଷ ମୁଣ୍ଡରେ ଚାରିଟା ବେଢ଼ା ବାଉଁଶରେ ତିଆରି ହୋଇଥିବା ଦୁଇଖଣ୍ଡି କୁଡ଼ିଆ ଭିତରେ ଲାଗିଲେ । କିଛି ଦିନ ପରେ ସେହି କୁଡ଼ିଆ ଭିତରେ ମୃତ୍ୟୁଲୀଳା ଆାରମ୍ଭ ହେଲା । ମୃତ୍ୟୁ-ଦେବତା ଧନୀ ଦରିଦ୍ର ନ ବିଚାରି ସୁନାଖଳା ପରି ଜଣାଶୁଣା ଗାଁରେ ମଧ୍ୟ ତା’ର ଲୀଳା-ଖେଳା ଆରମ୍ଭ କରିଦେଲା। ସେହି କୁଡ଼ିଆ ଭିତରେ ଦୁଇଟି ଅନାଥା ଦୁଇଟି ଅନାଥ ବାଳକବାଳିକାଙ୍କୁ ବୋଲଗଡ଼ ରାଜ୍ୟର ମରୁ ପଡ଼ିଆରେ ଛାଡ଼ି ଦେଇ ଆଖି ବୁଜିଦେଲେ । ଆଖି ବୁଜିବା ପୂର୍ବରୁ ଦୁହିଁଙ୍କ ଭିତରେ କଥା ହୋଇଥିଲା ଯେ, ଗତି ସହିତ ପାଟର ବିଭାଘର ହେବ - ଏ କଥା ଗତି ଜାଣେ; ପାଟ ମଧ୍ୟ ଜାଣେ ।

ଗତିକି ଯେତେବେଳେ ଅଠର ବର୍ଷ ବୟସ ଏବଂ ପାଟକୁ ତେର ବର୍ଷ ବୟସ ହେଲା, ଏହି ନିର୍ବନ୍ଧ କଥା ସେମାନଙ୍କର ମନେପଡ଼ିଲା । ମନେପକାଇ ପାଟର ଲଜ୍ଜାର ସୀମା ରହିଲାନାହିଁ । ଗତିର ନୂତନ ଘରଦ୍ୱାର ପରିବାପାଇଁ ଯୋଗାଡ଼ର ବାକି ରହିଲାନାହିଁ । ପରଦ୍ୱାରରେ ଚାକିରି କରି ସେ କିଛି ପଇସା ରୋଜଗାର କଲା । ସେହି ପଇସାରେ ଘରଖଣ୍ଡିଏ ଟେକି ପରଠାରୁ ଚାରି ମାଣ ଚାଷ କଲା । ଦେଖୁ ଦେଖୁ ତା ଆର ବର୍ଷକୁ ସେହି ନୂଆ କୁଡ଼ିଆ ଭିତରେ ଦି’ ଭରଣ ପୁରୁଣା ଧାନ ଜମା ! ଲୋକେ କହିଲେ - ‘‘ଗତି ନାହାକ ନିଜ ବାହାଘର ପାଇଁ କେଡ଼େ ଲୋଭରେ ଧାଇଁଚି; ଗାଁ କରଣ ସାଆନ୍ତକୁ ବଳିଯିବା ପରା !’’

କିନ୍ତୁ ଅଧା ପଥରେ ବାଧା ପଡ଼ିଲା । ଖଙ୍ଗୁରିଆ ଗାଁର ବାଞ୍ଛା ନାହାକର ପୁଅ ସହିତ ପାଟର ପ୍ରସଙ୍ଗ ଉଠିଲା । ଗତି କେଭେଁ ଏ କଥା କଳ୍ପନା କରି ନଥିଲା । ପାଟ ଯେ ତା’ର ଏବଂ ସେ ପାଟର - ଏ କଥା ସେ ବୁଦ୍ଧି ହେଲା ଦିନୁ ବୁଝିଆସିଥିଲା । ତା ଦେହର ପ୍ରତି ଲୋମକୂପରେ, ତା ଘରର ପ୍ରତି ବାଲିକଣାରେ ପାଟ ଲୁଚି ରହି ହସୁଥିବା ପରି ଏପର୍ଯ୍ୟନ୍ତ ସେ ଜାଣିଥିଲା । ଏକଥା ଶୁଣି ତା ମନରେ ହଠାତ୍‌ଅସମ୍ଭବ ଭାବାନ୍ତର ଆସିବା କଥା ।

ଦିନେ ସୂର୍ଯ୍ୟ ନ ଉଠୁଣୁ ସେ ଯାଇ ପାଟ ସହିତ ଦେଖାକଲା । ପାଗଳ ପରି ପାଟର ହାତ ଦୁଇଟା ଭିଡ଼ିଧରି କହିଲା - ‘‘ପାଟ, ସତ କହିଲୁ, କାହା ସଙ୍ଗେ ଗଣ୍ଠି ବନ୍ଧା ହେଉଛି ?’’

ପାଟ ଲାଜରେ ମୁଣ୍ଡ ପୋତି ଧୀରେ ଧୀରେ ଉତ୍ତର ଦେଲା - ‘‘କିଛି ତ ହୋଇନାହିଁ; କଥା ହୋଇଛି ।’’

ଗତି ସେଠି ଠିଆ ହୋଇ ନ ପାରି ଝାଉଁଳିଲା ପରି ତଳେ ବସିପଡ଼ିଲା । ତା ପରେ ସତୃଷ୍ଣନୟନରେ ଏକଲୟରେ ପାଟର ମୁହଁକୁ ଚାହିଁ କହିଲା - ‘‘ପାଟ, ପାଟ ଶୁଣିଚି, ମୁଁ କ’ଣ ସେଥିକି ପାରିବି ନାହିଁ ? ମା’ କ’ଣ କହିଯାଇଥିଲା ମନେପକେଇଲୁ ! ସେତବେଳେ କ’ଣ ମୁଁ ଧନୀ ହୋଇ ଥିଲି ? ଦିହେଁ ପରା ବୁଲି ବୁଲି ଭିକ ମାଗି ଆଣୁଥିଲେ ! ମୁଁ କ’ଣ ଧନ ଅର୍ଜିପାରିବି ନାଇଁ . . . ?’’ . . . ଗତିର ଆଖି ଲୁହରେ ଛଳଛଳ ହୋଇଗଲା । ତା’ ଦେଖି ଆଖିର ଲୁହ ଏଡ଼ାଇବା ପାଇଁ ପାଟ ନିଜ ମୁହଁ ବୁଲେଇଦେଲା । ତା ପରେ ଦିହେଁ ନୀରବରେ ଠିଆ ହୋଇ କେତେ କ’ଣ କଥା ହେଲେ, କାହିଁ କେଉଁ ସ୍ମୃତିରାଜ୍ୟରେ ଯାଇ ବୁଲିଲେ । ରାତି ପାହି ଆଲୁଅ ହେଲା । ସଂସାରରେ ଗହଳ-ଚହଳ ଆରମ୍ଭ ହେଲା । ସେହି ସମୟରେ ସେହି ନୀରବ ନୀସ୍ତବ୍ଧ କୁଡ଼ିଆ ଭିତର ଦୁଇଟି କିଶୋର କିଶୋରୀ କିଛି ଦିନ ପାଇଁ ପରସ୍ପରଠାରୁ ବିଦାୟ ନେଲେ । କିଶୋର କହିଲା ‘‘ଯାଉଚି ପାଟ, ଚିଠି ଦେବି ।’’

 

(୩)

 

ଦୁଇ ପାଖେ ଗିରିମାଳା । ସେ ଭିତରେ ବିଲ ପଡ଼ିଆର ବୁକୁ ଚିରିଲା ପରି ଉନ୍ନତ ବକ୍ଷରେ ରାଜରାସ୍ତା ଶୋଇଛି । ଭୟଙ୍କର ଅନ୍ଧାର ରାତି । ଝଡ଼ିବର୍ଷାରେ ବାଟପାଖେ ଗଛ ଲତା ବାରିବା କଷ୍ଟ । କେତେବେଳେ ବିଜୁଳି, କେତେବେଳେ ବଜ୍ର, କେତେବେଳେ ବା କେଉଁ ଅଜଣା ପକ୍ଷୀର ଚିତ୍‌କାର । ସାଇଁସାଇଁ ଉତ୍ତରା ପବନ, ଶରଜାଳ ପରି ବର୍ଷାଧାରା, ଉପରେ କଳାହାଣ୍ଡିଆ ମେଘମାଳା, ତଳେ କର୍ଦ୍ଦମାକ୍ତ ବସୁମତୀ - ସଂସାରରେ ଏହିପରି ସମୟରେ, ଏହିପରି ସ୍ଥାନରେ, ଏହିପରି ଅବସ୍ଥାରେ ପଥିକ କିଏ ଚାଲିଛି ? ଲକ୍ଷ୍ୟ ଯେପରି ତା’ର ପୂର୍ବରୁ ନିର୍ଦ୍ଦଷ୍ଟ । ବ୍ୟଥା ଯେପରି ତା’ର ମର୍ମଗତ । ନିଜର ବଳିଷ୍ଠ ଶରୀରଟାକୁ ପ୍ରକୃତିର ଏ ସକଳ ଭୀଷଣତା ଭିତରେ ଦେଖାଇ ଦେଇ ସେ ଯାଇ ପଲ୍ଲୀର କୁଟୀର ଦୁଆରେ ଠିଆହେଲା । ଗୁରୁଭାର ବାକ୍‌ସଟିଏ ତଳକୁ ଓହ୍ଲାଇ ଦେଇ ସେ ଦୁଆରେ ହାତ ମାଇଲା । ଜାଣିପାରିଲା, ତୁଆର ନାହିଁ । ତା ପରେ ତଳ-ଉପରକୁ ଚାହିଁ ଥରେ ଉପରକୁ ହାତ ବଢ଼ାଇଲା । ବିଚାରିଲା - ଏ ଘର ନା ଗଛମୂଳ ! ଚାଳର ରୁଅରେ ହାତ ବାଜିବାରୁ ତା’ର ଚେତନା ଆସିଲା । ହାତ ବଢ଼ାଇବା ସଙ୍ଗେ ସଙ୍ଗେ ସେ ଘର ଭିତରକୁ ଗୋଡ଼ ବଢ଼ାଇଲା । ଏରୁଣ୍ଡି ବନ୍ଧ ଡେଇଁ ପାଦ ଘର ଭିତରେ ପଡ଼ିଲା । ସେହି ଅନ୍ଧକାର ଭିତରେ ସେ ମୁହୂର୍ତ୍ତେ ଥକା ହୋଇ ଡାକିଲା - ‘‘ପାଟ !’’

ଏହି ପଦକ ‘ପାଟ’ ଶବ୍ଦ ଶତସହସ୍ର ଭାବରେ ପବନର ସାଇଁସାଇଁ ଶବ୍ଦ ସଙ୍ଗେ ପୁଣି ସେହିଠାକୁ ଫେରିଆସିଲା ପରା ! କେହି ଉତ୍ତର ଦେଲେ ନାହିଁ । ସେ ଅଭ୍ୟର୍ଥନା ପାଇବ ବୋଲି ଆଶା କରି ଝଡ଼ପବନରେ ଧାଇଁଥିଲା, କାହାର ଦେଖା ସୁଦ୍ଧା ପାଇଲାନାହିଁ । ସେ ଯାହାପାଇଁ ଅନ୍ଧକାର ରାତି ମାନି ନ ଥିଲା, ସେ ଏବେ କାହିଁ ? ଭାବିଲା, ‘‘ତେବେ କ’ଣ ଏ ଥାନାଟା ସୁନାଖଳା ନୁହେଁ ? ନା, ସେଇ ସଡ଼କ, ସେଇ ପର୍ବତ, ସେହି ପୋଖରୀ - ସବୁ ତ ପାରି ହୋଇ ଆସିଲି !’’

ପଥିକ ଭାବି ଭାବି ସେହିଠାରେ କ୍ଲାନ୍ତଭାବରେ ବସିପଡ଼ିଲା । ସେଭିତରେ ସେ ଦେଖିଲା - ମାନଗୌରବରେ ମଣ୍ଡିତ ହୋଇ ଦୂର ରାଚ୍ୟରୁ ସେ ଫେରୁଛି । ତା’ ପାଇଁ ଫୁଳମାଳ ଧରି ଜଣେ କିଏ ଦୁଆରମୁହଁରେ ଠିଆହୋଇଛି । ସେ ତାକୁ କୋଳକୁ ଟାଣିନେଇ ଘନଘନ ଚୁମ୍ବନ ଦେଲା । ସେହି ଆବେଶ ଭୋଳରେ ଡାକିଲା - ‘‘ପାଟ !’’

ହଠାତ୍‌ଚମକି ଦେଖିଲା, ତା’ ନିଦ ଭାଜିଯାଇଛି । ପିଣ୍ଡାରେ ପ୍ରବାସ-ଫେରନ୍ତାର ବାକ୍‌ସଟିଏ ଦେଖି ଗାଁଲୋକେ ଜମା ହୋଇ ତାକୁ ଦୋଦୋଚିହ୍ନା ହେଉଛନ୍ତି । ପଥିକ ଦେଖିଲା, ସେ ସେହି ବାଉରି ପିଲା ଗତି । ସେହି ଗାଁ ସୁନାଖଳା ସେହିପରି ଅଛି । ସେହି ବୋଲଗଡ଼ ମୂଲକର ଗିରି ପାହାଡ଼ ଯୁଗ-ଯୁଗର ନିର୍ଧୂମ ଅକର୍ମା ପଥରସବୁ ଆଦରରେ ବୁକୁରେ ଧରି ସେହି ଦମ୍ଭରେ ଠିଆହୋଇଛି; କିନ୍ତୁ ନାହିଁ କେବଳ ତା’ର ପ୍ରାଣର ପାଟ !

ଗତ ବର୍ଷକୁ କହିଯାଇ ଦେଢ଼-ବର୍ଷରେ ଆସାମରୁ ଫେରିଲା । ଏ ମଧ୍ୟରେ ପାଟର ବିବାହ ହୋଇସାରିଛି; ଗତି ପ୍ରତି ଏ ସମ୍ବାଦ ଏକାବେଳକେ ନୂଆ । ତା’ ପୁରୁଣା ଜୀବନକୁ ନୂଆ କରି ଗଢ଼ିବା ପାଇଁ ସେ ଏତେ ବାଟ ଆସାମ ମୂଲକରୁ ଫେରିଆସିଲା; ମାତ୍ର ଯାହା ଶୁଣିଲା ସେଥିରେ ତା’ର ଧୈର୍ଯ୍ୟ ରହିଲାନାହିଁ । ବସିବା ଥାନରୁ ଉଠିବାକୁ ତା’ର ମନ ଡାକିଲାନାହିଁ । ଦିନ ଦି’ଦିନ, ଚାରି ଦିନ, ଆଠଦିନ ଗଲା; ଗାଁର କରଣ ସାଆନ୍ତେ ଜାଣିଲେ, ପର ଗାଁଲୋକେ ଜାଣିଲେ। ଖବର ହେଲା ଯେ ସୁନାଖଳା ଗତି ନାହାକ ଆସାମରୁ ଫେରିଆସି ମୂକ ହୋଇଯାଇଛି ।

ମୂକ ଗତିର ଆଉ କଥା କହିବାକୁ କିଛି ନ ଥିଲା । ଯାହା କହିବା କଥା, ସେ ଆଗରୁ ପାଟକୁ କହିସାରିଛି । ବର୍ତ୍ତମାନ ତା’ର ହୃଦୟ-ସିଂହାସନ- ପ୍ରେମର ସିଂହାସନ ଗଢ଼ିବା କଥା । ସେହି କାର୍ଯ୍ୟରେ ସେ ଲାଗିଗଲା ।

 

(୪)

 

ଗତ ପନ୍ଦର ଦିନ ମଧ୍ୟରେ ଘରେ ଥିବା ସମ୍ପତ୍ତିପତ୍ର ବିକିସାରିଲା । ଘରଖଣ୍ଡିକ ଜଣକୁ ବନ୍ଧକ ଦେିଦେଲା । ତା’ପରେ ଆସାମରୁ ଯାହା ରୋଜଗାର କରିଥିଲା, ସବୁ ଏକାଠି କଲା ।

ଗତିର ଏହି ମୂକ-ରୋଗ କଥା କେହି ବୁଝିପାରିଲେ ନାହିଁ । ପାଟ ପାଖକୁ ଖବର ଯାଇଥିଲେ ବା ସେ ବୁଝିପାରିଥାନ୍ତା । ଦିନେ ସନ୍ଧ୍ୟାବେଳେ ସେବ ବେଶୀ ବାଉଳିଚାଉଳି ହୋଇ ଛଟପଟ ହୋକୁ ଲାଗିଲା । ବୁକୁ ଉପରେ କ’ଣ କନାପୁଡ଼ାଟାଏ ଧରି କେବଳ ‘ପାଟ, ପାଟ’ ବୋଲି ପାଟିକଲା । ମାତ୍ର ପାଟ ପକୃତରେ ଯେତେବେଳେ ପରମୁହଁରୁ ଖବର ପାଇ, ତା’ ସ୍ୱାମୀକୁ ସାଙ୍ଗରେ ଧରି ତା’ର ଶେଯ ପାଖେ ଆସି ଠିଆହେଲା, ସେତେବେଳେକୁ ସବୁ ଶେଷ ହୋଇଯାଇଥିଲା . . . ସନ୍ନିପାତର ଶେଷ ମୁହୂର୍ତ୍ତରେ ସେ କେବଳ ମୁଣ୍ଡ ଗଡ଼ଉଥିଲା । . . . ପରେ ଦେଖାଗଲା, ସେହି ପୁଡ଼ାଟି ଭିତରେ ଗୋଟିଏ ହାର, ଦୁଇଟି ମୁଦି - ସବୁ ସୁନାର ।

ପାଟ ଏହି ପୁଡ଼ାଟିର ଅର୍ଥ ବେଶ୍‌ବୁଝିଲା । ହୃଦୟ ଭିତରେ ପ୍ରେମସିଂହାସନ ଗଢ଼ି ପାଟକୁ କେବଳ ସେ ସେଥିରେ ବସାଇଲା । ଆଉ ପାଟର ମନବୋଧପାଇଁ ନିଜ ଦେହର ରକ୍ତ ପାଣି କରି ଏହି କେତୋଟି ପାର୍ଥିବ ଜିନିଷ ତା ପାଇଁ ସଜାଡ଼ିରଖିଥିଲା ।

ଏହି ପ୍ରେମ-ସିଂହାସନ କଥା ସୁନାଖଳାର ଗତି ବୁଝିଥିଲା, ପରେ ପାଟ ବୁଝିଲା; ମାତ୍ର ଅନ୍ୟ ଲୋକେ କୁହାକୁହି ହେଲେ ‘‘ଗତି ନାହାକକୁ ଆସାମରେ କିଏ ପାଙ୍ଗି ଛାଡ଼ିଦେଲା ।’’

 

ସ୍ୱପ୍ନ

 

ଅନେକ ବର୍ଷ ତଳେ । ସେତେବେଳେ କି ୠଷିକୁଲ୍ୟା ଏହିପରି ବହୁଥିଲା ? ଏହିପରି କି ଉତ୍ତାଳ ତରଙ୍ଗମାଳା କୂଳେ କୂଳେ ଶିର ପିଟି କି ଅବୋଧ୍ୟ ସଙ୍ଗୀତ ଗାଇ ଯାଉଥିଲା ? ଏହିପରି କି ଏହି ଗିରି-ନନ୍ଦିନୀ ବାଲୁକାତଳ୍ପରେ କେଉଁ ହଜିଲା ରତ୍ନ ଖୋଜି ବୁଲୁଥିଲା ?

ସେତେବେଳେର କଥା କିଏ କହିବ ? କିଏ କହିବ ୠଷିକୁଲ୍ୟା ସେତେବେଳେ କାନ୍ଦୁଥିଲା କି ହସୁଥିଲା ? କିଏ କହିବ ଏଠି ସେ କୋଳିଥିଲା କି କ’ଣ ଖୋଜୁଥିଲା ? ପ୍ରତି ମୁହୂର୍ତ୍ତରେ ପ୍ରତି କଥା ଯେ ତା’ର ଏଇ ତରଙ୍ଗ ପରି ଗୋଟିକ ପରେ ଗୋଟିଏ କୁଆଡ଼େ ଉଭେଇ ଯାଇଛି ! ତରଙ୍ଗ ଉଭେଇଗଲେ କି ସେ ତରଙ୍ଗ ଆଉ ପୁଣି ଉଠେ ?

ତରଙ୍ଗ ଉଠି ତରଙ୍ଗର କଥା ମନେପକାଏ; ମାତ୍ର ଫେରିଆସେ ନାହିଁ । ମାନବପ୍ରାଣର ଚିରନ୍ତନ ବ୍ୟଥା ସ୍ମୃତିପଟରେ ଜାଗିଉଠେ, ଦିବସ-ମାସ-ବର୍ଷ-ତରଙ୍ଗରେ ସ୍ମୃତିର କେତେ କେତେ ମଧୁର ଜୁଆର ଉଠେ, କେତେ ଅବ୍ୟକ୍ତ ସଂଙ୍ଗିତ ହୋଇ ଉଠ; ମାତ୍ର ଗଲା କଥା କିଛି ଫେରିଆସେ ନାହିଁ । ତେଣୁ କିଏ କହିବ ସେଇ କାଳର ସେଇ କଥା ? ସେଠି କୁଡ଼ିଆ ଥିଲା କି ଉଆସ ଥିଲା, ସେଠି ପ୍ରାଣ ଥିଲା କି ପଥର ଥିଲା, ସ୍ମୃତିର ଶତ ଶତ ତରଙ୍ଗରେ ମନେପଡ଼ିବ ମାତ୍ର ।

ଧର, ସେଠି କୁଡ଼ିଆ ଥିଲା । ତା’ ପରେ ? କୁମଡ଼େ ଭିତରେ ଦୁଇଟି ପ୍ରାଣୀ ଥିଲେ । କୁଡ଼ିଆରେ ଖଣ୍ଡେ ଦୂରରେ ସୁଦୀର୍ଘ ଆସିକା ନଗରୀ । ତେଣେ ନଗରୀ ଭିତରେ ଆଲୋକ-ରେଖା ଜଳିଉଠିଲାବେଳେ କୁଡ଼ିଆର ଏକ ଦିଗରେ - ୠଷିକୁଲ୍ୟାର ସେ ପାଖରେ, ଅନନ୍ତ ଗଗନର ବିପୁଳ ମେଘମାଳା ପରପାରରେ ସ୍ୱର୍ଗବାସୀ କିଏ ଦେବତା କୁଡ଼ିଆଟିକୁ ଚାହିଁରହିଥାନ୍ତି . . . ଦୁଇଟି ପ୍ରାଣୀ କୁଡ଼ିଆ ବାହାରେ ବସି ଦେଖନ୍ତି ଆକାଶର ତାରା, ୠଷିକୁଲ୍ୟାର ଚଳ-ତରଙ୍ଗମାଳା, ଆଉ ଆସିକା ନଗରୀର ଦୀପାଲୋକ ! ଜଣେ ଭାବେ -‘‘ସେହି ସ୍ୱର୍ଗର ଦେବତାଙ୍କ ଦେଶକୁ ଚାଲିଯାନ୍ତି କି ! ଏଇ ୠଷିକୁଲ୍ୟାର ତରଙ୍ଗ-ରାଜ୍ୟରେ ବୁଡ଼ିରହି ବେଳେବେଳେ ତରଙ୍ଗ ପରି ମୁଣ୍ଡ ଟେକି ଆସିକାର ପାଖେପାଖେ ଏଇ ଭଙ୍ଗା କୁଡ଼ିଆଟିକୁ ଚାହୁଁଥାନ୍ତି କି !’’ . . . କାହିଁ, ସେ ଭାଗ୍ୟ ତା’ର କାହିଁ ?

ଆଉ ଜଣେ ଭାବେ -‘‘ଏଇ ସ୍ୱର୍ଗବାସୀ ଦେବତା ପରି ହସନ୍ତି, ଏଇ ଢଳଢଳ ତରଙ୍ଗମାଳା ପରି ନାଚନ୍ତି, ଏ ସଂସାର ଛାଡ଼ି ଆଉ କୁଆଡ଼େ ଯାଆନ୍ତି ନାହିଁ । ଏଇ ଆସିକା ନଗରୀର ଆଲୋକିତ କେଉଁ ଉଆସ ମଣ୍ଡପରେ ବସି ବସି ଏଇ ସ୍ମୃତିର ସମ୍ପଦ କୁଡ଼ିଆଟିକୁ ଦେଖୁଥାନ୍ତି !’’ . . . ଆଶା ତା’ର କିଏ ପୂର୍ଣ୍ଣ କରିବ ?

ସେହି ଦୁଇଟି ପ୍ରାଣୀ ଭିତରୁ ଜଣେ ଜଡ଼ିତ ବିକଳ କଣ୍ଠରେ ଅନ୍ୟ ଜଣକୁ ପଚାରେ, ‘‘ଝିଅ ଲୋ -’’

ଜଣକର ଭାବମୁଗଧ୍‌ଅନ୍ତର ଉତ୍ତର ଦିଏ - ‘‘କ’ଣ, ମା’ ?’’

ମା’ ପଚାରେ -‘‘ଆଜି ତ ଘରେ କିଛି ନାହିଁ ।’’

ଝିଅ ଉତ୍ତର ଦିଏ -‘‘ନ ଥାଉ ।’’

ଦୁହେଁ ନୀରବ ରହି କ’ଣ ଭାବନ୍ତି । କିଛି ସମୟ ପରେ ପୁଣି ପ୍ରା୍ନ ଉଠେ -

‘‘ଆଜି ତ ମା ଲାଗି ଗଲୁ ନାଇଁ, ଆଜି ତ ବିକି ଗଲୁ ନାଇଁ, ମୋ ଗୋଡ଼ହାତ କି ଚଳୁଛି ଯେ . . . . !’’

ଝିଅ କିଛି ହେଲେ ଉତ୍ତର ଦିଏ ନାହିଁ । ତା’ ମନରେ କି ଭାବନା ଖେଳୁଥାଏ ସେତବେଳେ ସେହି କେବଳ ଜାଣେ। ୠଷିକୁଲ୍ୟାର ବୁକୁ ଉପରେ ମେଘଛାଇ ପଡ଼ିଗଲେ ତା’ର ନିଦ ଭାଙ୍ଗିଯାଏ - ତା’ ଜାଗ୍ରତ ସ୍ୱପ୍ନ ହଠାତ୍‌ଓଲଟିପଡ଼େ ।

ମଣିଷ କି କେବେ ଚାହିଁକରି ଏପରି ଭାବରେ ସ୍ୱପ୍ନ ଦେଖିପାରେ ? ଏକଥା ବୁଢ଼ୀ ବିଶ୍ୱାସ କରିପାରେ ନାହିଁ । ଗତ କଥା ସେ ଆଉ ଭାବିପାରେ ନାହିଁ; ମାତ୍ର ଷୋଳ ସତର ବର୍ଷର ଝିଅ ପକ୍ଷରେ ଏହା ନିତାନ୍ତ ସମ୍ଭବପର ।

ଆସିାକ ନଗରୀରୁ ଆପଣା କୁଡ଼ିଆକୁ ଫେରିଆସିବାବେଳେ ଝିଅ କେତେବେଳେ କ’ଣ ସ୍ୱପ୍ନ ଦେଖେ । ସେ ଚାଲି ଚାଲି ସ୍ୱପ୍ନ ଦେଖେ, ସେ ସ୍ୱପ୍ନ ଦେଖି ଦେଖି ସ୍ୱପ୍ନ ଦେଖେ ।

ସ୍ୱପ୍ନ ଦେଖି ଦେଖି ସେ ହସେ, ଖେଳେ, କାନ୍ଦେ, ନାଚେ । ସ୍ୱପ୍ନରେ ସେ ୠଷିକୁଲ୍ୟାରେ ବୁଡ଼ି ମରେ, ଆକାଶରେ ମେଘ ଉପରେ ବୁଲେ, ସାତ ସମୁଦ୍ର ତେର ନଈ ଆରପାଖେ କାହା ଗଳାରେ ଓହଳି ଓହଳି ଖେଳେ । ସ୍ୱପ୍ନରେ ସେ ନ ଦେଖେ କ’ଣ ?

ଝିଅ ଦିନେ ସ୍ୱପ୍ନ ଦେଖିଲା । କି ବିଚିତ୍ର ସ୍ୱପ୍ନ ସେ ! ତା’ର ଏ ଷୋଳ-ସତର ବର୍ଷ ବୟସରେ ତାକୁ ଏ ରୂପ ଯୌବନ କିଏ ଦେଲା । ଏ ରୂପ ବର୍ଣ୍ଣନା କଲେ ପଦ୍ମକୁ ନିନ୍ଦା ହେବ, ତା’ କଣ୍ଠର ମଧୁର କଥାକୁ କହିବସିଲେ ଏ ୠଷିକୁଲ୍ୟା ତରଙ୍ଗ-ରାଗିଣୀର ଅବମାନନା ହେବ ! ତା’ ଚାଲି, ଚାହାଣି . . . ଭଞ୍ଜଭୂମି ବୋଲି ବା ତା’ ଏଠାରେ ସମ୍ଭବ ହୋଇଥିଲା । ସେ କାନ୍ଦିଲେ ହସିଲା, ହସିଲେ ହସିଲା !

ଆସିକା ନଗରୀର ଏଇ ପଥପ୍ରାନ୍ତବାସିନୀ କଥା ଯେପରି ବିଚିତ୍ର, ସେପରି ମଧୁମୟ । ଦରିଦ୍ର କୁଟୀରର ଗୋଟିଏ ଝିଅ ମୁଣ୍ଡରେ ଚୁଡ଼ାବୋଝ ଧରି ବଜାରରେ ବିକି ବୁଲୁଥିଲା । ବୁଲୁ ବୁଲୁ ସ୍ୱପ୍ନ ଦେଖିଲା - ଦିନେ ହଠାତ୍‌ତା’ ଚୁଡ଼ାବୋଝକ ସୁନା ପାଲଟିଯାଉଛି । ତାହା ଦେଖି ସେ କାତର ଭାବରେ ମୁଣ୍ଡରେ ହାତ ଦେଇ କାନ୍ଦିଲା -

‘‘ମୋ ମା’ -ଆ ଲୋ, ମୋ ଚୁଡ଼ା . . . ?’’

କାନ୍ଦୁ କାନ୍ଦୁ ଦେଖିଲା ତା’ର ସେହି ଲୁହ ଆଉ ଲୁହ ହୋଇନାହିଁ; ଲୁହାଗୁଡ଼ାକ ବିନ୍ଦୁ ବିନ୍ଦୁ ସୁନା ପାଲଟି ଜକଜକ ଦିଶୁଛି । ଏ କଥା ଦେଖି ଭୟରେ ତା’ର ଦେହ ମୁଣ୍ଡ ଥରିଉଠିଲା । ପୁଣି କି ବିଚିତ୍ର କଥା ! ଥରିବା ସଙ୍ଗେ ସଙ୍ଗେ ପିନ୍ଧିବା ଲୁଗାଟା ତା’ର ସୁନା ପାଲଟିଗଲା । ଓହୋ ! ସେ କରେ କ’ଣ ? ଦେଖୁ ଦେଖୁ ତା’ର ଆଲୁଳାୟିତ କେଶଗୁଚ୍ଛ ସୁନାର ଜରି ! ପ୍ରଭୁ ହେ . . . ତା’ର ପାଦ ସୁନା, ତା’ର ହାତ ସୁନା, ତା’ର ଦେହଟଯାକ ସୁନା- ସେ ନିଜେ ସୁନା !!

ପୁଣି ଚାହୁଁ ଚହୁଁ ତା’ର ଯୌବନ ସୁନା, ତା’ର କାମନା ସୁନା, ତା’ର କଳ୍ପନା ସୁନା . . . ! ସେ କାତର ଭାବରେ ଡାକିଲା - ମାଆ ! ମାଆ ! ମାଆ !

ବ୍ୟାକୁଳ ଅଧୀର ଭାବରେ ସେ କାହାର ଆଶ୍ରୟ ଲୋଡ଼ିବସିଲେ; ମାତ୍ର ସେପରି ସୁନାକୁ କିଏ ଛୁଇଁବ ? ସେ ଯେ ଥିଲା ଦିନେ ଭିକାରୁଣୀ - ଅଛୁଆଁ ଘର ଝିଅ !

ସେହି କନକମୟୀ ଭିକାରୁଣୀ ନୀଳଗଗନ ସୁନା ପାଲଟିବାକୁ ଇଚ୍ଛା କଲା, ବଧିରା ଧରଣୀ ଚମକି ପଡ଼ିଲା - ମାତ୍ର କେହି ତାକୁ କୋଳକୁ ଟାଣିନେବାକୁ ସାହସ କଲେନାହିଁ । ଶେଷରେ ଶୁଭକ୍ରାନ୍ତି ପୁରୁଷ ଜଣେ କିଏ ଧାଇଁଆସି ଅଧୀର ଭାବରେ ତାକୁ ଜାକିପକାଇ, ତା’ର ସେହି ସୁବର୍ଣ୍ଣ ଯୌବନର ହେମାଭ କପୋଳ - ଦେଶରେ ଚୁମ୍ବନ ଦେଇ ଦେଇ କହିଲେ - ‘‘ସୁନା ! ସୁନା !! ଜଗତକୁ ଆସିଥିଲି ସୁନା ପାଇଁ; ଆଜି ଏତେଦିନେ ମୋ ସୁନା ପାଇଲି ।’’

ଲାଜରେ ସେହି ସୁନାର ଯୌବନ ମୁଣ୍ଡ ପୋତିଦେଲା । ସେତେବେଳେ ସେ ମାନବଜଗତରେ ସଗର୍ବରେ ମୁଣ୍ଡ ଟେକି ଆଖି ଫିଟାଇଲା, ଦେଖିଲା ଆସିକା ନଗରୀର ଏକ ବିଚିତ୍ର ପ୍ରାସାଦ ଭିତରେ ସେ ବସି ୠଷିକୁଲ୍ୟା ଆଡ଼କୁ, ତା’ରି ପୁରୁଣା କୁଟୀର ଦିଗକୁ ମୁହଁ କରିଛି । ତାହାରି ପାଦତଳେ କେତେ କୁଳୀନ, କେତେ ପଣ୍ଡିତ, କେତେ ଜ୍ଞାନୀ, କେତେ ଦାନୀ, ବାଳକ, ଯୁବକ, ବୃଦ୍ଧ, କେତେ ପ୍ରବାସୀ, କେତେ ପୁରବାସୀ, କେତେ ଅବଳା, କେତେ ଦୁର୍ବଳା, କେତେ ବକ୍ତା, କେତେ ଶ୍ରୋତା ଦିନକୁ ଦିନ ଶୋଭାଯାତ୍ରା କରିବାରେ ଲାଗିଛନ୍ତି ।

ତା’ ସ୍ୱପ୍ନ ସାର୍ଥକ ହେଲା ।

ଆସିକା ନଗରୀର ଟାଉନ୍‌ହଲରେ ଏବେ ସେହି ‘ସୁନା’ ର ଛବିଟି ରଖାଯାଇଛି । ଆସିକାରେ ପ୍ରସିଦ୍ଧ ଚିନିକାରଖାନାରେ ମିଚିନ୍‌ସାହେବ ଭିକାରୁଣୀ ବାଳିକା ସୁନାକୁ ବିଭା ହୋଇ ଦାନ ଓ ଜ୍ଞାନର ମହତ୍ତ୍ୱରେ ତାକୁ ଅମର କରିଯାଇଛନ୍ତି ।

 

ଦେବତାର ବିଧାତା

 

ପ୍ରତାପର ଜୀବନାଟା ଏକ ବିରାଟ ପ୍ରାଚୀନ କାବ୍ୟ କହିଲେ ଚଳେ । ପ୍ରତ୍ନତତ୍ତ୍ୱ ଅନୁସନ୍ଧାନରେ ବା ପ୍ରାଚୀନ ପୋଥି - ସଂଗ୍ରହରେ ଏ କାବ୍ୟର ପରିଚୟ ମିଳିନାହିଁ । ପ୍ରାୟ ଅଶୀ ବର୍ଷ ତଳେ କୌଣସି ଏକ ଦେବ-ମଣ୍ଡପରେ ଏହି କାବ୍ୟର ମଙ୍ଗଳାଚରଣ ହୋଇଥିଲା । ତହିଁର ଏକ ରହସ୍ୟମୟ ସ୍ୱର୍ଗ ପାଠକଙ୍କୁ ଶୁଣାଇବାରେ ଇଚ୍ଛା ।

x                   x                  x                  x      

ଶୁଣାଅଛି, କେଉଁ ଆଦିଯୁଗରେ ଚିଲିକା ରକ୍ତବାହୁର ସମାଧି-ଆସନ ରଚନା କରିଥିଲା। ସେହି ସମୟର ବହୁ ଯୁଗ ପରେ ଆଜି ଏକ ବିରାଟ କଳ୍ପନାର ଅନନ୍ତ ସମାଧି ଚିଲିକାର ବାଲୁକାମୟ ନିର୍ଜନ ପ୍ରାନ୍ତରରେ ହୋଇଛି । ସେଥିପାଇଁ ରଣଦୁନ୍ଦୁଭି ବାଜି ନାହିଁ କି ଶୋକ-ସଙ୍ଗୀତ ଶୁଣାଯାଇ ନାହିଁ । ନୀରବରେ, ନିର୍ଜନରେ , ନିର୍ବେଦ ଭାବରେ ଏକ ମହିମାମୟ ମନ୍ଦିରର ଖଣ୍ଡ ଖଣ୍ଡ ପାଷାଣ ତଳେ ଖସି ପଡ଼ିଛି ଓ ଶତ ଶତ ଶିଳ୍ପୀ-ପ୍ରାଣର, ତରୁଣ କବିର ମଧୁର କଳ୍ପନା କାଳର ଜଟିଳ ଗହ୍ୱରରେ ଲୁଚିଯାଇଛି !

ଯେ କୌଣସି ଲୋକ ଏ ଦୃଶ୍ୟ ଦେଖିପାରିବ । ଯାଅ; ଚିଲିକାକୂଳକୁ ଯାଅ । ଚିଲିକାର ପୂର୍ବ ଉପକୂଳରେ ଯେଉଁଠାରେ ଚଣ୍ଡକୁଦ ବୋଲି ଏକ ସ୍ଥାନ ଅଛି, ସେହିଠାରେ ଠିଆହୋଇ ଚାରିଆଡ଼କୁ ଚାହିଁ । ପଥଶ୍ରାନ୍ତ ପଥିକ ସେହି ବାଟଦେଇ ଗଲାବେଳେ ହୁଏତ ତା’ର ପରିଚୟ କହିବ- ଏହି ଯେ ପଥର ଗଦା ଦେଖୁଛ; ତାହା ଏକ ମନ୍ଦିରର ସ୍ମୃତି । ଦେବତା ସେଠି ଥିଲେ । ମଙ୍ଗଳବାଦ୍ୟ ସେଠି ବାଜୁଥିଲା । ଆନନ୍ଦ ଉତ୍ସବ ସେଠି ଚାଲିଥିଲା - ଆଜି ସେସବୁ ନାହିଁ ।

x                   x                  x                  x      

ବାଟର ବାଟୋଇ ହୁଏତ କଳ୍ପନାର କଥା କହିପାରେ । ଜ୍ୟୋସ୍ନା ରାତିରେ, ଶ୍ରାବଣ ଅନ୍ଧକାରରେ କିମ୍ବା ପ୍ରଦୋଷର ଧୂସର ଛାୟାରେ ସେହି କୁଦ ଉପରେ ଠିଆହୋଇ ଥରେ ଧୀରେ ଧୀରେ ଡାକ -‘‘କିଏ ଅଛ ?’’ କେବଳ ପ୍ରତିଧ୍ୱନି ଶୁଣିବ । ଦୂରର ଗିରି-ଗହ୍ୱରତା’ର ଉତ୍ତର ଦେବ । ଚିଲିକା କଳକଳ ହୋଇ କ’ଣ କଥା କହିବ । ଏହାଠାରୁ ଆହୁରି ଏକ ବିଚିତ୍ର କଥା ଦେଖିବ । ଜଣେ କେହି ଦେବତା ଅବନତ ମସ୍ତକରେ ସେହି ଉପକୂଳ ପ୍ରାନ୍ତରରେ ଏଣେତେଣେ ବୁଲି ଗୀତ ଗାଇବାର ଶୁଣିବ । ସେତେବେଳେ ଧରଣୀ, ଗଗନ ମୁଗଧ୍‌ହୋଇ ଗୀତ ଶୁଣୁଥିବେ । ଆକାଶର ତାରା କେବଳ ଚାହିଁଥିବେ, ପବନ କେବଳ ବହୁଥିବ; ଆଉ ଚିଲିକାର ଫେନିଳ ତରଙ୍ଗ ସେ ସଙଗୀତକୁ ଅଭିବାଦନ କରୁଥିବ ।

x                   x                  x                  x      

ଦିନେ ଚଣ୍ଡକୁଦର ପଥିକ ହେଲି । ନିର୍ଜନ ମଧ୍ୟାହ୍ନ, ପ୍ରଖର ସୂର୍ଯ୍ୟତାପର ଜଗତ୍‌ଧୂସର ହୋଇ ଉଠୁଛି । ଏ ପାଖରେ ଚିଲିକା, ସେ ପାଖରେ ଗିରିଶ୍ରେଣୀ, ମଝିରେ ଏକ ପ୍ରାଚୀନ ପାଷାଣ ସ୍ତୂପ । ତାହାରି ଭିତରେ ଦେବତାଙ୍କୁ ଖୋଜି ବାହାର କରିବା ମୋର ଥିଲା ଲକ୍ଷ୍ୟ । ପ୍ରଥମେ ବେଢ଼ାର ସ୍ମୃତିଚିହ୍ନ ଦେଖିଲି, କେତେ ପଲ୍ଲୀ ଗାଁର ମାନବଜାତିର ଶ୍ମଶାନ । ଏବେ ଦେଖିଲି, ଚିଲିକା କୂଳରେ ଏକ ଦେବତାର ଶ୍ମଶାନ ! କେତେ ଦେବ-ଉପଦେବଙ୍କ ଅସ୍ଥିକଭ୍କାଳ ସେଠାରେ ପଡ଼ିଛି । କାହାର ହାତ, କାହାର ମୁଣ୍ଡ, କାହାର ବା ତୁଚ୍ଛ କବନ୍ଧ ଶିଳ୍ପୀ-ପ୍ରାଣର ବିରାଟ କଳ୍ପନା କଥା ପ୍ରାଣରେ ରେଖା-ପାତ କରୁଛନ୍ତି । ନାରୀମୂର୍ତ୍ତୀ କେଉଁଠାରେ ପ୍ରଣୟୀର ବାହୁଛାୟାତଳେ ଅର୍ଦ୍ଧମୁଦ୍ରିତ ନୟନରେ ସ୍ୱପ୍ନ ଦେଖୁଛି । ଭାବିଲି, କିଏ ପ୍ରଣୟର ସ୍ୱପ୍ନ ଦେଖୁଛି; କିଏ ଏହି ବିପର୍ଯ୍ୟୟର ସ୍ୱପ୍ନ ଦେଖୁଛି !

x                   x                  x                  x      

ପାଖରେ ଏକ ଛୋଟ କୁଡ଼ିଆ । ସେହି ଜୀର୍ଣ୍ଣ ପାଷାଣ ସ୍ତୂପ ଭିତରେ ପଶିବାକୁପ୍ରଥମେ ସାହସ ହେଲା ନାହିଁ ।

କୁଡ଼ିଆ ଦୁଆରେ ଯାଇ ଡାକିଲି -‘‘କିଏ ଅଛ ?’’

କେବଳ କଣ୍ଠସ୍ୱର ଶୁଭିଲା - ‘‘ହଁ, ମୁଁ ଅଛି ।’’

ଅପେକ୍ଷାରେ ବାହାରେ ଠିଆହେଲି । କିଛି ସମୟ ପରେ ତାଟି ଫିଟିଲା । ଦେଖିଲି, ସେ ଏକ ବିଚିତ୍ର ଦୃଶ୍ୟ । ନିତାନ୍ତ ଜରାଜୀର୍ଣ୍ଣ ଜଣେ ବୃଦ୍ଧ । ବୋଧହୁଏ ସେହି ଜୀର୍ଣ୍ଣ ମନ୍ଦିରଠାରୁ ସେ ଆହୁରି ପ୍ରାଚୀନ ! ଦେହରେ କେବଳ ହାଡ଼ ଉପରେ ଚମ ଅଛି; ତା’ ମଝିରେ ଆଉ କିଛି ହେଲା ନାହିଁ । ସେ ଦୃଶ୍ୟ ଦେଖି ମୁଁ ଆଉ କିଛି କହିପାରିଲି ନାହିଁ । ଦେଖିଲି, ବୃଦ୍ଧ ମୋ ଆଡ଼କୁ ନ ଚାହିଁ ଅନ୍ୟ ଦିଗକୁ ଚାହିଁ ମୋ ସହିତ କଥା କହୁଛି । ମୋର ବିସ୍ମୟର ସୀମା ରହିଲା ନାହିଁ । କିଛି ସମୟ ପରେ ବୁଛିଲି, ବୃଦ୍ଧ ଅନ୍ଧ । ଦୁଃଖରେ ମୋ ଆଖି ଛଳଛଳ ହୋଇ ଆସିଲା ।

ସେହି ମନ୍ଦିର ଦେହରୁ ଖସି ପଡ଼ିଥିବା ଏକ ପଥର ଉପରେ ବସି ରହିଲେ, ‘‘ବସ ତୁମେ, ବୁଢ଼ା ! ଦିଅଁ ଦର୍ଶନକୁ ଆସିଥିଲି । ଭାରି ଖରା ।’’

ସେ ଠୋ-ଠୋ ହସି ଉଠିଲା । ଭାବିଲି, ସେ ହସରେ ଏହି ଜୀର୍ଣ୍ଣ ମନ୍ଦିରର ବାକୀ ଅଂଶଟା ଖସି ପଡ଼ିବ ପରା ! କି ନିର୍ମଳ ହାସ୍ୟ ସେ ! ମୋର ଦେବ-ଦର୍ଶନ ଇଚ୍ଛା ପ୍ରତି କି କଠୋର ଆକ୍ରମଣ ! କିଛି ବୁଝିପାରିଲି ନାହିଁ । ସେ ମନକୁ କହିଲା - ‘‘ଦେବ - ଦର୍ଶନ ? ଆସିଛ ? ଦେଖିଲ?’’

ମୁଁ କି ଅପରାଧ କରିଛି ମନେକରି ପଚାରିଲି - ‘‘ତୁମେ କ’ଣ ଏଠାରେ ମାଳୀ ?’’

ପୁଣି ସେହି ନର୍ମମ ହାସ୍ୟରୋଳ ! ଆଉ ପ୍ରଶ୍ନ ପଚାରିବାକୁ ସାହସ କଲି ନାହିଁ । ବୃଦ୍ଧ ସ୍ଥିର ଭାବରେ ବସି କହିଲା, ‘‘ଜାଣ, ତୁମେ ଏ ମନ୍ଦିରର ଇତିହାସ ? ମୁଁ ମାଳୀ ନୁହେଁ, ମୁଁ ଦେବତା ନୁହେଁ, ମୁଁ ତୁମପରି ପଥିକ ମଧ୍ୟ ନୁହେଁ ।’’

-‘‘ତେବେ ତୁମେ କ’ଣ ।’’

-‘‘ଦେବତାର ବିଧାତା ।’’ ଏତିକି କହି ବୃଦ୍ଧ ଘରକଣକୁ ହାତ ବଢ଼ାଇ ଏକ ସୁନ୍ଦର କମନୀୟ ଦେବମୂର୍ତ୍ତି ଧଇଲା । କହିଲା, ‘‘ଏହି ସେହି ଦେବତା । ଏହି ଦେବତା ପାଖକୁ ତୁମେ ଆସିଥିଲ; ନୁହେଁ ? ତୁମ ପରି ଅନେକ ଅନ୍ଧ ଆସନ୍ତି ଓ ଏ ମନ୍ଦିରରେ ଦେବତା ଦେଖି ଫେରିଯା’ନ୍ତି। କିନ୍ତୁ ଦେବତା ମୋର ଘରେ ।’’ ଏହା କହି ସେ ମୂର୍ତ୍ତିକି ଯଥାସ୍ଥାନରେ ଥୋଇଦେଲା।

ମୁଁ ଅନ୍ଧ ! ଅନ୍ଧ କହୁଛି ମୋତେ !! ମନରେ ଟିକିଏ ରାଗ ଆସିଲା । ରାମାୟଣ, ଭାଗବତ, ପୁରାଣ ପଢ଼ିଲି, ପୁରୀ ଭୁବନେଶ୍ୱର କୋର୍ଣାକ ବୁଲିଲି; ଶେଷରେ ମୁଁ ହେଲି ଅନ୍ଧ ।

ମୁଁ କ’ଣ କହିବା ପୂର୍ବରୁ ବୃଦ୍ଧ ପୁଣି କହିଲା - ‘‘ବୋଧହୁଏ ଆଘାତ ପାଇଲ । କିନ୍ତୁ ତୁମେ ଜାଣ ନାହିଁ, ଏ ପ୍ରାଣ ମୋର କେତେ ଆଘାତ ସିହିଛି । ଏହି ଆଘାତରେ ହିଁ ଏ ଦୃଷ୍ଟିର ଶକ୍ତି କମିଯାଇଛି । ଏହି ଆଘାତ କିଏ ଦେଇଛି ଜାଣ ? ଏହି ଯେ ଦେବତା ଦେଖିବାକୁ ତୁମେ ଦେଇଛ ଜାଣ ? ଏଇ ଯେ ଦେବତା ଦେଖିବାକୁ ତୁମେ ଆସିଛ, ସେହି ଦେବତା ।’’

-‘‘କିପରି ?’’

- ‘‘ତାହା ଏକ ବିରାଟ ଇତିହାସ । ଆଜିର ଏହି ମରୁଭୂମି ଉପରେ ମୋ ପିଲାଦିନେ ପନ୍ଦନର ଛାୟା ପଡ଼ିଥିଲା । ସେତେବେଳେ ଗାଁର ମକଦ୍ଦମ ଏହି ମନ୍ଦିର ତୋଳିବାକୁ କଳ୍ପନାକଲେ । ଏହି ଯେ କୁଟୀରଖଣ୍ଡିକରେ ମୁଁ ବସିଛି, ଏହା ମୋର ପିତୃପିତାମହ - ଅର୍ଜିତ ଭୂମି । ଏହି ଭୂମି ଉପରେ ମନ୍ଦିର ତୋଳା ହେଲା…’’

ଏତିକି କହି ବୃଦ୍ଧ ଟିକିଏ ନୀରବ ରହିଲା । ତା’ ପରେ କ’ଣ ଚିନ୍ତା କରି କହିଲା - ‘‘ମୋ ବଂଶ କାରିଗରବଂଶ । ଭାଗ୍ୟଦୋଷରୁ ଗରିବ ହେଲୁ । ଏହି କୁଡ଼ିଆ ଜମି ଛାଡ଼ି ବାକି ସବୁ ମକଦମଙ୍କ ପାଖରେ ବନ୍ଧକ ପଡ଼ିଲା; ତାହା ଆଉ ହାତକୁ ଆସିଲା ନାହିଁ । ମକଦମ କହିଲେ, ‘‘ତାହାରି ଉପରେ ମନ୍ଦିର ତୋଳିବାକୁ ହେବ ।’’

‘‘ନିଜ ଘରେ ଦେବତା-ମନ୍ଦିର ଗଢ଼ାଯିବ, ଏ ସୌଭାଗ୍ୟ କାହାର ହୁଏ ? କିନ୍ତୁ ଆମ ପ୍ରାଣର ଏହି ଭୂମିଖଣ୍ଡକ ଉପରେ, ଆମ ଛାତି ଉପରେ ଯେତେବେଳେ ଏହି ମନ୍ଦିର ତୋଳାଯିବା ପ୍ରସ୍ତାବ ହେଲା, ଲୁହ ଢାଳି କେବଳ ତା’ରି ପ୍ରତିବାଦ କଲୁ । ଭାବିଲୁ, ଦେବତା ମନ୍ଦିରରେ ନାହାନ୍ତି, ତେଣୁ ଗୁହାରି ଶୁଣାଯାଉ ନାହିଁ . . .’’

ବୃଦ୍ଧ ପୁଣି ନୀରବ ରହି ଅତୀତକୁ ଆଖି ଫେରାଇଲା; ଫେରିଆସି ଇତିହାସ ଆରମ୍ଭ କଲା -‘‘ଜାତିରେ ମହାରଣା ମୂଁ । ମୋ ନାଁ ପ୍ରତାପ । ମଜୁରି ପାଇ ଆମରି ଜମିରେ ଆମେ ମନ୍ଦିର ତୋଳିବାକୁ ବାଧ୍ୟ ହେଲୁ । ଉଃ, କି ଯାତନା ! ମୋର ପାଞ୍ଚ ପୁଅ ତିନି ଝିଅ ଏହି ମନ୍ଦିରତଳେ ପ୍ରାଣ ହରାଇଛନ୍ତି । ଟିକିଏ ଆଲୋକ ପାଇଁ, ଟିକିଏ ପବନ ପାଇଁ ସେମାନେ କାନ୍ଦି କାନ୍ଦି ମରିଛନ୍ତି । ଇଟା ଆସିଲା, ଚୂନ ଆସିଲା, ଆମରି ଘରକୁ ଆବୃତ କରି ଏ ମନ୍ଦିର ମୁଣ୍ଡ ଟେକିଲା । ମନେପଡୁଛି. ଦିନଯାକ କାମ କରି ଆସି ରାତିରେ ଏହି କୁଡ଼ିଆରେ ପଡ଼ି ଡାକେ, ‘ପ୍ରଭୁ ହେ, ଦରିଦ୍ରର ଅପହୃତ ନିବାସ - ଭୂମିରେ ରହିବାକୁ କି ସୁଖ ପାଅ ?’ କହ ଦେଖି, ପ୍ରଭୁ କାହାନ୍ତି ? ମୁଁ ନିଜେ ଦେଉଳରେ ନିଜ ହାତରେ ଖଣ୍ଡିଏ ପଥର ବସାଇ ମୋ ବୁକୁରେ ଖଣ୍ଡିଏ ପଥର ଥକାଏ । ମୁଁ ସେତେବେଳେ କ’ଣ କରୁଥିଲି, ଜାଣିପାରୁ ନ ଥିଲି । ମୋତେ ମୁଁ ହତ୍ୟା କରୁଥିଲି ମୋର ସମାଧି ମୁଁ ଖୋଳୁଥିଲି ।’’

ପୁଣି ବୃଦ୍ଧ କହିଲା, ‘‘ମନ୍ଦିର ତୋଳା ସରିଲା, ମୋ ବଂଶର ସମାଧି-କାର୍ଯ୍ୟ ଶେଷ ହେଲା । ସେତେବେଳେ ଏହି ସଂକୀର୍ଣ୍ଣ କୁଟୀର ଭିତରେ ମୁଁ ଥାଏ ଏକାକୀ । ତା’ପରେ ଦେବତାଗଠନ ଚାଲିଲା । ଉଃ, ଚାହିଁ ଚାହିଁ ପାଞ୍ଚବର୍ଷ ଗଲା, ଦେବତାଙ୍କ ଗଳାରେ ମାଳି ଦେଇ, ଦେହରେ ଲୁଗା ତାଙ୍କୁ ପିନ୍ଧାଇ ଅଭୟବରଦ ବେଶରେ ଯେତେବେଳେ ନେତ୍ର ଖଞ୍ଜିଲି, ସେ କଥା ମନେ ଅଛି । ମୋ’ରି ଘରେ ଦେବତାଙ୍କ ଆସନ ହେଲା । ମନ୍ଦିର ପ୍ରତିଷ୍ଠା ହେଲା । ତା’ ପରେ ଆସିଲେ ଭକ୍ତ ! ବିପୁଳ କୋଳାହଳରେ ଏ ଉପକୂଳ ପୂରିଉଠଇଲା । ଫୁଲ, ଚନ୍ଦନ, ଧୂପଗନ୍ଧରେ ଜଗତ ସୁବାସିତ ହେଲା । ଡାକ ଶୁଭିଲା - ‘‘ପ୍ରଭୁ ହେ, ଅନାଥର ନାଥ, ଅଗତିର ଗତି, କରୁଣାସାଗର ହରି !’’

x                   x                  x                  x      

‘‘ଏ ସକଳ ପ୍ରର୍ଥନା ମୋ ପ୍ରାଣରେ ପ୍ରତିଧ୍ୱନିତ ହେଲା । ସେତେବେଳକୁ ମୁଁ ଅନ୍ଧ । ଭାବିଲି, ସାହାସାଥୀହୀନ ଅନ୍ଧକୁ ତାହାରି ହାତଗଢ଼ା ଦେବତା କି ରକ୍ଷା କରିବେ ନାହିଁ ? ଡାକିଲି, ଡାକିଲି - ଡାକିଲି ଅନ୍ଧ ମୁଁ, କେତେ ଡାକିଲି । ମୋ ଦେବତା କେଉଁ ଅଗତିର ଗତି ହୋଇଥିବେ କେଜାଣି; ମାତ୍ର ମୋର ଗତି, ମୁକ୍ତି କିଛି ହେଲା ନାହିଁ । ପ୍ରାଣରେ ଅଭିମାନ ଆସିଲା, ରାଗ ଆସିଲା, ପ୍ରତିହିଂସା ଆସିଲା । ଦିନେ ଅନ୍ଧାର ରାତିରେ ଦାରୁଣ ଅଭିଶାପରେ ହୃଦୟ ପୂର୍ଣ୍ଣ କରି ମନ୍ଦିର ଭିତରେ ପଶି ଦେବତାକୁ ଟାଣିଆଣିଲି । ଆଜି ସେ ମୋ କୁଟୀରରେ ବନ୍ଦୀ !

x                   x                  x                  x      

ତା’ ପରେ ଭକ୍ତ ଆସିଲେ । ଦେବତା ଅନ୍ତର୍ଦ୍ଧାନ ହୋଇଛନ୍ତି ବୋଲି ସ୍ଥିର କଲେ । ସେତେବେଳେ ମୁଁ ବିକଟ ଭାବରେ ହସିଉଠିଲି । ସେ ହାସ୍ୟର ଝଙ୍କାର ଏବେ ମଧ୍ୟ ମୋ ପ୍ରାଣରେ ଅଛି । ମୋ ଦେବତାକୁ କିଏ ଦେଖିବାକୁ ଆସିଲାବେଳେ ମୁଁ ସେହିପରି ହସି ଉଠେ । ଏବେ ସେ ମକଦମ ନାହାନ୍ତି । ଗାଁ ଏବେ ଉଠି ଏଇ ଖଣ୍ଡେ ଦୂରରେ - ଚିଲିକା ତା’ର ସର୍ବଗ୍ରାସୀ ଜଳପ୍ଲାବନରେ ଏ ସ୍ଥାନକୁ ବର୍ଷ-ବର୍ଷ ଧ୍ୱଂସ କରିବାରେ ଲାଗିଛି । ମନ୍ଦିର ଆଜି ପାଷାଣ-ସ୍ତୂପ, ଦେବତା ଆଜି ବନ୍ଦୀ, ଏ ଅନ୍ଧ ଆଜି ଆଉ ଏକ ଯାତ୍ରା ପ୍ରସ୍ତୁତ ।’’ ଏତିକି କହି ବୃଦ୍ଧ ନୀରବ ହେଲା ।

x                   x                  x                  x      

ଥରେ ସେ ଜୀର୍ଣ୍ଣ ମନ୍ଦିର, ଥରେ ସେହି ଜରାଜୀର୍ଣ୍ଣ ବୃଦ୍ଧକୁ ଚାହିଁ ମସ୍ତକ ଅବନତ କଲି । ସେ ଦିନ ବିଦାୟ ନେଇ ଆସିଲାପରେ କେତେ ଥର ସେଠଶକୁ ଯାଇଛ; ମାତ୍ର ସେ ପାଷାଣ ମନ୍ଦିର ପାଖରେ ଦେବତାଙ୍କ ଦେବତା ସେହି ବୃଦ୍ଧକୁ ଦର୍ଶନ କରି ଆସିଛି, ତା ପ୍ରାଣ - କାବ୍ୟକୁ ପଢ଼ିଆସିଛି।

 

ଜାତିର ଧକ୍‌କା

(୧)

 

ଦିନ ନାହିଁ, ରାତି ନାହିଁ, କାମ ଚାଲିଛି । ଧରଣୀର ମାଟି ଗୋଡ଼ି ପଥର ସଙ୍ଗେ ଧରଣୀବାସୀ କେତେଗୁଡ଼ିମାନବ ସେଠି ସମାନ ହୋଇ ମିଶି ରହିଛନ୍ତି ! ସେମାନଙ୍କର ଜାତି-ମହତ୍ତ୍ୱ ନାହିଁ, ମାନ-ଗୌରବ ନାହିଁ, କୁଲିତ୍ୱର ମହିବା ବା ଅଭିଶାପରେ ଓଡ଼ିଆ, ତେଲଙ୍ଗା, ହିନ୍ଦୁ, ମୁସଲମାନ ସମସ୍ତେ ସେଠାରେ ସମାନ ।

ଅନବରତ କାର୍ଯ୍ୟ ଚାଲିଛି । ପର୍ବତ ତାଡ଼ି ପଥର ଫଟାଯାଉଛି, ହାତୁଡ଼ି ଧରି ପଥର ଗୁଣ୍ଡକରାଯାଉଛି; ଆଉ ବୁଭୁକ୍ଷୁ ମାନବ ସେଗୁଡ଼ାକ ବୁଭୁକ୍ଷୁଭାବରେ ବୋହିନେଇ ଠାଏ ଠାଏ ଜମାକରୁଛି । ସେହିଠାରେ ରସୁଲକୋଣ୍ଡାର ବିରାଟ ଘାଇ ବନ୍ଧାଯାଉଛି !

ଏ ପାଖେ ପର୍ବତ, ସେ ପାଖେ ପର୍ବତ - ଏ ମଧ୍ୟରେ ମାଟି ପଥର ଓ ମାନବର ଲୀଳା ଅନେକ ଦିନ ହେଲା ଚାଲିଛି । ମଣିଷ ତାଳୁରୁ ବାଳ ଉପୁଡ଼ିଯାଉଛି, ଆଖିର ତେଜ କମିଆସୁଛି, ପାଦର ଭତି ଶିଥିଳ ହୋଇପଡ଼ୁଛି; ତଥାପି ସେହି ମାନବ-କୁଲି ମାଟି, ଗୋଡ଼ି ପଥର ବୋହିବାରୁ ବିରତ ହେୁଉନାହାନ୍ତି !

ଏହି କୁଲିପ୍ରାଣରେ ପୁଣି ହସ ! ତାହା ବଡ଼ ବିଚିତ୍ର ଧରଣର ହସ । କିଏ ମାଟି ବୋହିଲା, କିଏ କେତେ ପଇସା ପାଇଲା ଏଥିରେହିଁ ସେମାନଙ୍କର ସାନବଡ଼ର ମହିମା । ସେଠି ଯେବେ କିଏ ବଡ଼ ଜାତିର ଲୋକ ଛୋଟ ଜାତିର ଲୋକକୁ ଜାତିକଥା ପଚାରେ, ଉତ୍ତର ପାଏ -‘‘ମୁଁ କୁଲି, କୁଲିଗିରି କରି ମୁଁ ପଇସା ପାଏ । ଗଙ୍ଗା ନାଇଡୁ, ରାମ ଦାସ, ମଧୁ ରାଉଳ, ରଘୁ ମିଶ୍ର ସମସ୍ତଙ୍କ ସାଙ୍ଗର ମୁଁ ଜଣେ ।’’

ରସୁଲକୋଣ୍ଡାର ଘାଇ ଏହିପରି ସାମ୍ୟଶିକ୍ଷା ଦେଇ ଅନେକ ଦିନ ଅନେକ ମାନବପ୍ରାଣୀଙ୍କୁ ବଞ୍ଚାଇ ରଖିଥିବା କଥା ଏବେ ମଧ୍ୟ ସେ ଅଞ୍ଚଳର ବନବାସୀ କନ୍ଧଙ୍କଠାରୁ ପ୍ରାସାଦବାସୀ ଭଦ୍ରଲୋକଙ୍କ ପର୍ଯ୍ୟନ୍ତ ଅନେକଙ୍କ ମୁହଁରୁ ନିରାଟ ସତ୍ୟରୂପେ ଶୁଣାଯାଏ ।

 

(୨)

 

ସେ ଦିନ ଏବେ ଅର୍ଦ୍ଧଶତାବ୍ଦୀରୁ ବଳିଗଲାଣି । ସେଠାରେ ମାଟିଗୋଡ଼ି ବର୍ତ୍ତମାନ ସୁନା ପାଲଟି ମାନବର ଅକଳନ୍ତି ରତ୍ନ ଭଣ୍ଡାରରେ ପରିଣତ ହୋଇଗଲାଣି । ସେଠାରେ ପାଣି ବର୍ତ୍ତମାନ ଭଞ୍ଜଭୂମି ଗଞ୍ଜାମରେ ଅମୃତଧାରାରୂପେ ଗ୍ରାମ ବିଲ ପ୍ରାନ୍ତରରେ ସୁନାର ଫୁଲ ଫୁଟାଇ ଦେଲାଣି । ଆଉ ସେ ଯୁଗର କଥା, ସେହି କୁଲି ଧର୍ମର ସାମ୍ୟପୀଠ କଥା କିଏ ମନେ ପକାଉଛି ? ସେହି ଯୁଗର ଏକ ମାତୃତ୍ୱର କ୍ଷୁଦ୍ର କାହାଣୀ ଏହିଠାରେ ଏତେ ଦିନପରେ କୁହାଯାଇଛି ।

ଦିନେ ସେଠାରେ ସନ୍ଧ୍ୟା ହେଲା । ଦୂର ମଫସଲ ଭିତରେ ଯେପରି ସନ୍ଧ୍ୟାର ହେଲା । ଦୂର ମଫସଲ ଭିତରେ ଯେପରି ହେଳାନାହିଁ । କ୍ରମେ ତରୁଲତାମୂଳ ଅନ୍ଧାର, ତା’ପରେ ଗିରିଗହା ଅନ୍ଧାର, ତା’ପରେ ପର୍ବତର ଶିଖରଦେଶ ନିଷ୍ପ୍ରଭ, ଶେଷରେ ନଭଶ୍ଚଭୀ ପାହାଡ଼ଟା କେଉଁଆଡ଼େ ଅଦୃଶ୍ୟ ! ଚାହୁଁ ଚାହୁଁ ନିବିଡ଼ ଅନ୍ଧକାର ଭିତରେ ବିଶାଳ ଧରଣୀ ବୁଡ଼ିଗଲା । ଖାଲି ଶୁଭିଲା ବନ୍ୟ ପଶୁର ବିକଟ ଚିତ୍କାର; ଆଉ, ପବନର ସନସନ ଶବ୍ଦ ।

ସେହି ଭିତରେ କିନ୍ତୁ ଧରଣୀବାସୀ ସେହି ଶ୍ରାନ୍ତ କ୍ଲାନ୍ତ କୁଲିଗୁଡ଼ାକ ଆନନ୍ଦରେ ଅଧୀର ହୋଇ ମାତି ଉଠିଲେ !’’

କିଏ କହିଲା -‘‘ବୋଲ ଭାଇ, ଆଲ୍ଲା ହୋ ଆକବର !’’

କାହାର ଗମ୍ଭୀର ସ୍ୱର ଚମକ ଦେଇ ଉଠିଲା - ‘‘ବଂ ବଂ ଶିବ - ଭୋଳାନାଥ....’’- ଏହିପରି କେତେ ପ୍ରକାରେ ମହାମହିମଙ୍କ ମହିମା ସଙ୍ଗୀତ ଶୁଣାଗଲା ! ରସୁଲକୋଣ୍ଡାର ନିର୍ଜୀବ ଗୋଡ଼ି, ମାଟି, ପଥର ଭିତରୁ ପ୍ରତିଧ୍ୱନି ଉଠି ବେଳେବେଳେ ଶାନ୍ତ ନୈଶ ଗଗନକୁ ଚମକାଇ ଦେଇ ନୂତନ ବିଶ୍ୱ ସୃଷ୍ଟିକଲା ।

ସେହି ସନ୍ଧ୍ୟାରେ ଘାଇରେ କାମ କରୁଥିବା କୁଲିମାନଙ୍କର ଏକ ବଣଭୋଜି । ହିନ୍ଦୁ, ମୁସଲମାନ, ଓଡ଼ିଆ, ତେଲଙ୍ଗା, ବ୍ରାହ୍ମଣ, ଚଣ୍ଡାଳ ସମସ୍ତଙ୍କର ଉତ୍ସବ । ସମସ୍ତେ କୁଲି; ସମସ୍ତେ ବୁଝିଥିଲେ ସେଠି ସମସ୍ତେ ସମାନ । ଗାଣ୍ଡୁଆଏ ମାଟି ମୁଣ୍ଡକୁ ଟଷକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁହୋଇଯାଏ -ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା । ତେଣୁ ସମସ୍ତେ ସସସ୍ତଙ୍କୁ ଜାଣିଥିଲେ - ସମସ୍ତେ ସମସ୍ତଙ୍କୁ କୁଲି ବୋଲି ପରିଚୟ ଦେଉଥିଲେ

ସେହି ଭୋଜିରେ ସାମ୍ୟ-ଧର୍ମ ପାଳିତ ହେଲା ।

 

(୩)

 

ପାତ୍ରପଡ଼ା ଗୋଟିଏ କ୍ଷୁଦ୍ର ପଲ୍ଲୀ । ଘାଇର ହୁଡ଼ା ଉପରେ ଠିଆହେଲେ ପାହାଡ଼ତଳେ ଛୋଟ ଛୋଟ ଯେଉଁ କେତୋଟି ଚାଳଘର ଦେଖାଟାଏ ସେଠା ପାକଲୋକେ ସେହି ସ୍ଥାନଟିକୁ ପାତ୍ରପଡ଼ା କହନ୍ତି ।

ଘାଇପାଖେ ତ କୁଲି-ଭୋଜି ସରିଲା; ତା’ ପରେ ଗାଁ ଭିତରେ ଏକ କୁଡ଼ିଆ ପାଖେ ଏକ ବିଷମ ସମସ୍ୟା ପହଞ୍ଚିଲା । ଭୋଜି ଖାଇସାରି ଚଉଦବର୍ଷର ଭେଣ୍ଡିଆ ନାରସେନା ଯେତେବେଳେ ଯାଇ ପାତ୍ରପଡ଼ା ଗାଁର ଗୋଟିଏ କୁଡ଼ିଆ ପାଖେ ପହଞ୍ଚିଲା ରାତିଅଧରେ, ଜଗୁଆଳ କୁକୁର ଗର୍ଜିଉଠିଲା ପରି ଘର ଭିତରୁ ଗର୍ଜନ ଶୁଭିଲା - ‘‘ଦୂର୍‌ହୁଅ ଅଜାତିଆ, ଦୂର୍‌ହୁଅ । ଯା, ପୁରୀ ଯା, ଗୋବରପାଣି ପି, ତେବେ ଯାଇ ଜାତି ପାଇବୁ । ବାର ଜାତି, ତେର ଗୋଲା, ପଠାଣ, କିରସ୍ତାନ ସାଙ୍ଗରେ ଖାଇ ଏ ଘରେ ପୁଣି ପାଦ ପକାଇବାକୁ ଆସିଛୁ ?’’

ନାରସେନାର ପଥର-ବୁହା ମୁଣ୍ଡ ଭିତରେ ଏ କଥାଗୁଡ଼ାକ ସହଜରେ ପ୍ରବେଶ କଲା ନାହିଁ । ସେ ସତରେ ଆପଣା ଘରକୁ ଆସିଛି କି ଆଉ କେଉଁଠିକି ଆସିଛି; କିଛି ସମୟ ଠିଆହୋଇ ଆଗ ଭାବିଲା । ଯେତେବେଳେ ସେ ଆପଣା ଦୁଆରମୁହଁର ଲେମ୍ବୁଗଛ, ପଥର ପାହାଚ ସବୁ ଚିହ୍ନିପାରିଲା, ଧୀରେ ଧୀରେ ପାଦଚାଳି ପିଣ୍ଡାରେ ଯାଇ ବସିଲା ।

ସଙ୍ଗେ ସଙ୍ଗେ ଗାଳି ପରେ ଗାଳି ବର୍ଷଣ ହେଲା । ନାରସେନା ଗତ ଦେଢ଼ବର୍ଷ ହେଲା ଦେହକୁ ପଥର କରି କେତେ ପଥର ବୋହିଛି, ପଥରଠାରୁ କେତେ ଧୈର୍ଯ୍ୟ ଶିକ୍ଷା କରିଛି; ମାତ୍ର ସେତେବେଳର ଗାଳି ତାକୁ ବଡ଼ ବାଧିଲା । ତା’ ମୁଣ୍ଡରେ କେତେ ଚିନ୍ତା ଖେଳିଲା । ଘର ଭିତରକୁ ପାଦ ପକାଇବାକୁ ମନା । ସନ୍ଧ୍ୟାବେଳେ ଥିଲା ଅଧିକାର, ,ଇ କେତେ ଘଣ୍ଟା ଭିତରେ ସେ ଅଧିକାର ଗଲା । କୁଆଡ଼େ ? ବଣଭୋଜି କି ସମସ୍ତଙ୍କ ଆଖିରେ ଏପରି ଲୁହ ଆଣି ସମସ୍ତଙ୍କୁ ଏପରି ଅଜାତିଆ କରିଦେଲା !

ଓହୋ . . . ନାରସେନାର ବୁକୁ ଫାଟିଗଲା ପରି ଲାଗିଲା । ଅନ୍ଧାର ଭିତରେ ସେ ଜଣକର ଛବି ଦେଖିଲା ଡାକିଲା -‘‘ମାଆ !’’

ପରମୁହୂର୍ତ୍ତରେ ପିଣ୍ଡାର ସେ ପାଖର କାହା ହୃଦୟ ଭିତରେ ଗୁରୁ ଶ୍ୱାସକ୍ରିୟାର ଶବ୍ଦ ଜଣାଗଲା ।

ପୁଣି ଏ ପଚାରିଲା - ‘‘ଯିବି ଭା’ରି ? ଏ ଘର କ’ଣ ମୋର ଆଉ ନୁହେଁ ?’’

ଉତ୍ତର ପାଇଲା - ‘‘ନା, ଅଜାତିଆର ଏ ଘର ନୁହେଁ । ଯା, ଜାତି ହେଲେ ଆସିବ ।’’

ନାରସେନାର ତରୁଣ ହୃଦୟ କେବଳ ଦୁଃଖ, ଅଭିମାନ, କ୍ରୋଧରେ କୁହୁଳିଉଠିଲା । ଅନ୍ଧାର ଭିତରେ ସେ କେତେ କ’ଣ ଭାବିଗଲା । ରାତି ତିନି ପହର - ଏ ଗଭୀର ଅନ୍ଧାର ଭିତରେ ତା’ ଉପରେ କାହାର ଏ ଅଭିଶାପ ପଡ଼ିଲା!

ଶୂନ୍ୟ ଅନ୍ଧାର, ଶୂନ୍ୟ ଧରଣୀ - ଏ ଭିତରେ ଶୂନ୍ୟ ହୃଦୟଟା ଧରି ନାରସେନା ଧୀରେ ଧୀରେ ପାଦ ଉଠାଇଲା।

 

(୪)

 

ରୁକ୍ଷ ଗିରି-ପାହାଡ଼ ଉପରେ ଜୀବନ-ଆଲୋକ ବିୟ୍ଚିଲା ପରି ପ୍ରଭାତୀ ତାରା ଯେତେବେଳେ ଦିଗ୍‌ବଳୟର ଅଳ୍ପ ଦୂରରେ ହସିଉଠି ଘାଇର ପାଣି ଭିତରେ ପ୍ରତିବିମ୍ବିତ ହେଲା, ସେତିକିବେଳେ ସେହି ଘାଇ ଉପରେ ଜଣେ କିଏ ବର୍ଷୀୟସୀ ନାରୀ ତା’ର ପ୍ରାଣର ନନ୍ଦନକୁ ପ୍ରାଣରେ ପ୍ରତିବିମ୍ବିତ କରିାବକୁ ଚେଷ୍ଟାକରି କପୋଳ- ଦେଶରେ ଘନଘନ ଚୁମ୍ବନ ଦେଇ କହିଲା-‘‘ବାବୁ ରେ, ଧନ ମୋର . . . କୁଆଡ଼େ ଯିବୁ . . . ?’’

ପଥରୁଦ୍ଧ ଝରଣାର ଜଳ ହଠାତ୍‌ପଥ ପାଇ ଉଛୁଲି ଉଠିଲା ପରି ତାହାରି କୋଳରେ କାହାର କଣ୍ଠର ସ୍ୱର ଶୁଣାଗଲା -‘‘ମାଆ . . . ?’’

ପୁଅ ରାତିରେ ଘର ଛାଡ଼ି ଆସିଲା ପରେ ମାଆ ଯେ କି ଉଦ୍‌ବେଗରେ ବଣକୁଦା ଭିତରେ ଡାକି ହାକି ବୁଲୁଛି, ସେ କଥା କେବଳ ସେହି ମାତୃହୃଦୟ ବୁଝିବ । ଶେଷକୁ ପୁଅକୁ ବନ୍ଧ ଉପରେ ନିଦ୍ରିତାବସ୍ଥାରେ ପାଇ ଜାକିପକାଇ କହିଲା - ‘‘ବାବୁ ମୋର, ଯାଉଛୁ କୁଆଡ଼େ ତୁ ?’’

ନାରସେନାର ଚେତା ହେଲା । ଘରୁ ଆସି ସେ ଗଛ ପଥର ପାଣି ପବନ ସମସ୍ତଙ୍କ ଆଗେ ଦୁଃଖ ଜଣାଇଥିଲା, ସମସ୍ତଙ୍କୁ ଉତ୍ତର ପାଇଁ ଡାକିଥିଲା; ମାତ୍ର ମାଆକୁ କିଛି କହିପରି ନ ଥିଲା । ବାଟକଡ଼ର ତା’ର ବିରପରିଚିତ ସିନ୍ଦୂରବୋଳା ପଥର ଠାକୁରାଣୀଙ୍କୁ କୂଣ୍ଢାଇ ଡ଼ାକିଥିଲା - ‘‘କହ ମା’ . . . ମୋର କି ଜାତି ଗଲା ?’’

ପଥର ଉତ୍ତର ଦେଇ ନ ଥିଲା ।

ଶେଷରେ ସତରେ ତା’ର ମାଆ ଆସି ଯେତେବେଳେ ତାକୁ ଛୁଇଁଲା, ସେ କହିଲା - ‘‘ମୁଁ ଅଜାତିଆ, ମାଆ, ମୋତେ ଛୁଇଁଲେ ଜାତି ଯିବ !’’

ମାଆ କହିଲା - ‘‘ମୋର ଜାତି ଯିବ ? ମୁଁ ପରା ତୋର ମାଆ . . . .!’’

‘‘ମା’! ମୁଁ ଯିବି ଦୂରକୁ । ମୋର ଘରେ ଆଉ ଥାନ ନାହିଁ ।’’

-‘‘ଦୂରକୁ ?’’

-‘‘ହଁ, ଦୂରକୁ । ଜାତି ନାଇଁ ମୋର । ଏଠି ମୋତେ କିଏ ‘ଜାତି’ ପଚାରିଲେ କ’ଣ କହିବି?’’

ମାଆ ପୁଅକୁ ଆହୁରି କୋଳକୁ ଟାଣିଆଣି କହିଲା - ‘‘କହିବୁ ମୋର ପୁଅ ବୋଲି !’’

‘‘ଅଜାତିଆ ତୋର ପୁଅ ହେବ. . . ’’ ଏତିକି କହି ପୁଅ ବ୍ୟାକୁଳ ସତୃଷ୍ଣଭାବରେ ମାଆର ସେହି ସ୍ନେହ-ଲାବଣ୍ୟମୟ ମୁଖମଣ୍ତଳକୁ ଚାହିଁରହିଲା ।

ସେଥିରୁ ଯେଉଁ ଅମୃତ ଝରୁଥିଲା, ମୁହୂର୍ତ୍ତକେ ତା’ ହୃଦୟଟା ସେଥିରେ ଉଲ୍ଲସି ଉଠିଲା; ମାଆ ଆଉ ଉତ୍ତର ଦେଇ ପାରିଲାନାହିଁ । ଅଜସ୍ର ଧାରାରେ ତା’ର ଦୁଇ ଆଖିରୁ ଲୁହ-ଝରଣା ଫିଟିଗଲା । ରସୁଲକୋଣ୍ତାର ସେହି ଘାଇଠାରୁ କେଡ଼େ ଗଭୀର ସେ ଝରଣା ! ଖାଲି ଲୁହ - ଖାଲି ଲୁହ - ଓହୋ . . . ସେ ହୃଦୟଟା ଫାଟିଗଲା ପରା !

ପୁଅ କହିଲା - ‘‘ମା, ଯାଉଚି ଦୂରକୁ ।’’
-‘‘ଚାଲ ଧନ, ମୁଁ ଯିବି . . . .’’

ଦିହେଁ ଚାଲିଲେ - ଚାଲିଲେ . . . ଚାଲିଲେ . . . .

ରାତି ପାହିଲା । ମାଟି ବୁହା ହେଲା; ମାତ୍ର ନାରସେନା ଆଉ ତା’ର ମାଆର ଇତିହାସ ସେଦିନ ସେହିଠାରେ ସେତିକିରେ ରହିଲା ।

x                   x                  x                  x      

ଏହି ଘଟଣାର ବହୁବର୍ଷ ପରେ - ୧୯୩୪ ମସିହା ଜୁଲାଇ ମାସ ୧୦ ତାରିଖ ସନ୍ଧ୍ୟାବେଳେ ଛତ୍ରପୁର ସହରର ଏକ ଗଳି ଭିତରେ ହଠାତ୍‌କଥା ପ୍ରକାଶ ପାଇଲା ଯେ, ରସୁଲକୋଣ୍ତା ଘାଇ-ଯୁଗର ନାରସେନା ନାଇଡୁ ପୀର୍‌ମହମ୍ମଦ ନାମରେ ଏ ପର୍ଯ୍ୟନ୍ତ ମୁଣ୍ତ ଟେକି ସଂସାରରେ ରହିଛି । ସେ ଆଉ ଘରକୁ ଫେରିନାହିଁ, ପୁରୀ ଯାଇନାହିଁ, ଗୋବରପାଣି ପିଇ ନାହିଁ । ଜାତିର ଧକ୍‌କା ତାକୁ ବହୁ ଦୂରକୁ ଠେଲିଦେଇଛି ।

 

ମୁହୂର୍ତ୍ତକର ଦେଖା

(୧)

 

ଥରେ ମାତ୍ର ଦେଖା; ତା’ ପୁଣି ମୁହୂର୍ତ୍ତକ ପାଇଁ !

ସେ ଦିନ ବଡ଼ ଖରା । ଆକାଶରୁ ନିଆଁ ବର୍ଷା ହେଉଥିଲା । ରସମୟୀ ପୃଥିବୀ ତା’ର ଶୁଷ୍କ ବୁକୁ ଦେଖାଇ ତତଲା ପବନ ଭିତରେ କେବଳ ହାହାକାର କରୁଥିଲା । ସେହି ନିର୍ଜନ ମୁହୂର୍ତ୍ତରେ କେବଳ ମୁହୂର୍ତ୍ତକ ପାଇଁ ତା’ ସହିତ ମୋର ଦେଖାହୋଇଥିଲା ।

ଏ ଜନ୍ମରେ କିଏ କାହାର ପରିଚିତ ନ ଥିଲୁଁ । ସେ ଥିଲା କେଉଁ ଦୂର ମଫସଲର; ମୁଁ ସହର ଭିତରର ଜୀବ । ସେ ଚାଲିଥିଲା ପାଦରେ; ମୁଁ ଥିଲି ମୋର କ୍ଷୁଦ୍ର ଯାନଦେହରେ । ଏତିକିବେଳେ ତା’ ସହିତ ମୋର ଦେଖା; ତା’ ପୁଣି ମୁହୂର୍ତ୍ତକ ପାଇଁ !

 

(୨)

 

ବ୍ରହ୍ମପୁରଠାରୁ ବଡ଼ଖେମୁଣ୍ତି ରାସ୍ତାରେ ଗଲାବେଳେ ବାମ ଦିଗରେ ଯେଉଁ ଘନ-ତରଙ୍ଗିତ ରୁକ୍ଷ-ଗିରିଶ୍ରେଣୀ ଦେଖାଯାଏ, ତାହାରି ପାଦଦେଶରେ କୌଣସି ଏକ ଅଖ୍ୟାତ କ୍ଷୁଦ୍ର ପଲ୍ଲୀରେ ମୋର ଏ କ୍ଷଣ-ପରିଚିତ ବନ୍ଧୁଙ୍କ ଘର । କଠୋର ଗିରିଶ୍ରେଣୀ କେତେ ଯୁଗରୁ ଯେ ସେପାଖେ ମୁଣ୍ଡଟେକି ଠିଆହୋଇଛନ୍ତି, ସେ କଥା ମାନବର ଇତିହାସ ଏପର୍ଯ୍ୟନ୍ତ କହିପାରି ନାହିଁ । ନିତାନ୍ତ ରୁକ୍ଷ ଗିରିମାଳା । -ସେଥି ଉପରେ ଗଛପତ୍ର ସୁଦ୍ଧା ଉଠିବାକୁ ବର୍ଷରେ ଛଅ ମାସ ସାହସ କରି ପାରନ୍ତିନାହିଁ । ସେହି ସ୍ଥାନକୁ ଆଶ୍ରା କରି ମନୁଷ୍ୟ ସେଠି ଘର ତୋଳିଲା ! ତାକୁ ପୁଣି ଚାହିଁ ମନୁଷ୍ୟ ସେଠି ବଞ୍ଚିଲା ! କୋମଳ ପ୍ରାଣ ମନୁଷ୍ୟକୁ ଏହି ଗିରିଗୁଡ଼ାକ ନିଷ୍ଠୁର ହେବାକୁ ଆଦର୍ଶ ଦେଖାଇନାହାନ୍ତି ବୋଲି କିଏ କହିବ ?

 

(୩)

 

ମୁହୂର୍ତ୍ତକର ବନ୍ଧୁ ମୋର ! ହାଡ଼ଦେହରେ କେବଳ ଚର୍ମ ଆବରଣଟିଏ ରଖି ସେ ଆସି ଠିଆହେଲା । ବଡ଼ଘରର ବଡ଼ଲୋକର ଛାଞ୍ଚ ତା’ ମୁହଁଗଠନରେ ଦିଶିଯାଉଥିଲା । ତା’ର ଚାହାଣି ଭିତରେ କୌଣସି ବିସ୍ମୃତ ସୌଭାଗ୍ୟର ବେଳାଭୂମିର କ୍ଷୀଣ ଫେନରେଖା ମୁଁ ଦେଖିପାରିଲି । ତା’ର ଭିକାରିର ବେଶତଳେ ମାନବିକତାର ଯାଦୁସ୍ପର୍ଶ ମୋତେ ମୁହୂର୍ତ୍ତକ ପାଇଁ ଚମକାଇ ଦେଲା । ସେ ମୋ ଆଡ଼କୁ ହାଦ ବଢ଼ାଇ କହିଲା - ‘‘ବାବୁ !’’

କ’ଣ କହିବି ଭାବୁଚି, ପୁଣି ତା’ର ମର୍ମତଳର କରୁଣସ୍ୱର ଶୁଣିଲି - ‘‘କିଛି ଦେଇପାରିବ ବାବୁ ?’’

 

(୪)

 

ଦୁଇ ପ୍ରକାରର ହାତ ପୂରାଇଲି । ସେ ଭିତରେ କିଛି ନ ଥିଲା । ତୁଚ୍ଛା ହାତଟା ପକେଟରୁ କାଢ଼ି ତା’ର ହାତଟଶକୁ ଧରିପକାଇ କହିଲି - ‘‘ଭାଇ, କିଛି ନାହିଁ !’’

ତା’ର ଶୁଖିଲା ଅଧରତଳେ କୁଆଡ଼ୁ ହସ ଟିକିଏ ନିଗିଡ଼ି ପଡ଼ିଲା । ପରିଚିତ ବନ୍ଧୁପରି ମୋ ମୁହଁକୁ ସେ ଚାହିଁଦେଇ କହିଲା - ‘‘କିଛି ନାହିଁ ତ ନ ଥାଉ । ଯାହା ଦେଲ, ମୋତେ, ଲକ୍ଷେ ଟଙ୍କା ।’’

ଆଉ କାହାକୁ ସେ ମାଗି ନାହିଁ । ଯାନ ଛାଡ଼ିଦେଲି ।

 

(୫)

 

ଦୁଇ ପାଖରେ ଗିରି ଉପରେ ଗିରି । ରାସ୍ତାରେ ନିର୍ମମ ପଥରଗୁଣ୍ଡି ଉପରେ ଯାନଟା କେବଳ ପଡ଼ିଲା, ଉଠିଲା । ମୋର ମନ ଥରିଲା, ମୋର ଦେହ ଥରିଲା । କେତେବେଳେ ହୃଦୟ ଭିତରେ ଅବସାଦ ଆସିଲା, ବୁଝିପାରିଲି ନାହିଁ । ହଠାତ୍‌ଚମକ ଭାଜିଲା । ହାତ ମୁଠାଟା ଆଖି ପାଖକୁ ଆଣି ଦେଖିଲି - ମୋ’ରି ହାତ; ମାତ୍ର ତାହା ଉପରେ କାହାର ଗ୍ରନ୍ଥିଳ ସ୍ପର୍ଶ ମୋ ମନକୁ କ୍ଷଣକୁ କ୍ଷଣ ଚମକାଇଲା । ଦୂର ଗିରିଗହଳ ତଳେ ସେହି ଅସ୍ଥି-ଚର୍ମସାର ଠିଆହେଉଛି । ଶୁଣିଲି, ସେହି କ୍ଷଣକର ବନ୍ଧୁ କେବଳ ମୋ’ରି ଆଡ଼କୁ ହାତ ବଢ଼ାଇ କହୁଛି -‘‘କିଛି ଦେବ ?’’ ସେ ପୁଣି କହୁଚି -‘‘ଯାହା ଦେଲ, ଲକ୍ଷେ ଟଙ୍କା !’’

 

(୬)

 

ଆଖି ଫିଟାଇ ତାକୁ ଦେଖିଲି, ଆଖି ମୁଦ ତାକୁ ଦେଖିଲି । ତାକୁ ପାହାଡ଼ତଳେ, ଦେଖିଲି ତାକୁ ହୃଦୟତଳେ। ଦେଖିଲି ଦୂର ମଫସଲ ଗାଁରେ ସେ ବସିଛି । ସୁନ୍ଦର କୁଟୀର ଖଣ୍ଡିଏ, ତାହାରି ଭିତରେ ଶିଶୁକଣ୍ଠରୁ କଳରୋଳ ଉଛୁଳି ପଡ଼ୁଛି । ସେହି ଦୁଆରେ ପଞ୍ଜୁରି ଭିତରେ ବଣର ପକ୍ଷୀ ଶୁଆ ମନୁଷ୍ୟର ଦେବତା ‘କୃଷ୍ଣ’ ନାମ ଗାଉଛି । ଦେଖିଲି, ବନ୍ଧୁ ମୋର ଘରେ ବସିଛି. ତା’ ବିଲରେ ସୁନା ଫଳୁଛି । ଗୁହାଳରେ ଗୋମାତାର ସ୍ତନ-ତଳୁ ରସଧାର ସ୍ରବି ବସୁମାତାକୁ ସିକ୍ତ କରିଦେଉଛି । ପାହାଡ଼ର ରୁକ୍ଷ-ତରୁତଳେ ଗଉଡ଼ ପିଲାର ବଂଶୀ ବାଜିଲେ ବନ୍ଧୁ ମୋର ନିତ୍ୟକର୍ମ ଶେଷ କରୁଛି ତା’ର ସୁଖର ସମୁଦ୍ର ତାକୁ କେନ୍ଦ୍ର କରି ଚତୁର୍ଦ୍ଦିଗରେ କଳରୋଳ ସୃଷ୍ଟି କରୁଛି । ସେ ହସୁଛି, ସେ ଖେଳୁଛି; ପଲ୍ଲୀ-ସଂସାରକୁ ହୁଏତ ସେ ହସାଉଛି ।

ତା’ପରେ ଦେଖିଲି - ସେହି ମୋର ବନ୍ଧୁ, ସେହି କ୍ଷଣକର ବନ୍ଧୁ ମୋର ମହାଜନ ଦୁଆରେ ଯାଇ ଠିଆ । ସେ ଟଙ୍କା ଧରି ଆସୁଛି, ଟଙ୍କା ଶୁଝିବାକୁ ଯାଉଛି, ତା’ କାଖରେ ଛତା , ହାତରେ ଦଲିଲ ଦସ୍ତାବିଜ । ସେ ଚାଲିଛି କଚିରିକି ।

ଦେଖିଲି, ବନ୍ଧୁ ମୋର ଫେରୁଛି ତା’ ପ୍ରିୟ କୁଟୀର ଭିତରକୁ । ପ୍ରିୟ କୁଟୀରଖଣ୍ଡିକ ତା’ର ହୋଇ ଆଉ ନାହିଁ । ମହାଜନର ପତାକା ତା’ ଚାଳ ଉପରେ ଉଡୁଛି । ବିଲର ଧାନ କରଜା ବାବଦକୁ ବିଲରୁ ଶୁଝାଯାଇଛି । ଘରର ମାଲିକ ଏବେ ଘରର ରଇତ ହୋଇଛି !

ପୁଣି ଦେଖିଲି - ବନ୍ଧୁ ମୋର ଚାଲିଛି ଟଙ୍କା ଅରଜି । କାହିଁ ରାଙ୍ଗୁନ, କାହିଁ କଲିକତା; ସବୁଠୁଁ ଫେରିଛି ସେ । ତା’ର ଦୃଷ୍ଟିଆଗେ ଚାରିଟି ପିଲା, ଆଉ ଜୀବନର ସଙ୍ଗିନୀ !

ଦେଖିଲି, ତା’ର ଲୁଗା ଥିଲା, ଲୁଗା ମଇଳା ହେଲା । ମଇଳା ଲୁଗା ଖଣ୍ଡ ଖଣ୍ଡ ହୋଇ ଛିଡ଼ିଗଲା । ଛିଣ୍ଡା ଲୁଗା ଗଇଁଠା ହେଲା । ମୁହଁରେ କେବଳ ଦାନ୍ତଗୁଡ଼ିକ ଧରି, ଦେହରେ କେବଳ ଚମ ପରସ୍ତେ ଧରି ସେ ଆସି ମୋ’ରି ଆଡ଼କୁ ହାତ ବଢ଼ାଇ କହିଲା -‘‘କିଛି ଦେବ ? ଯାହା ଦେଲ, ଲକ୍ଷେ ଟଙ୍କା ।’’

ଚମକିପଡ଼ି ମୋ ହାତକୁ ମୁଁ ଚାହିଁଦେଲି । ଶୂନ୍ୟ ଘର, କେହି କୁଆଡ଼େ ନାହାନ୍ତି । ସେ ଯାନଟା ଚାରି ଘଣ୍ଟା ହେଲା କୁଆଡ଼େ ଗଲାଣି । ମାନବକଣ୍ଠର ଚିତ୍କାରରେ ମୋର ପାଖ ଘରଟା ପୂରିରହିଛି । ଆଉ, ମୁଁ ମୋର ବିଛଣାରେ ପଡ଼ି ମୋର ସେହି ମୁହୂର୍ତ୍ତକର ଦେଖା ବନ୍ଧୁଙ୍କୁ ଆଉ ଥରେ ଦେଖିବାକୁ ଇଚ୍ଛା କରୁଛି; ମାତ୍ର ସେ ଯାଇ ବହୁ ଦୂରରେ - ଦଶ ମାଇଲ ଦୂରରେ ଏବେ ।

 

ଦୁଇଟି ରାତିର ଶେଷ ପ୍ରହର

(୧)

 

କେତେଟା ଆମ୍ବ, ବର, କଇଁଆ ଗଛତଳେ ଦଶ-ତିରିଶିଟା ଚାଳଘର । ତା’ ଭିତରେ ପୁଣି ସିନ୍ଦୂରବୋଳାଂ ଶାହାଡ଼ା ଗଛ, ଛବିଲେଖା ଭାଗବତପିଣ୍ଡି, ପଥରବସା ଚୁଉଁରା, ଦରଭଙ୍ଗା କୂଅଚାନ୍ଦିନୀ, ଦରପୋତା ପୋଖରୀତୁଠ ।

ଏଥିରେ ପୁଣି ଏତିକି ମାୟା, ଏମିତି ମମତା ! ତାହାରି ଭିତରେ କେଉଁ କୁଟୀର କୋଣରେ କାହାର ପ୍ରଣୟିନୀ - କିଏ କାହାର ପଲ୍ଲୀପୁରକୁ ଦିବ୍ୟପୁରରେ ପରିଣତ କରୁଛି; କିଏ ପୁଣି ଭଙ୍ଗା କାନ୍ଥ କଣା ଚାଳଘରେ ନୂଆ କରି ସଂସାର ଗଢ଼ିବାକୁ ଚେଷ୍ଟା କରଛି । ଏ ଆଶା, ଏ କଳ୍ପନା କେତେ କାହାର ପୂରଣ ହେଉଛି, ତାହା ତ ଅଲ ଗା କଥା !

ପଲ୍ଲୀ ବୋଲି କହୁଥିବା କୂଅ-ପୋଖରୀ-ମନ୍ଦିର-ଚଉଁରାପୂର୍ଣ୍ଣ କୁଟୀରମୟ ଭୁଇଁଖଣ୍ଡକୁ କିଏ ହେୟ, ନିର୍ଜୀବ ବୋଲି ମନେକରିପାରନ୍ତି; ମାତ୍ର ସହଦେବ ପାରିଲାନାହିଁ । ତା’ ଭିତରେ ତା’ର ସ୍ୱପ୍ନ-ପ୍ରତିମା । ସେ ଜଣାଇଦେଲା, ଏସବୁଥିରେ ଜୀବନ ଅଛି, ଯୁଗ-ଯୁଗାନ୍ତରର ପିତୃପୁରୁଷଙ୍କର ବହୁ ବିଚିତ୍ର ସ୍ମୃତି ଅଛି । ୟାକୁ ଭୁଲିଲେ ଜୀବନଟା ନୀରସ ହୋଇପଡ଼େ ।

ଗାଁ ନିତାନ୍ତ ଛୋଟ; ତାକୁ ପଲ୍ଲୀ କୁହାଯାଇ ପାରିବ ନାହିଁ କି ଗାଁ କୁହାଯାଇ ପାରିବ ନାହିଁ। କେତେ ଯୁଗରୁ କେଜାଣି, ବାଟୋଇ ସେ ବାଟେ ଯିବା - ଆସିବା କଲାବେଳେ ସେହି କେତୋଟି ଘରର ସମଷ୍ଟିକୁ ‘ଗମେଇ’ ବୋଲି ଡାକନ୍ତି । ଆଉ, ଆଖପାଖ ଲୋକଙ୍କ ପାଖରେ ତାହା ବାଉରିସାହି ବୋଲି ପରିଚିତ ।

ଏହି ଗମେଇର ଏକପାଖରେ ଏକ ଛୋଟିଆ ନଈ ଓ ଅନ୍ୟ ଏକପାଖରେ ଗୋଟିଏ ଛୋଟିଆ ପାହାଡ଼ । ଓଡ଼ିଶାରେ ମଲାଗୁଣୀଠାରୁ ଆରମ୍ଭ କରି ମହାନଦୀ ପର୍ଯ୍ୟନ୍ତ କେତେ ସାନ ବଡ଼ ନଦୀ ଅଛି; ମାତ୍ର ସେହି ଗମେଇ ପ୍ରାନ୍ତ ପ୍ରବାହିନୀ ଛୋଟ ନଈଟିକି ମଗେଇବାସୀ ଜଗତର ଏକମାତ୍ର ନଈ ବୋଲି ମନେ କରି ଆସିଛନ୍ତି । ତାଙ୍କ ଗାଁ ପାଖର ସେହି ଛୋଟ ପାହାଡ଼ଟିର ମହିମା ତାଙ୍କ ପକ୍ଷରେ ଅତୁଳନୀୟ । ମହେନ୍ଦ୍ର, ମେଘାସନ, ମାଲ୍ୟଗିରି କାହିଁ କେଉଁଠି ଦୂରରେ ଅଛି ପରା ! ତାହା ଗମେଇବାସୀଙ୍କ ଆଖିକି କବିର କଳ୍ପନା ବା ସ୍ୱପ୍ନର ଛାୟା ହୋଇପାରେ; ମାତ୍ର ସେହି ଛୋଟ ପାହାଡ଼ଟି ତାଙ୍କ ଆଗରେ ଅତି ରମଣୀୟ ମେରୁ ପର୍ବତ ! ପାହାଡ଼ରେ ଫୁଲ ଫୁଟିଲେ ଗାଁରେ ନବଜୀବନ ସଞ୍ଚାର ହୁଏ । ନଈର ତରଙ୍ଗ ପରି ସେମାନଙ୍କ ପ୍ରାଣରେ ସ୍ନେହପ୍ରୀତି ଢଳଢଳ । ପାହାଡ଼ର ଅଚଳ ପଥରଖଣ୍ଡି ପରି ସେମାନଙ୍କ ସାହସ ଅତି କୋଠର । ମୋଟାମୋଟି କହିବାକୁ ଗଲେ, ସେହି ପାହାଡ଼ ଆଉ ନଈ ଭିତରେ ରହି ମାନବଜାତିର ସେହି ଏକ ବିଚ୍ଛିନ୍ନ ଅଂଶ ସତେ ଅବା ନଈପରି, ପାହାଡ଼ପରି ଜୀବନ୍ତ, ସତେଜ, ଅଚଳ ରହି ସଂସାରପଥରେ ଯାତ୍ରା ଆରମ୍ଭ କରିଛନ୍ତି।

 

(୨)

 

କେତେ ବର୍ଷ ପରେ, କେହି କହିପାରିବେ ନାହିଁ, କାଳର ପରିବର୍ତ୍ତନ ଘଟିଲା । ସେହି ପରିବର୍ତ୍ତନ ଫଳରେ ପାହାଡ଼ ତାଙ୍କୁ ଆଉ ଧୈର୍ଯ୍ୟ ଶିକ୍ଷା ଦେଇ ପାରିଲା ନାହିଁ; ନଈ ତାଙ୍କୁ ହସାଇ ନଚାଇ ପାରିଲାନାହିଁ । ସେମାନେ ହା-ହୁତାଶ ଭାବରେ ଏଣେତେଣେ ବୁଲିଲେ ।

ଛବିଶ ସାଲ ଦୁର୍ଭିକ୍ଷର ଦାରୁଣ ଧକ୍‌କାରେ କେତେ ଗୌରବମୟ ଉଆସ ତ ଭାଙ୍ଗି ପଡ଼ିଲା, ଗେମଇ ଗାଆଁର ବାଉଁଶ ବେଢ଼ାପୋତା ତାଟିଲଗା ଦଦରା କୁଟୀର କଥା କିଏ ପଚାରେ ? ତଥାପି ପେଟଚାଖଣ୍ଡକ ପାଇଁ ସେମାନେ ପାହାଡ଼କୁ ତାଡ଼ିଦେବାକୁ ଉଦ୍ୟମ କଲେ । ଟାଙ୍ଗୁରାମୁଣ୍ଡରେ ପଥର ବୋହି କେତେ କୁବେର ଭଣ୍ଡାରର ଭିତ୍ତି ପକାଇଦେଲେ, ବଡ଼ ବଡ଼ ଦ୍ରୁମକୁ ଖଣ୍ଡ ଖଣ୍ଡ କରି ଗାଁ ଗାଁ ଭରତି କରିଦେଲେ, ତଥାପି ପେଟ ପୂରିଲାନାହିଁ । ଅନ୍ନହୀନ, ସାହାସୀନ, ବସ୍ତ୍ରହୀନ, ଦୀନହୀନ ଭାବରେ ଗ୍ରାମବାସୀ କିଏ କୁଆଡ଼େ ଚାଲିଗଲେ ।

ସହଦେବ ଜାତିରେ ବାଉରି । ବସରେ ବାଇଶି ବର୍ଷର ଭେଣ୍ଡା । ଆକରରେ ସେହି ପାହାଡ଼ ତଳିଆ, ନଈକୂଳିଆ ଭେଣ୍ଡା ଗଜାଗଛ ପରି । ତେଣୁ ଦୁର୍ଭିକ୍ଷର ଧକଖକା ତାକୁ ହଲଚଲ କରିବା ପାଇଁ ବହୁତ ଦିନ ଲାଗିଲା । ସେ ଦେଖିଲା, ତା’ର ସେହି ଛୋଟ ଗାଆଁଟିର କେତୋଟି ନିତି-ପରିଚିତଙ୍କ ଶେଷ ଚିତା ଗାଆଁମୁଣ୍ଡ ବରଗଛ ମୂଳରେ ଡହଡହ ହୋଇ ଜଳିଉଠିଲା । କାହା କଣ୍ଠରେ କେତେ କରୁଣ ସ୍ୱର ସେହି ପାହାଡ଼ର ଦାରୁଣ ପଥରଗୁଡ଼ାକ ତରଳାଇବାକୁ ଚେଷ୍ଟାକଲା । ସେ ସବୁ ଶୁଣିଲା, ସବୁ ଦେଖିଲା; ମାତ୍ର କାହାକୁ କୌଣସିଥିରୁ ବିରତ କରାଇ ପାରିଲାନାହିଁ ।

ଶେଷକୁ ତା’ର ଆସିଲା ପାଳି । ଯେତେବେଳେ ତା’ର ଛାତିର ହାଡ଼ ଗଣିହେଲା, ଆଣ୍ଠୁଗଣ୍ଠିର ଠୁଙ୍ଗି ଦିଶିଲା, ଆଖି କୋରଡ଼ କୋରଡ଼ ହେଲା, ସେପରି ଅବସ୍ଥାରେ ଦିନେ ସେ କୁଡ଼ିଆ ଭିତରେ ନିତାନ୍ତ ହତାଶ ଭାବରେ ବସିପଡ଼ି ତା’ ଜୀବନର ଏକମାତ୍ର ସାଥୀ ଚମ୍ପେଇକି ଚାହିଁ କହିଲା - ‘‘ଆଉ କ’ଣ ପାରିବି ?’’

ସହଦେବ ପରିବାର ସାହସ ଟିକକ ହରାଇଲା । ଦିନରାତି ସେହି ଏକାକଥା ଭାବିଲା - ‘ଆଉ କ’ର ପାରିବି ?’ ଚମ୍ପେଇକି ପାଖରେ ରଖି ଭାବିଲା, ଚମ୍ପେଇକି ଦୂରରେ ରଖି ଭାବିଲା, ଚମ୍ପେଇକି କୋଳରେ ଧରି ଭାବିଲା - ନ ଭାବି ସେ ରହିପାରିଲା ନାହିଁ । ଠିକ୍‌କଲା, ଯିବ ଦୂରକୁ ରୋଜଗାର କରି ।

ଚାରିଟି ଆଖିରୁ ଲୁହ ବୋହିଲା । ଦୁଇଟି ବୁକୁ-ତଳେ କି ଆଘାତ ପ୍ରତିଘାତ ଲୀଳା ଚାଲିଥିଲା, ସେହି ଦୁଇ ବୁକୁ ପରସ୍ପର ବୁଝିଲେ । ଦୁଇଟି ନାସିକାରୁ ନିଃଶ୍ୱାସ ଏକେବେଳକେ ଘନଘନ ବହିଲା । ଚାରିଟି କରତଳ, ଚାରିଟି ଚରଣ ଏକାବେଳକେ ଥରିଲା । ଏହା ପରେ ଦିନେ ଏକ ରାତିରେ ସହଦେବ ବାହାରି ପଡ଼ିଲା ରୋଜଗାର କରିବାକୁ।

ଏହି ହେଉଛି ଦୁଇଟି ଜୀବନର ଏକ ରାତିରେ ଶେଷ ପ୍ରହରର ଇତିହାସ ।

 

(୩)

 

ତା’ପରେ....ତା’ପରେ ଆଉ ଏକ ରାତିରେ....। ବିଶ୍ୱଜଗତର ଅଣୁ-ପରମାଣୁ ପରି ବେଳେବେଳେ ଯେଉଁ ଅନ୍ଧକାର ଘୋଟିଯାଏ, ସେ କେବଳ ଅନ୍ଧକାର ବୋଧହୁଏ ଗମେଇ ଗାଆଁକୁ ଜଡ଼ କରିଦେଇଛି । ଛୋଟ ନଈଟି ପାଗଳିନୀ ପରି କୂଳସୀମା ଭୁଲି ଚାଲିଛି; ଛୋଟ ପାହାଡ଼ଖଣ୍ଡକ ସାଇଁସାଇଁ ଗର୍ଜୁଛି ।

ଏହିପରି ଏକ ଭୀଷଣ ରାତିରେ ସହଦେବ ତା’ର ଗମେଇ ଗାଆଁର ଭଙ୍ଗା କୁଡ଼ିଆଖଣ୍ଡିକରେ ବସି ଭାବୁଛି । ଏକାକୀ ସେ; ମାତ୍ର ଭାବନା ତା’ର ବହୁତ । ତା’ର ଘରେ ଆଲୁଅ ତ ନାହିଁ; ହୃଦୟ ଭିତରେ ମଧ୍ୟ ଆଲୁଅ ନାହିଁ । ଆଲୁଅ ବୋଲି ସେ ଯାହା ଆପଣା ହୃଦୟର କେଉଁ ନିଭୃତତମ କୋଣରେ ଅନୁଭବ କରୁଛି, ତାହା ତା’ ଜୀବନର ଚାରିବର୍ଷ ତଳର ଗୋଟିଏ ସ୍ମୃତିର ଉାୟା ମାତ୍ର ! ସେହି ସ୍ମୃତିର ଛାୟାଟି - ଠିକ୍‌ଚମ୍ପେଇର ବେଶ ଓ ଚମ୍ପେଇର ହାସ ! ସେ କ’ଣ କରିବ ? କାହାକୁ ଡାକିବ । ? ଅନ୍ଧାର ଭିତରେ ଉଠିପଡ଼ି ତାକୁ ଜାକିପକାଇବ ବୋଲି ହାତ ବଢ଼ାଇଲା । ଦେଖିଲା, ଖାଲି ଅନ୍ଧାକାର ଛଡ଼ା କିଛି ନାହିଁ । ସେ ଛାୟା ଚାରି ବର୍ଷତଳର ସ୍ମୃତିଛାୟା ମାତ୍ର ।

ଚାରି ବର୍ଷତଳେ ସେ ଯେତେବେଳେ ଗାଁ ଛାଡ଼ି ବିଦେଶ ଗଲା, ଚମ୍ପେଇ ଓଦାକନା ପେଟରେ ଦେଲାପରି ରହି ତା’ ବାଟ ଚାହିଁଲା । କ୍ରମେ ତିନି ଦିନରେ ଓଳିଏ ଚୁଲି ଲାଗିଲା । ତହିଁରେ ପୁଣି ଆଜି ମୁଠିଶାଗ ତ କାଲି ବଣସାରୁ ପତର।

ହତଭାଗିନୀର ଏହି ଦଶା-ବିପର୍ଯ୍ୟୟ ଯେତେବେଳେ ଶେଷ ସୀମାରେ, ସହଦେବ କୂଅ-ପୋଖରୀ-ମନ୍ଦିର-ଚଉଁରାପୂର୍ଣ୍ଣ ପଲ୍ଲୀଟିର ମଧୁର- ମାୟାରେ ଟାଣି ହୋଇ ଆସି ଘରେ ପହଞ୍ଚିଲା । ସନ୍ଧ୍ୟାରେ ଆସି ଦେଖିଲା ତା’ କୁଟୀର ଖଣ୍ଡିକ ଜୀବନ ସନ୍ଧ୍ୟାରେ । ଘାସରେ ପଥ ବାରିହେଉନାହିଁ । ଆସନ୍ନ ଅନ୍ଧକାର ଜୀବନର ଦୁଃଖଦୁର୍ଦ୍ଦଶା ସଙ୍ଗେ ମାଡ଼ିଆସୁଛି ।

ମନ୍ଦିର ଅଚଳ ପାଷାଣ ପ୍ରତିମା ଉପରେ ପତାକା ଫରଫର ଉଡ଼ିଲା ପରି ମୂକ ଜଡ଼ ସହଦେବ ଉପରେ ଭଙ୍ଗା ଘରଖଣ୍ଡକରେ ଝଡ଼ତୋଫାନ ବହିଗଲା । ସେ ସେଥିକି ତିଳହେଲେ ଖାତିରି କଲା ନାହିଁ; ତାକୁ କିଛି ଜଣାପଡ଼ିଲା ନାହିଁ ମଧ୍ୟ ।

ଗାଁ ଲୋକେ କହିଲେ - ‘‘ଜଣେ ଗଲା ଜାତିରୁ; ଆଉ ଜଣେ ଆସିଛି ଜାତି ହେବ ।’’

 

(୪)

 

ସେ ଦିନ ରାତିର ଭୀଷଣତା କ୍ରମେ ବଢ଼ିଲା । ବଜ୍ର ମାଇଲା, ବିଜୁଳି ମାଇଲା - ସେଥିପ୍ରତି ସହଦେବର ଶ୍ରବଣପଥ ମୁକ୍ତ ନ ଥିଳା; ମାତ୍ର ଦୁଆରେ ଯେତେବେଳେ କିଏ ହାତମାରି ଡାକିଲା - ‘‘କିଏ ଅଛ ?’’ ସେ ଚମକି କାନେଇଲା ।

ସହଦେବ ଭାବାବିଷ୍ଟଭାବରେ ଉଠି ଠିଆହେଲା । ଟିକିଏ ଖଣ୍ଡିକାଶ, ତା’ ପରେ ପୁଣି ସେହି ଏକ ସ୍ୱର - ‘‘କିଏ ଅଛ କି ?’’

ସହଦେବ ତାଟିଟା ଫିଟେଇ ଦେଇ କେବଳ ମୂକଭାବରେ ଠିଆ ହୋଇ ଦେଖିଲା, ଆଗରେ ଏକ ମୂର୍ତ୍ତି । ମୁଣ୍ଡରେ ତା’ର ତେଲହାତ ବାଜିଛି କି ନାହିଁ ଅନ୍ଧକାରରେ ବାରିହେଲା ନାହିଁ ସତ; ମାତ୍ର ବୁଢ଼ୀମା’ ଗଳ୍ପରେ ଥିବା ଭୁତୁରିମୁଣ୍ଡୀର ମୁଣ୍ଡପରି ତାହା ଏକ ପ୍ରକାଣ୍ଡ ଆକାରର ଦେଖାଗଲା । ସେ ଘରକୁ ପଛେଇ ଯାଇ ଦୀପରେ ଆଲୁଅ ଜାଳିଦେଲା । ସେ ମୂର୍ତ୍ତି ଘର ଭିତରେ ମିଞ୍ଜିମିଞ୍ଜି ଜଳୁଥିବା ଦୀପାଲୋକରେ ଯାଇ ଠିଆହେଲା । ତା’ର ଆଖି ଦୁଇଟା ତାଳୁରେ କେଉଁଠି ଖୋସି ହୋଇ ମୁହଁରେ ହାଡ଼ ଦେଖାଯାଉଥିଲା ସହଦେବ ବିସ୍ମୟ ଆବେଗରେ ପାଟିକରି କହିଲା - ‘‘ଚମ୍ପେଇ !!’’

ଭୂତ, ନା ପ୍ରେତ ନା ପିଶାଚ ? ତା’ର ଅଧର କେତେ ଥର ମେଲା ହେଲା; କେତେ ଥର ପଡ଼ିଲା; ମାତ୍ର ସହଜରେ ସ୍ୱର ବାହାରିଳା ନାହିଁ । ଶେଷରେ ବଡ଼ କଷ୍ଟରେ ସେ କଣ୍ଠରୁ ବାହାରିଲା -

‘‘ଆହା ! ଏଡ଼ିକି ନିଷ୍ଠୁର !! କେତେ ଦିନ କେତେ ରାତି ଚାହିଁ ଚାହିଁ . . . ଶେଷକୁ…!!’’

 

(୫)

 

ଶେଷକୁ କ’ଣ ହେଲା, ସହଦେବ ଆଗରୁ ଶୁଣିଥିଲା । ସେ ଶେଷରେ ବଡ଼ ଧୈର୍ଯ୍ୟରେ ସହିତ ଉତ୍ତର ଦେଲା - ‘‘ମଣିଷ ହୋଇ ଯେ ଥିଲା, ସେ ଭୂତ ହୋଇ ଆସିଲା ଆଜି !! ଆଉ କାହିଁକି . . . ?’’

ଏତିକି କହି ସେ ମୁଣ୍ଡରେ ହାତ ଦେଇ ବସିପଡ଼ିଲା । ତାକୁ ବୁଦ୍ଧି ଦିଶିଳା ନାହିଁ, ତାକୁ ସ୍ୱପ୍ନ ଦିଶିଲା । ପରିଷ୍କାର ଦିବାଲୋକରେ ଦେଖିଲା ପରି ସେ ଦେଖିଲା - ଘର ଛାଡ଼ି, ବନ୍ଧୁ ସଖାସୋଦର ଛାଡ଼ି ସେ ଗଲା ରେଙ୍ଗୁନ । କି ନିର୍ଯ୍ୟାତନା ସେ ନ ଭୋଗିଲା ! ମରଣର ଝଡ଼ତୋଫାନ ଭିତରେ ବଞ୍ଚିବା ପାଇଁ ତା’ର ଅଭିଯାନ ଆରମ୍ଭ ହେଲା । ଦିନକ ତା’ର ଯୁଗେ ହେଲା। ଚାରିବର୍ଷରେ ତା’ର କେତେ ସହସ୍ର ଯୁଗ ଭୋଗହେଲା । ରେଙ୍ଗୁନ ଗଳିରେ ପେଟକୁ ପୂରା ନ ଖାଇ, ମନବୋଧ କରି ଲୁଗା ନ ପିନ୍ଧି, ଚମ୍ପେଇର ସ୍ୱପ୍ନ ଦେଖି ଦେଖି ସେ ଜୀବନଯଜ୍ଞରେ ବର ଲାଭ କଲା। ଆହା-ହା ! କି ମଧୁର ହାସ ତା’ର । ଯୌବନର ପ୍ରଥମ ପରିଚୟରେ, ବାସର ରାତିର ପ୍ରଥମ ପଲକରେ, ତରୁଣ ତନୁର ପ୍ରଥମ ସ୍ପର୍ଶରେ, ମୁକୁଳିତ କୁନ୍ତଳର ପ୍ରଥମ କର-ସଞ୍ଚାଳନରେ କି ତଡ଼ିତ ବା ସେ ହୃଦୟରେ ଅନୁଭବ କରି ନ ଥଇଲା । ତା’ ପରେ ଜୀବନର ଜଞ୍ଜାଳ ! କି ମଧୁମୟ ତାହା ! ଜଙ୍ଗଲରୁ କାଠ ବୋହିଆଣିଲେ, ନଈରୁ ମାଛ ଧରିଆଣିଲେ, ଗଛରୁ ଫୁଲ ତୋଳିଆଣିଲେ, ଜଣେ ଜଣକୁ ହସାଇଲା, ଜଣେ ଜଣକୁ ନଚାଇଲା - ନାଚି ନାଚି ହସି ହସି କୁଡ଼ିଆଖଣ୍ଡିକରେ ଜୀବନର ସୁଅ ବୁହାଇଦେଲେ । ଜାହାଜ ଯେତେବେଳେ ଛାଡ଼ିଲା, ସମୁଦ୍ରରେ ତରଙ୍ଗ ଯେତେବେଳେ ନାଚିଲା, ଗଗନରେ ତାରକା ଯେତେବେଳେ ଫୁଟିଲେ, ସେ ଚମ୍ପେଇର ଚାଲି, ଚମ୍ପେଇର ହାସ କେବଳ ଦେଖିଲା । ତାକ୍ଷପରେ ଘର ଯେତିକି ପାଖେଇଲା, ଚମ୍ପେଇ ତା’ର ସେତିକି ନିକଟତର ହେଲା । ଚମ୍ପେଇ ତା’ର ଗଳା ଧରି ଓହଳିଲା, ଦୁଇଟା ବହୁଦିନର ତାପିତ ଅଧର ତାହାରି ଆଡ଼କୁ ଧୀରେ ଧୀରେ ଆସିଲା ।

ସେ ଅଧରକୁ ମିଶୋଇ ଦେବାକୁ ଚେଷ୍ଟାକଲା । ଦେଖିଲା, ହାତ ତା’ର ଶୂନ୍ୟରେ ଦରାଣ୍ଡୁଛି । ଚମକି ଡାକିଲା କେବଳ - ‘‘ଚମ୍ପେଇ !’’

କେହି ଶୁଣିଲେ ନାହିଁ । ଚମ୍ପେଇର ବାହକୁ ଧରିବାକୁ ଚେଷ୍ଟା କଲା, ଚମ୍ପେଇର ଗଳାକୁ ଟାଣି ଧରିବାକୁ ଇଚ୍ଛା କଲା, ତା’ର ଦୀର୍ଘଶ୍ୱାସ ୟା’ ବୁକୁତଳେ ଶୁଣିବାକୁ କାମନା କଲା - ସବୁ ବୃଥା। ଘର ଭିତରୁ ଅନ୍ଧାର ରାଜ୍ୟକୁ ବାହାରି ପଡ଼ିଲା । ତଳ ଉପର ଦଶଦିଗ ଅନ୍ଧାର, ଉପରେ ତାରା ଚନ୍ଦ୍ର ନାହାନ୍ତି, ତଳେ ତା’ ଛଡ଼ା ଆଉ କେହି ମଣିଷ ନାହାନ୍ତି । ଅଳ୍ପ ଦୂରରେ କେବଳ ସେହି ଛୋଟ ନଈଟା ଭଉଁରି ଖେଳରେ ମାତି କାହାକୁ ଅଶ୍ରୁଧାରରେ ଭସାଇ ଭଉଁରି ଖେଳରେ ମାତି କାହାକୁ ଅଶ୍ରୁଧାରରେ ଭସାଇ ଦେଲାପରି ବହିଯାଉଛି ।

ସ୍ୱର ଶୁଭିଲା - ‘କୁଳୁ-କୁଳୁ-କୁଳୁ ।’

ଚମ୍ପେଇ କ’ଣ ଡାକିଲା ?

କେତେ ପାହୁଣ୍ଡ ଆଗକୁ ଯାଇ ସହଦେବ ଥିର ହୋଇ ଠିଆ ହେଲା । ପୁଣି କିଏ କହିଲା-‘ଖଳ୍‌ଖଳ୍‌ଖଳ୍‌ଖଳ୍‌!’

ଗଛ ଗହଳିରେ ଜୁଳୁଜୁଳିଆ ପୋକ ସହସ୍ର ଆଖିରେ କାହାକୁ ଚାହୁଥିଲେ । ସହଦେବ ଦଉଡ଼ିଗଲା ତାହାରି ପାଖକୁ . . . । କାଦୁଅ ପଚ୍‌ପଚ୍‌ଶୁଭିଲା । ତା’ ପରେ ଏକମାତ୍ର ଶବଦ . . . ନଦୀ ହୁଙ୍କାର ଉଠିଲା . . . ବହମାନ ଜଳଧାରା ଆହୁରି ବିଚଳିତ ହୋଇଗଲା ! ସେହି ଗଛମୂଳେ ପାଣିକି ଚାହିଁ ସହଦେବ ବସିପଡ଼ି ଡାକିଲା - ‘‘ଚମ୍ପେଇ!’’

ପାହାଡ଼ ସେ ପାଖରୁ କିଏ ଉତ୍ତର ଦେଲା - ‘ଚମ୍ପେଇ !’

ଚମ୍ପେଇ ତ ଶୁଣିଲା ନାହିଁ, ସହଦେବ ମଧ୍ୟ ଆଉ କାହା ଡାକ ଶୁଶିଲା ନାହିଁ । ମେଘ ଡାକିଲା ନଦୀ ଡାକିଲା, ପକ୍ଷୀ ଡାକିଲା, ଶେଷରେ ସକାଳେ ଯେତେବେଳେ ମଣିଷ ଡାକିଲେ - ‘ସହଦେବ’ ! ସେ କହିଲା - ‘‘ଚମ୍ପେଇ ।’’

ଏ ଆଉ ଏକ ରାତିରେ ଶେଷ ପ୍ରହରର ଇତିହାସ ।